ନୂଆଦିଲ୍ଲୀ /ଭୁବନେଶ୍ବର :୧୯/୦୩ (ପାୟଲ ରାଉତ )ନାରୀଶକ୍ତିର ଚାତ୍ରୁର୍ଯ୍ୟ, ମାଧୁର୍ଯ୍ୟ ଓ ଐଶ୍ଚର୍ଯ୍ୟ ମହାନ ବୋଲି ବିଶିଷ୍ଟ ବ୍ୟକ୍ତି ମାନେ ମତ ପ୍ରକାଶ କରିଛନ୍ତି। ୱାର୍ଲଡ୍ ଓଡ଼ିଶା ସୋସାଇଟି (ୱା. ଓ. ସୋ) ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ ଉପଲକ୍ଷେ ଆୟୋଜିତ ତୃତୀୟ ଶକ୍ତି ଉତ୍ସବ-୨୦୨୪ ରେ ଭାଗନେଇ ଅତିଥି ବକ୍ତା ମାନେ ନାରୀ ଜାତିର ମହନୀୟତା ଉପରେ ଆଲୋକପାତ କରିଥିଲେ।ହାଇବ୍ରିଡ଼ ମଞ୍ଚରେ ଅନୁଷ୍ଠିତ ଏହି ସମାରୋହରେ ଭାରତ ବର୍ଷର ବିଭିନ୍ନ ରାଜ୍ୟ ଏବଂ ବିଶ୍ୱର ବହୁ ରାଷ୍ଟ୍ରରୁ ୱା. ଓ. ସୋ ର ସଦସ୍ୟ , ପ୍ରବାସୀ ଓଡ଼ିଆ ତୁଙ୍ଗ ନେତୃବର୍ଗ ଏବଂ ଓଡ଼ିଆ ସମାଜର ପ୍ରତିନିଧିମାନେ ଯୋଗ ଦେଇଥିଲେ। ମୁଖ୍ୟ ଉତ୍ସବ ଜାତୀୟ ରାଜଧାନୀ କ୍ଷେତ୍ରର ଗାଜିଆବାଦ ଠାରେ ପାଳନ କରାଯାଇଥିବା ବେଳେ ଶତାଧିକ ବିଶ୍ୱ ଓଡ଼ିଆ ଏଥିରେ ଆଭାସୀ ଢଙ୍ଗରେ ସଂଯୁକ୍ତ ହୋଇଥିଲେ।
ସଭାରେ ବରେଣ୍ୟ ଅତିଥି ଭାବେ ସାମିଲ ହୋଇ ସମ୍ବାଦର ସମ୍ପାଦକ ତନୟା ପଟ୍ଟନାୟକ, ବିଶ୍ୱ ଭରି ଓଡ଼ିଆ ମାନଙ୍କୁ ଯୋଡ଼ିବାରେ ୱାର୍ଲଡ୍ ଓଡ଼ିଶା ସୋସାଇଟି ର ପ୍ରୟାସ ପ୍ରଶଂସନୀୟ ବୋଲି କହିଥିଲେ।ଚଳିତ ଶତାବ୍ଦୀ ମହିଳାମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ବୋଲି ଦର୍ଶାଇ ନାରୀ ଜାତିର ଉତ୍ଥାନ ପାଇଁ ଉପଯୁକ୍ତ ପ୍ରୋତ୍ସାହନ ଯୋଗାଇ ଦେବାକୁ ଶ୍ରୀମତୀ ପଟ୍ଟନାୟକ ଆହ୍ୱାନ ଜଣାଇଥିଲେ। ସ୍ଵାଗତ ଭାଷଣ ପ୍ରଦାନ କରି ୱାର୍ଲଡ୍ ଓଡ଼ିଶା ସୋସାଇଟି ର ଅଧ୍ୟକ୍ଷ କିଶୋର ଦ୍ବିବେଦୀ, ମହିଳାମାନଙ୍କଠାରେ ମାଟିର ମୂର୍ତ୍ତିକାର ସାଜିବା ଠାରୁ ଆରମ୍ଭ କରି ଝଡ଼ର ଇଗଲ ବନିବା ପର୍ଯ୍ୟନ୍ତ ସମସ୍ତ କ୍ଷମତା ମହଜୁଦ ଥିବାରୁ ସେମାନେ ସର୍ଵ ଶକ୍ତିସମ୍ପର୍ଣ୍ଣା ବୋଲି ଉଲ୍ଲେଖ କରିଥିଲେ।
ୱା.ଓ.ସୋ ର ପ୍ରତିଷ୍ଠାତ୍ରୀ ଡ଼ଃ ଅରୁନ୍ଧତୀ ଦେବୀ ସାମ୍ପ୍ରତିକ ସମାଜରେ ମହିଳା ମାନଙ୍କୁ ଏକ ଭୋଗ୍ୟ ସାମଗ୍ରୀ ରୂପେ ବ୍ୟବହାର କରାଯାଉଥିବା ନେଇ ଘୋର କ୍ଷୋଭ ପ୍ରକାଶ କରି ସେମାନଙ୍କୁ ଯଥାମାନ୍ୟ ସମ୍ମାନ ପ୍ରଦାନ କରାଯିବାକୁ ଆଗ୍ରହ ପ୍ରକାଶ କରିଥିଲେ। ୱା.ଓ.ସୋ ର ମହିଳା ସଶକ୍ତିକରଣ କମିଟିର ଆବାହକ ଏବଂ କଳାହାଣ୍ଡିର ଉପ-ଜିଲ୍ଲାପାଳ ଶୁଭସ୍ମିତା ମିଶ୍ର ନାରୀମାନଙ୍କର ସାମ୍ବିଧାନିକ ଓ ଆଇନଗତ ଅଧିକାର କୁ ସୁରକ୍ଷିତ ରଖାଯିବା ନେଇ ବ୍ୟାପକ ଓ ବୈପ୍ଳବିକ ପଦକ୍ଷେପ ଗ୍ରହଣ କରାଯିବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ।ୱା.ଓ.ସୋ ର ମହିଳା ଶାଖାର ସଭାପତି ଡ଼ଃ ସୁନନ୍ଦା ମିଶ୍ର ପଣ୍ଡା,ନାରୀର ଶ୍ରେଷ୍ଠତ୍ବ ଯୁଗ ଯୁଗ ଧରି ପ୍ରମାଣିତ ହୋଇ ଆସିଥିବା ସୁଚାଇଥିଲେ।
ଏହି ଅବସରରେ ୱା.ଓ.ସୋ ର ସାଧାରଣ ସମ୍ପାଦକ ଏବଂ ସୁନାମଧନ୍ୟ ସମାଜସେବୀ ଡ଼ଃ ଚିଦାତ୍ମିକା ଖଟୁଆଙ୍କୁ ପୃଥିବୀ ବ୍ୟାପି ମହିଳା ସମ୍ପ୍ରଦାୟଙ୍କର ମଙ୍ଗଳ ସକାଶେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ୱା.ଓ.ସୋ ର ପ୍ରଥମ ମହା ନାରୀ ସମ୍ମାନ ପ୍ରଦାନ କରାଯାଇଥିଲା।ପୁରସ୍କାର ଗ୍ରହଣ କରି ଡ଼ଃ ଖଟୁଆ ୱା.ଓ.ସୋ ପ୍ରତି କୃତଜ୍ଞତା ପ୍ରକାଶ କରିବା ସହିତ ତାଙ୍କର ନାରୀ ଜାଗରଣ ଅଭିଯାନକୁ ସେ ଅଧିକ ଶାଣିତ କରିବେ ବୋଲି ଘୋଷଣା କରିଥିଲେ।ସଭାରେ ପ୍ରତିଭାବାନ ଫେସନ ଡିଜାଇନର ପ୍ରିୟଙ୍କା ଜେନା,ପ୍ରସିଦ୍ଧ ଚାଟାର୍ଡ ଏକାଉଣ୍ଟଟାଣ୍ଟ ସୁଧୀର ଦାଶ ଓ ବରିଷ୍ଠ ପ୍ରଶାସକ ଡ଼ଃ ଦେବେନ୍ଦ୍ର ମାଝୀ ଙ୍କୁ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖ ଯୋଗ୍ୟ ଅବଦାନ ପାଇଁ ସମ୍ବର୍ଦ୍ଧନା କରାଯାଇଥିଲା।
ଆଶୁ କବି ଡ଼ଃ କୁଳମଣି ବିଶ୍ୱାଳ ଓ ପ୍ରତିଷ୍ଠିତ କବୟତ୍ରୀ ଲଷ୍ମୀପ୍ରିୟା ଦାସ ସେମାନଙ୍କ ର କବିତା ଗୁଡିକୁ ଖୁବ ସୁନ୍ଦର ଓ ସାବଲୀଳ ଢଙ୍ଗରେ ଆବୃତ୍ତି କରିଥିଲେ।ସୁବିଖ୍ୟାତ କଥାକାର ଡ଼ଃ ମଧୁସ୍ମିତା ମିଶ୍ର ତାଙ୍କର “ଅନିନ୍ଦିତା”ଶୀର୍ଷକ କ୍ଷୁଦ୍ର ଗଳ୍ପକୁ ବେଶ ପ୍ରାଞ୍ଜଳ ଓ ପ୍ରଭାବଶାଳୀ ଢଙ୍ଗରେ ଶୁଣାଇ ଉପସ୍ଥିତ ଶ୍ରୋତା ମାନଙ୍କୁ ଚମତ୍କୃତ କରିଦେଇଥିଲେ। ସୁଧୀର ଦାଶ ଏବଂ ତାଙ୍କର ସାଥୀ କଳାକାର ଶୋଭା ନାରଙ୍ଗ, ସୁଧା କାଲରା ଓ ମୋନିକା ଚୌଧୁରୀଙ୍କର ସୁମଧୁର ସଂଗୀତ ପରିବେଷଣ ବେଶ ମନୋରଞ୍ଜକ ଥିଲା। ଆମେରିକା ରୁ ସୁଦକ୍ଷ ଉପସ୍ଥାପିକା ବନୋଜିନୀ ନାୟକ ସମଗ୍ର କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ସଞ୍ଚାଳନା କରିଥିଲେ। ନନ୍ଦନ ଦ୍ବିବେଦୀ ଡିଜିଟାଲ କକ୍ଷକୁ ଦକ୍ଷତାର ସହିତ ନିୟନ୍ତ୍ରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଳ୍ପନା ପଟ୍ଟନାୟକ, ଡ଼ଃ ଦେବେନ୍ଦ୍ର ମାଝୀ,ଅଜୟ କୁମାର ଦାସ ଓ ରୀତା ପାତ୍ର ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
ୱା.ଓ.ସୋ ର ନୂଆଦିଲ୍ଲୀ ଓ ଜାତୀୟ ରାଜଧାନୀ କ୍ଷେତ୍ରର ମୁଖ୍ୟ ସଂଯୋଜକ ଉମାକାନ୍ତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଡ଼ଃ ନଳିନୀ ପତି, ଶିଵ ରଞ୍ଜନ ବିଶ୍ୱାଳ, ଅକ୍ଷୟ ମହାନ୍ତି, ଡ଼ଃ ଯଶୋଧାରା ମିଶ୍ର,ପୁଷ୍ପାଞ୍ଜଳି ବାରିକ,ପ୍ରଭାତୀ ପାଣିଗ୍ରାହୀ, ଲିଲି ଜେନାମଣି, ପ୍ରବୋଧ ସାମନ୍ତରା, ଡ଼ଃ ସରୋଜିନୀ ପାଣି, ଡ଼ଃ ସାଗର ରଞ୍ଜନ ତ୍ରିପାଠୀ, ସୁବାସ ସାହୁ, ସଞ୍ଜୟ ରାୟ,ରଜନୀକାନ୍ତ ମିଶ୍ର,ଜ୍ଞାନ ପ୍ରକାଶ ଜେନା, ଦିଲ୍ଲୀପ ମହାନ୍ତି,ପ୍ରଫେସର ଶ୍ରୀନିବାସ ପାଠୀ, ମନୋରଞ୍ଜନ ମହାନ୍ତି,ସୁରେନ୍ଦ୍ର ସିଂ ଡୋଗ୍ରା, ନିବେଦିତା ଗିରି, ସନାତନ ମହାକୁଡ଼, ବରଦା ପ୍ରସନ୍ନ ଦାସ, ଡ଼ଃ ଜ୍ୟୋତିର୍ମୟୀ ତ୍ରିପାଠୀ, ଶ୍ରୀବାଣୀ ମହାନ୍ତି,ଆଲୋକ ପଣ୍ଡା, ବିରଜା ମହାପାତ୍ର,ଆଚାର୍ଯ୍ୟ ଅଭିମନ୍ୟୁ ଓ ଲଳିତ କୁମାର ପ୍ରଧାନ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।