ସମ୍ବଲପୁର:ସମ୍ବଲପୁର ଲୋକସଭା ଓ ବିଧାନସଭା ଆସନ ଚଳିତ ନିର୍ବାଚନରେ ହଟ୍ ସିଟ୍ ରୂପେ ପରିଗଣିତ ହେଉଥିବାବେଳେ ଜାତୀୟସ୍ତରରେ ମଧ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି। ରାଜ୍ୟରେ ୨ ପ୍ରମୁଖ ଦଳ ବିଜେପି ଓ ବିଜେଡିର ହେଭିୱେଟ ନେତାମାନଙ୍କ ମଧ୍ୟରେ ଏଠାରେ ଲଢ଼େଇ ହେଉଥିବାବେଳେ ଉଭୟ ଦଳ ପାଇଁ ଏବେ ସମ୍ବଲପୁର ଲୋକସଭା ଓ ବିଧାନସଭା ଆସନ ଜିତିବା ସମ୍ମାନର ବିଷୟ ପାଲଟିଛି। ସକାଳୁ ସକାଳୁ ପ୍ରଚାରକୁ ଜୋରଦାର କରିଛନ୍ତି ସମ୍ବଲପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ପ୍ରଥମେ ସିଭିଲ ସୋସାଇଟିର ସଦସ୍ୟଙ୍କୁ ଭେଟି ଆଲୋଚନା କରିବା ସହ ବିଜେଡି ସପକ୍ଷରେ ଭୋଟ ଦେବାକୁ ନିବେଦନ କରିଥିଲେ । ସଦସ୍ୟମାନେ ପ୍ରଣବଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ସମର୍ଥନ ଘୋଷଣା କରିଛନ୍ତି ।
ପରେ ବ୍ରହ୍ମକୁମାରୀ ଭଉଣୀମାନଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ ପ୍ରଣବ । ପ୍ରଣବ ପହଞ୍ଚିବା ପରେ ବ୍ରହ୍ମକୁମାରୀମାନେ ତାଙ୍କୁ ସ୍ବାଗତ କରି ପ୍ରାର୍ଥନା ଗୃହକୁ ନେଇଥିଲେ । ସେଠାରେ ପ୍ରାର୍ଥନା ପରେ ସମସ୍ତ ଭଉଣୀ ଏବଂ ଭାଇମାନେ ପ୍ରଣବଙ୍କୁ ଆଶୀର୍ବାଦ ଦେଇଥିଲେ । ଏହାସହ ସମ୍ବଲପୁରର ସାମଗ୍ରିକ ବିକାଶ ପାଇଁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ସମୂହ ପ୍ରାର୍ଥନା କରାଯାଇଥିଲା ।
ପରେ ରାଧେ ଗୋବିନ୍ଦ ଧାମରେ ପହଞ୍ଚିଥିଲେ ବିଜେଡି ସମ୍ବଲପୁର ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଏବଂ ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀ । ରାଧେଗୋବିନ୍ଦ ଧାମର ସଦସ୍ୟମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ଭଲମନ୍ଦ ପଚାରି ବୁଝିଥିଲେ ପ୍ରଣବ । ଏହି ଅବସରରେ ପ୍ରଣବ କହିଥିଲେ, ‘ସମ୍ବଲପୁରବାସୀଙ୍କ ଅକୁଣ୍ଠ ସମର୍ଥନ ମିଳୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁଧର୍ମ ଓ ସବୁବର୍ଗର ଲୋକଙ୍କୁ ଭଲପାଆନ୍ତି । ତେଣୁ ସମ୍ବଲପୁରରେ ବିଜେଡି ସାଂସଦ ଆସନ ସହିତ ସମସ୍ତ ବିଧାନସଭା ଆସନରେ ବିଜୟୀ ହେବ ।’
ଆପଣ ଏହି ଭିଡିଓ କୁ ମଧ୍ୟ ପସନ୍ଦ କରି ପାରନ୍ତି