ସମ୍ବଲପୁର: (ସଞ୍ଜୟ ମହାନ୍ତି )ଆଗାମୀ ୨୫ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ସମ୍ବଲପୁରର ବିକାଶ ପାଇଁ ଭୋଟ ଦିଅନ୍ତୁ ବୋଲି ପୂର୍ବତନ କାଉନସିଲର ତଥା ଆଇନଜୀବୀ ଭକ୍ତ ପ୍ରସାଦ ମିର୍ଦ୍ଧା ଅନୁରୋଧ କରିଛନ୍ତି।  ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ ମନ୍ଦିରର ପୁନଃ ପରିବର୍ତ୍ତନ ପାଇଁ ଲୋକେ ଅନେକ ଖୁସି ଅଛନ୍ତି। ଯାହାକି ବିଗତ ଅନେକ ବର୍ଷର ବିଜେପିର ଶାସନ ମଧ୍ୟରେ ହୋଇ ପାରି ନ ଥିଲା। ବିଗତ ୫ ବର୍ଷ ମଧ୍ୟରେ ବିଧାୟକ ଜୟନାରାୟଣ ମିଶ୍ର ଓ ଲୋକସଭା ସାଂସଦ ନିତେଶ ଗଙ୍ଗଦେବ ସେଭଳି କିଛି କାର୍ୟ୍ୟ କରିଥିବାର ନଜରକୁ ଆସୁନାହିଁ। ଏଣୁ ସମ୍ବଲପୁରର ବହୁମୁଖୀ ବିକାଶ ପାଇଁ ବିଜେଡି ସପକ୍ଷରେ ମତଦାନ କରିଲେ ତାହା ସମ୍ବଲପୁରବାସୀଙ୍କ ପାଇଁ ଆଗାମୀ ଦିନରେ ବେଶ ସହାୟକ ହେବ ବୋଲି ସମ୍ବଲପୁର ସିନିୟର ସିଟିଜେନର ବିଶ୍ୱାସ ଥିବା ଶ୍ରୀ ମିର୍ଦ୍ଧା କହିଛନ୍ତି।

ସେପଟେ ପୁଣି କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶାଣିତ ସମାଲୋଚନା କଲେ ପ୍ରଣବ ପ୍ରକାଶ ଦାସ । କହିଲେ- ବାହାର ରାଜ୍ଯର ନେତାଙ୍କ ସହ ମିଶି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାବଦରେ ଅପମାନସୂଚକ ମନ୍ତବ୍ୟ ଦେଇଛନ୍ତି ଧର୍ମେନ୍ଦ୍ର । ଓଡ଼ିଶା ସଂସ୍କୃତି ବିରୋଧୀ କହି ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରିଛନ୍ତି ପ୍ରଣବ ।

ସୋସିଆଲ ମିଡିଆ ଏକ୍ସରେ ପ୍ରଣବ କହିଛନ୍ତି, ୨୪ ବର୍ଷ ହେଲା ସାଢ଼େ ଚାରି କୋଟି ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦ କରିଆସୁଛନ୍ତି । ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀଙ୍କୁ ଭାରି ଭଲ ପାଆନ୍ତି ଓ ନବୀନ ମଧ୍ଯ ଓଡ଼ିଶାବାସୀଙ୍କୁ ନିଜ ପରିବାର ସଦସ୍ୟ ଭଳି ଭାବି କାର୍ଯ୍ୟ କରିଥାନ୍ତି । ହେଲେ ବାହାର ରାଜ୍ୟରୁ ନେତାଙ୍କୁ ଆଣି ଓଡ଼ିଶାବାସୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ବାବଦରେ ଅପମାନସୂଚକ ମନ୍ତବ୍ୟ ଦେଉଛି ବିଜେପି । ଅଶୋଭନୀୟ ଶବ୍ଦ ପ୍ରୟୋଗ କରିବା ଓଡ଼ିଶା ବିଜେପିକୁ ଆଦୌ ଶୋଭାଦେଉନି । ନିଜେ ଧର୍ମେନ୍ଦ୍ର ପ୍ରଧାନ ମଧ୍ଯ ସେମାନଙ୍କ ସହ ମିଶି ସମାନ ଭାଷା ବ୍ୟବହାର କରିବା ଓଡ଼ିଶା ସଂସ୍କୃତି ବିରୋଧୀ ।

ସେ କହିଛନ୍ତି, ବାହାରୁ ଆସୁଥିବା ନେତା ଆମ ଅତିଥି, ସେଥିପାଇଁ ଆମେ ବିଶେଷ କିଛି ପ୍ରତିକ୍ରିୟା ରଖୁ ନଥିଲୁ, କାରଣ ବିଜେଡି ସବୁବେଳେ ଓଡ଼ିଶାର ସଂସ୍କୃତିକୁ ପାଳନ କରେ । ଗତ ୧୦ ବର୍ଷ ହେଲା ଓଡ଼ିଶା ବିଜେପି ନେତା ସବୁବେଳେ ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ମନ୍ତବ୍ୟ ଦେଇ ଆସୁଛନ୍ତି । କାରଣ ସେମାନଙ୍କ ନିକଟରେ ଆଉ କିଛି ମୁଦ୍ଦା ନାହିଁ ।

ଧର୍ମେନ୍ଦ୍ରଙ୍କ ଅପରାଗତା ପେଡ଼ି ଖୋଲି ପ୍ରଣବ କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ଓ ସମଲେଇ ପ୍ରକଳ୍ପକୁ ବିରୋଧ କରିଥିବା ଧର୍ମେନ୍ଦ୍ର ପ୍ରଧାନ ଏନଏଚ-୫୫ କାମ କିଭଳି ଶୀଘ୍ର ସରିବ ସେନେଇ ତତ୍ପରତା ଦେଖାଇନାହାନ୍ତି । ଯେଉଁଥିପାଇଁ ହଜାର ହଜାର ଲୋକଙ୍କ ଜୀବନ ଯାଇଛି । ମହାନଦୀ ପ୍ରସଙ୍ଗରେ ଧର୍ମେନ୍ଦ୍ର ଛତିଶଗଡ଼ ପାଇଁ କରିଥିବା ଓକିଲାତି କାହାକୁ ଅଛପା ନାହିଁ ।

ସମ୍ବଲପୁର ସଭାରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ପଚାରିଥିବା ପ୍ରଶ୍ନର ଗୋଟିଏ ବି ଉତ୍ତର ଦେଇପାରିଲେନି ଧର୍ମେନ୍ଦ୍ର । କାରଣ ସେ ଗତ ୧୦ ବର୍ଷ ମଧ୍ୟରେ କିଛି ବି କାମ କରିନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ମିଛ ପ୍ରଚାର ହେଉ ଅବା ଓଡ଼ିଶାର ବିକାଶକୁ ବିରୋଧ କରିବାର ମାନସିକତା, ବିଜେପିର ମିଛକୁ ଓଡ଼ିଶାବାସୀ ଜାଣି ସାରିଲେଣି । ଏଭଳି ଡାହା ମିଛକୁ ସେମାନେ ଆଦୌ ଗ୍ରହଣ କରୁନାହାନ୍ତି । ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ତିନି ଚତୁର୍ଥାଂଶ ଆସନ ସହ ଜୁନ ୯ ତାରିଖରେ ଷଷ୍ଠ ଥର ପାଇଁ ନବୀନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ପ୍ରଣବ ଦୃଢୋକ୍ତି ପ୍ରକାଶ କରିଛନ୍ତି ।