ଭୁବନେଶ୍ବର: (ସଞ୍ଜୟ ମହାନ୍ତି )ଶାସକ ଦଳ ଓ ମୁଖ୍ୟ ବିରୋଧୀ ଦଳ ଭିତରେ ମେଣ୍ଟ। ଏହା ଅତ୍ୟନ୍ତ ଅବାସ୍ତବ ଲାଗୁଥିଲେ ବି ଏମିତି ଏକ ସମ୍ଭାବନା ଭିତରେ ଓଡ଼ିଶାରେ ବାଜିଥିଲା ନିର୍ବାଚନ ଘଣ୍ଟି। କିନ୍ତୁ ଅଧାରୁ ଅଟକିଗଲା ବିଜେଡି-ବିଜେପି ମଧ୍ୟରେ ଏହି ମେଣ୍ଟ ଆଲୋଚନା। ତା’ପରେ ପୂରା ଜୋର୍ ଦେଇ ଉଭୟ ପରସ୍ପର ବିରୋଧରେ ଲଢ଼ିଲେ। ଆଉ ପ୍ରଚାର ବେଳେ ବ୍ୟକ୍ତିଗତ ଆକ୍ଷେପ ଛାଇଗଲା। କଂଗ୍ରେସ ବି ପଛରେ ପଡ଼ିଲାନି। କିଛି ନିର୍ଦ୍ଦିଷ୍ଟ ଆସନରେ ପୂରା ଦମ୍‌ରେ ଲଢ଼ିଲା ଦଳ।ଗୋଟିଏ ପଟେ ଷଷ୍ଠ ଥର କ୍ଷମତା ଦଖଲ ପାଇଁ ବିଜେଡି ପ୍ରସ୍ତୁତ କରିଥିଲା ବଡ଼ ରଣନୀତି। ଅନ୍ୟପଟେ ବିଜେଡି ଠାରୁ କ୍ଷମତା ଛଡ଼ାଇବାକୁ ବିଜେପି କରିଥିଲା ଯୋଜନାବଦ୍ଧ ଉଦ୍ୟମ। ଆଉ କଂଗ୍ରେସ ବି ସ୍ଥିତି ମଜଭୁତ କରିବାର ସୁଯୋଗ ଛାଡ଼ିଲାନି। ଦଳର ବଡ଼ ବଡ଼ ନେତାମାନେ ସିଧାସଳଖ ଲଢ଼ିବା ପାଇଁ ମଇଦାନକୁ ଡେଇଁ ପଡ଼ିଲେ। ଏମିତି ଏକ ଗରମାଗରମ ପରିବେଶରେ ନିର୍ବାଚନ ପ୍ରଚାର ଶେଷ ହୋଇଛି। ଦିନକ ପରେ ଶେଷ ପର୍ଯ୍ୟାୟ ମତଦାନ ହେବ। ଆଉ ସମସ୍ତଙ୍କ ଅପେକ୍ଷା ଏବେ ୪ ତାରିଖକୁ। ଜଣାପଡ଼ିଯିବ, କାହା ରଣନୀତି ସଫଳ ହେଲା, କିଏ ବିଫଳ ହେଲା। ସ୍ପଷ୍ଟ ହୋଇଯିବ, ୯ ତାରିଖରେ ବିଜେଡି ଷଷ୍ଠ ଥର ସରକାର ଗଠନ କରିବ କି ୧୦ ତାରିଖରେ ବିଜେପି ପ୍ରଥମ ଥର ସରକାର ଗଢ଼ିବ? କ୍ଷମତା ଖେଳରେ କଂଗ୍ରେସର ଭୂମିକା କ’ଣ ରହିବ?

ଅନ୍ୟ ପଟେ ବିଜେଡି ନିଜର ସମ୍ପୂର୍ଣ ଶକ୍ତି ଲଗାଇ ସଂଖ୍ୟା ଗରିଷ୍ଠତା ହାସଲ ପାଇଁ ଲାଗିପଡ଼ିଥିଲା । କିନ୍ତୁ ଅନ୍ୟ ପଟରେ ବିଜେପି ମଧ୍ୟ ବିଜେଡି ର ସମସ୍ତ ରଣ କୌଶଳ କୁ ସାମ୍ନା କରି ତାର ରଣ କୌଶଳ କରିଥିଲା। ଓଡ଼ିଶା ରେ ମୁଖ୍ୟତ ନରେନ୍ଦ୍ର ମୋଦୀ ଓ ନବୀନ ପଟନାୟକ ଙ୍କ ମଧ୍ୟ ରେ ନିର୍ବାଚନ ସୀମିତ ହୋଇଛି। ଏଠାରେ କୌଣସି ପ୍ରାର୍ଥୀ ଙ୍କ ପାଇଁ ଭୋଟର ମାନେ ନିଜ ର ମତା ମତ ରଖୁ ନଥିବା ଦେଖା ଦେଇଛି। କେନ୍ଦ୍ର ରେ ନରେନ୍ଦ୍ର ମୋଦୀ ପ୍ରଧାନ ମନ୍ତ୍ରୀ ଓ ଓଡ଼ିଶା ରେ ନବୀନ ପଟନାୟକ ଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ପ୍ରାୟ ନିଶ୍ଚିତ କରିସାରିଛନ୍ତି । ମାତ୍ର ଅଧିକାଂଶ ଭୋଟର ଭୋଟ ଦେଲା ବେଳେ ଗୋଟେ  ଶଙ୍ଖ ଓ ଗୋଟେ ପଦ୍ମ କୁ ଦେବା ପାଇଁ ପ୍ରାୟ ସ୍ଥିର କରିଛନ୍ତି । ଯଦି ଏପରି ହୁଏ ତେବେ ଅଧିକାଂଶ ସ୍ଥାନରେ ଭୁଲ ଭାଲ ରେ ଏପଟ ସେପଟ ହେବାର ଆଶଙ୍କା କୁ ଏଡାଇ ଦିଆ  ନଯାଇପାରେ।

ରାଜ୍ୟରେ ସରକାର ପରିବର୍ତ୍ତନର ନାରା ଦେଇ ବିଜେପି ଜୋର୍‌ଦାର ପ୍ରଚାର କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ସମେତ ବହୁ କେନ୍ଦ୍ରୀୟ ନେତା ଘନ ଘନ ଓଡ଼ିଶା ଆସି ପ୍ରଚାର କରିଥିଲେ। ଓଡ଼ିଆ ଅସ୍ମିତା, ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟ, ତାମିଲ ବାବୁଙ୍କ ଶାସନ, ରତ୍ନଭଣ୍ଡାର ଚାବି ହଜିବା ଆଦିକୁ ପ୍ରସଙ୍ଗ କରି ଲୋକଙ୍କ ନିକଟତର ହେବାକୁ ବିଜେପି ଉଦ୍ୟମ କରିଥିଲା। ନିଜେ ପ୍ରଧାନମନ୍ତ୍ରୀ ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଅତ୍ୟନ୍ତ କଡ଼ା ଭାଷାରେ ଭର୍ତ୍ସନା କରିଥିଲେ।

ଅମିତ ଶାହ ମଧ୍ୟ ରାଜ୍ୟ ସରକାରଙ୍କ ପ୍ରତି କଠୋର ଆଭିମୁଖ୍ୟ ଦେଖାଇଥିଲେ। ଶେଷ ପର୍ଯ୍ୟାୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନୀ ବୈଷ୍ଣବ ବିଭିନ୍ନ ଜାଗାକୁ ଘନ ଘନ ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାରାଥନ୍ ପ୍ରଚାର କରିଥିଲେ। ଉଭୟ ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନ୍‌ଙ୍କୁ ବିଜେପି ନେତାମାନେ ଆକ୍ରମଣ କରିଥିଲେ। ପ୍ରଚାର ଦୃଷ୍ଟିରୁ କଂଗ୍ରେସ ଅନ୍ୟ ଦୁଇ ଦଳ ତୁଳନାରେ ପଛରେ ପଡ଼ିଥିଲା ସତ, କିନ୍ତୁ ରାହୁଲ ଗାନ୍ଧୀ ତିନି ଥର ଓଡ଼ିଶା ଆସି ଦଳୀୟ କର୍ମୀଙ୍କ ମନୋବଳ କିଛି ମାତ୍ରାରେ ବଢ଼ାଇଥିଲେ। ପୁଣି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖଡ୍‌ଗେ ମଧ୍ୟ ନିର୍ବାଚନୀ ପ୍ରଚାରରେ ସାମିଲ ହୋଇଥିଲେ।

ସେପଟେ ଭାରତୀୟ ଜନତା ପାର୍ଟି ର ଶୀଟ୍  ସଂଖ୍ୟା ଅନ୍ୟ ରାଜ୍ୟ ରେ କମି ପାରେ। ତେଣୁ ଦଳ ଓଡ଼ିଶା କୁ ନିଜ ଅକ୍ତିୟାର ରେ ନେବା ପାଇଁ ସମ୍ପୂର୍ଣ ଶକ୍ତି ଲଗାଇ ପାରେ । ଯଦି ଓଡ଼ିଶା ରେ ଭାରତୀୟ ଜନତା ପାର୍ଟି ସଂଖ୍ୟା ଗରିଷ୍ଠତା ହାସଲ ନ କରି ପାରେ ଓ ସଂଖ୍ୟା ରୁ କିଛି କମ ହୁଏ ତେବେ ବିଜେପି ଦଳ ଅନ୍ୟ ଦଳ ରୁ କିଛି ବିଧାୟକ ଙ୍କୁ ନେଇ ଘୋଡା ବେପାର କରି ପାରେ।ସେ ଯାହା ହେଉ ତାହା ସମୟ ହି କହିବ। ଏବେ ଦେଖିବାକୁ ବାକି ରହିଲା କେଉ ଦଳ କୁ ଜନତା ଅଧିକ ଭୋଟ ଦେଉଛି।