ଭୁବନେଶ୍ବର: ନବୀନ ନିବାସରେ ବିଜେଡିର ପରାଜିତ ବିଧାୟକ ଓ ସାଂସଦ ପ୍ରାର୍ଥୀ । ସମସ୍ତେ ନବୀନ ନିବାସ ଯାଇ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ସାକ୍ଷାତ ପରେ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି, ଦଳର ଆଗାମୀ ରଣନୀତି ସମ୍ପର୍କରେ ସଭାପତିଙ୍କ ସହ ଆଲୋଚନା ହୋଇଛି । ଦଳର ପରାଜୟର ସମୀକ୍ଷା ନେଇ ଏକ କମିଟି ଗଠନ ହେବ । ମୁଖ୍ଯମନ୍ତ୍ରୀଙ୍କ ନିର୍ଦ୍ଦେଶରେ କମିଟି ଗଠନ ହୋଇ ଏହାର ରିପୋର୍ଟ ଆଧାରରେ ପରବର୍ତ୍ତୀ ରଣନୀତି ପ୍ରସ୍ତୁତ ହେବ । ଲୋକଙ୍କ ମତକୁ ବିଜେଡି ସମ୍ମାନ ଦେଉଛି ।
.
ବିଜେଡି ବୈଠକ ସରିବା ପରେ ଗଣମାଧ୍ୟମକୁ ବିଜେଡିର ନେତାମାନେ ଭେଟିଥିଲେ । କିନ୍ତୁ ଯାହାଙ୍କୁ ବିଜେଡିର ସର୍ବେସର୍ବା କୁହାଯାଉଥିଲା ସେ କିନ୍ତୁ କ୍ୟାମେରା ସାମ୍ନାକୁ ଆସି ନଥିଲେ । ସେପେଟ ବିଜେଡି ଏଭଳି ଅପ୍ରତ୍ୟାଶିତ ପରାଜୟର କାରଣ ଖୋଜିବା ଆରମ୍ଭ କରିଦେଇଛି ଦଳ ।
ନିର୍ବାଚନରେ ପରାଜୟର କାରଣ ଖୋଜିବାକୁ ବିଜୁ ଜନତା ଦଳ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବ । ଏହି କମିଟିରେ ରହିବେ ଦଳର ବରିଷ୍ଠ ନେତା । କମିଟି ସମସ୍ତ ଦିଗକୁ ତନ୍ନତନ୍ନ କରି ଅନୁଧ୍ୟାନ କରି ପରାଜୟର କାରଣ ଖୋଜିବ । ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ କରି ଦଳର ହାଇକମାଣ୍ଡଙ୍କ ନିକଟରେ ଦାଖଲ କରାଯିବ ।
ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ କୌଣସି କାର୍ଯ୍ୟବଶତଃ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଦିଲ୍ଲୀ ଗସ୍ତରେ ଅଛନ୍ତି । ହେଲେ କେତେକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ତାଙ୍କ ଦିଲ୍ଲୀ ଗସ୍ତକୁ ନେଇ ଅତ୍ୟନ୍ତ ଅରୁଚିକର, ତଥ୍ୟ ବିହୀନ, ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ ଓ ବିଭ୍ରାନ୍ତିକର ଖବର ପ୍ରସାରଣ କରୁଛନ୍ତି । ଏପରି ଅରୁଚିକର ଓ ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ ଖବର ପ୍ରସାରଣରୁ କ୍ଷାନ୍ତ ରହିବାକୁ ସମ୍ପୃକ୍ତ ଗଣମାଧ୍ୟମକୁ ଅନୁରୋଧ କରିଛି ବିଜେଡି ।