ହରଭଙ୍ଗା(ଚିତ୍ତରଞ୍ଜନସିଂ):- ଆନ୍ଧ୍ରପ୍ରଦେଶର ବିଜୟୱାଡାରେ ଜନ୍‌ ୨୯ ତାରିଖରୁ ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ତୀରନ୍ଦାଜ ଚମ୍ପିଆନସିପ ପାଇଁ ବୌଦ୍ଧର ୫ ତୀରନ୍ଦାଜ ମନୋନୀତ ହୋଇଛନ୍ତି । ଜାତୀୟ ତୀରନ୍ଦାଜ ଚମ୍ପିଆନସିପ ସକାଶେ ଜୁନ୍‌ ୬ ତାରିଖରେ କିସ୍‌ ଭୁବନେଶ୍ୱରରେ ହୋଇଥିବା ଚୟନ ପ୍ରକ୍ରିୟାରେ ବୌଦ୍ଧ ଜିଲ୍ଲା ତୀରନ୍ଦାଜ ସଂଘ ତରଫରୁ ପ୍ରଶିକ୍ଷକ ମାନସ ମୁଣ୍ଡା, ଟିମ୍‌ ମ୍ୟାନେଜର ଇନ୍ଦ୍ରମଣି ମେହେର ଓ ସନ୍ତୋଷିନୀ ମେହେରଙ୍କ ତତ୍ତ୍ୱାବଧାନରେ ୬ ଜଣ ତୀରନ୍ଦାଜ ଅଂଶଗ୍ରହଣ କରିଥିଲେ ।

ଅଣ୍ଡର ୧୩ ବର୍ଗ (ଇଣ୍ଡିଆନ ରାଉଣ୍ଡ) ବାଳକ ବିଭାଗରେ ଅମ୍ଳାନ କଅଁର ପ୍ରଥମ ସ୍ଥାନ, ବାଳିକା ବିଭାଗରେ ସାନଭି ମେହେଟ୍ଟା ପ୍ରଥମ ସ୍ଥାନ, ପ୍ରିୟଙ୍କା ପ୍ରିୟଦର୍ଶିନୀ ବେହେରା ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ଅଣ୍ଡର ୧୫ ବର୍ଗ ବାଳିକା ବିଭାଗରେ ସାନ୍ତ୍ରିପ୍ତି ସାହୁ ୬ଷ୍ଠ ଓ ପ୍ରାଚୀପ୍ରଭା ମେହେର ୯ମ ସ୍ଥାନ ଅଧିକାର କରିଛନ୍ତି । କମ୍ପାଉଣ୍ଡ ରାଉଣ୍ଡ ଅଣ୍ଡର ୧୫ ବର୍ଗ ବାଳକ ବିଭାଗରେ ଆଦିତ୍ୟ ଅଗ୍ରୱାଲା ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଅଣ୍ଡର ୧୫ ବାଳକ ବିଭାଗରେ ଇଣ୍ଡିଆନ ରାଉଣ୍ଡରେ କେଉଁଝର ସ୍ପୋର୍ଟସ ହଷ୍ଟେଲରେ ପ୍ରଶିକ୍ଷଣ ନେଉଥିବା ବୌଦ୍ଧର ଦୁର୍ଗାଦତ୍ତ ମେହେର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି l

ଏମାନଙ୍କ ମଧ୍ୟରୁ ଅମ୍ଳାନ କଅଁର, ସାନଭି ମେହେଟ୍ଟା, ପ୍ରିୟଙ୍କା ପ୍ରିୟଦର୍ଶିନୀ ବେହେରା, ଆଦିତ୍ୟ ଅଗ୍ରୱାଲା ଏବଂ ଦୁର୍ଗାଦତ୍ତ ମେହେର ବିଜୟୱାଡାରେ ଜାତୀୟ ତୀରନ୍ଦାଜ ଚାମ୍ପିଆନସିପରେ ଅଂଶଗ୍ରହଣ କରିବେ । ଏହି ସଫଳତା ପାଇଁ ବୌଦ୍ଧ ଜିଲ୍ଲା ତୀରନ୍ଦାଜ ସଂଘର କର୍ମକର୍ତ୍ତା, ଅଭିଭାବକ ଅଭିଭାବିକା, କ୍ରୀଡାପ୍ରେମୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି ।