ଧର୍ମଗଡ଼,ତା୧୨/୭(ନି.ପ୍ର)- ସରକାର ଧାନ ବ୍ୟତୀତ ପାରମ୍ପରିକ ପୌଷ୍ଟିକ ଯୁକ୍ତ ଆହାର‌ ପାଇଁ ମିଲେଟ ଚାଷକୁ ଏକ ମିଶନରେ ନେଇଥିଲେ। କଳାହାଣ୍ଡିରେ କୋକସରା, ଗୋଲାମୁଣ୍ଡା ଓ ମଦନପୁର ରାମପୁର ବ୍ଳକକୁ ପାଇଲଟ ପ୍ରୋଜେକ୍ଟ‌ ହିସାବରେ ନେଇ ମିଲେଟ ଚାଷ ବିଶେଷତଃ ମାଣ୍ଡିଆ ଚାଷକୁ ଗୁରୁତ୍ବ ଦିଆଯାଉଛି। କିନ୍ତୁ ଏଥିରେ ବ୍ଯାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଅନେକ ସ୍ଥାନରେ କେବଳ କାଗଜପତ୍ରରେ ମାଣ୍ଡିଆ ଚାଷ ହେଉଥିବା ଅଭିଯୋଗ ହୋଇଛି। ବୁଧବାର କୋକସରା ସମିତି ବୈଠକରେ ଏନେଇ ଉଦବେଗ ପ୍ରକାଶ ପାଇଥିଲା। ବ୍ଳକ ଅଧ୍ୟକ୍ଷ ରାଜୁ ଅଗ୍ରଓ୍ଵାଲ ପ୍ରଥମେ ଏହି ପ୍ରସଙ୍ଗ ଉଠେଇଥିଲେ।

ବୈଠକରେ ଉପସ୍ଥିତ ଧର୍ମଗଡ଼ ବିଧାୟକ ସୁଧୀର ପାଟ୍ଟଯୋଷୀ ମଧ୍ୟ ମିଲେଟ ମିଶନ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ପଚାରିଥିଲେ। ସୁଚନା ଯୋଗ୍ୟ ଯେ ମିଲେଟ ମିଶନରେ ଚାଷ ପାଇଁ ହିତାଧିକାରୀଙ୍କୁ ବିହନ ଯୋଗାଣ ସହ ପ୍ରୋତ୍ସାହନ ରାଶି ମଧ୍ୟ ପ୍ରଦାନ କରାଯାଏ। ୭୫୦୦-୪୫୦୦ ମଧ୍ୟରେ ଏହି ପ୍ରୋତ୍ସାହନ ରାଶି ମିଳିଥାଏ। ଅମଳ ପରେ ତା’ର ବିକ୍ରୟ ବ୍ୟବସ୍ଥା ମଧ୍ୟ ସରକାରୀ ସ୍ତରରେ ହୋଇଥାଏ। କିନ୍ତୁ କୋକସରାରେ କମ ଜମିରେ ଚାଷ ହୋଇ ବ୍ୟାପକ ଚାଷ ହୋଇଥିବା କାଗଜପତ୍ରରେ ଦର୍ଶାଯାଇଥିବା ଅଭିଯୋଗ ହୋଇଛି। ଏପରିକି କିଛି ହିତାଧିକାରୀଙ୍କୁ ଦୁଇ ଶହ ଲେଖାଏଁ ଟଙ୍କା ଦେଇ ସେମାନଙ୍କ ଠାରୁ ବାକିତକ ପ୍ରୋତ୍ସାହନ ରାଶି ଉଠାଣ କରାଯାଇଥିବା ଅଭିଯୋଗ ହୋଇଛି। ଏହା ସହ ପ୍ରୋକ୍ଯୁରମେଣ୍ଟ ନାଁ ରେ ମଧ୍ୟ ରାଜ୍ୟ ବାହାରୁ ମାଣ୍ଡିଆ ଆଣି ପୁଣି ଥରେ ତାକୁ ଏଠାରେ କ୍ରୟ କରାଯାଇ ସରକାରୀ ଅର୍ଥ ଲୁଟ କରୁଥିବା ଅଭିଯୋଗ ହେଉଛି।ମିଲେଟ ମିଶନ ଯୋଜନାର ସମସ୍ତ ତଥ୍ୟ ପ୍ରଦାନ କରିବାକୁ ବୈଠକରେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି।

ସୁଚନା ଯୋଗ୍ୟ ଯେ କୋକସରାରେ ପ୍ରଥମ ପର୍ଯ୍ୟାୟରେ ୫୫୫ ହେକ୍ଟରରେ ଚାଷ କରାଯାଇଥିଲା। ଚଳିତ ବର୍ଷ ୮୮୫ ହେକ୍ଟର ଜମିରେ ମିଲେଟ ଚାଷ ପାଇଁ ଲକ୍ଷ୍ୟ ରଖାଯାଇଛି। ୨୦୧୬ ମସିହାରେ ତତ୍କାଳୀନ ବିଜେଡି ସରକାର ଏହି ଯୋଜନା ଆରମ୍ଭ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଅର୍ଥାତ୍ ୨୦୧୭-୧୮ରେ ୭ଟି ଜିଲ୍ଲାର ୩୦ଟି ବ୍ଳକ,୨୦୨୦-୨୧ରେ ୧୫ଟି ଜିଲ୍ଲାର ୮୪ ବ୍ଳକ,୨୦୨୨-୨୩ରେ ୧୯ଟି ଜିଲ୍ଲାର ୧୪୨ ବ୍ଳକକୁ ସଂପ୍ରାସାରଣ କରାଯାଇଥିଲା। ତେବେ ଏହି ମିଶନରେ ଚାଷୀ ଲାଭବାନ ହେବା ବଦଳରେ ଏନଜିଓ ମାଲିକମାନେ ମାଲେମାଲ ହେଉଥିବା ଅଭିଯୋଗ ହେଉଛି।