ମୁନିଗୁଡା : (ରମାକାନ୍ତ ପୋଡାଲ )ଜନ୍ମବେଦୀରେ ଶେଷ ହୋଇଛି ଚତୁର୍ଦ୍ଧାବିଗ୍ରହଙ୍କ ଲୀଳା | ମହାରଣା ,ସେବକ ଓ କମିଟି ପକ୍ଷରୁ ଯାଞ୍ଚ କରାଯିବା ପରେ ବାହୁଡ଼ା ଯାତ୍ରା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଥିଲା। ମାଉସୀ ମା ମନ୍ଦିରରେ ୯ ଦିନ ରହଣି ପରେ ବାହୁଡ଼ିଲେ କାଳିଆ ଠାକୁର । ପ୍ରଭୁ ଦଧିବାମନ ରଥାରୂଢ଼ ହୋଇ ହଜାର ହଜାର ଭକ୍ତ ମାନଙ୍କୁ ଦର୍ଶନ ଦେବା ସହ ଦାରୁବିଗ୍ରହ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଛନ୍ତି। ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ମଙ୍ଗଳ ଆଳତି , ସୂର୍ଯ୍ୟ ପୂଜା, ମଙ୍ଗଳାର୍ପଣ ହୋଇ ବାହୁଡ଼ା ପହଣ୍ଡି ଆରମ୍ଭ ହୋଇଥିଲା ।
ସନ୍ଧ୍ୟା ୫ଟାରେ ଆରମ୍ଭ ହୋଇଯାଇଥିଲା ରଥ ଟଣା। ଏହି ବାହୁଡା଼ ଯାତ୍ରାରେ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା। ଜନ ସମାଗମ ଲକ୍ଷ୍ୟ କରି ଆମ୍ବାଦଳା ପୋଲିସ ଓ ଦଧିବାମନ କମିଟି ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ବାହୁଡା଼ ଯାତ୍ରାରେ ଡାହୁକ ଭାବରେ ତ୍ରିନାଥ ପାତ୍ର, ଘୋଷକ ଅରୁଣ କୁମାର ସାହୁ ରଥ ଟଣା ପରିଚାଳନା କରିଥିବା ବେଳେ ବି.ତ୍ରିପତି ପାତ୍ର, ନାଗେଶ୍ଵର ପାତ୍ର ଘଣ୍ଟୁଆ ଭାବରେ କାର୍ଯ୍ୟ ତୁଲାଇଥିଲେ।ପୁରୋହିତ ଭାବରେ ଅକ୍ଷୟ କୁମାର ରଥ, ବିପିନ ବିହାରୀ କର, ବିବେକାନନ୍ଦ ନନ୍ଦ, ବିଜୟ ମିଶ୍ର ଉପସ୍ଥିତ ରହି ମହାପ୍ରଭୁ ଦଧିବାମନଙ୍କ ପୂଜା କାର୍ଯ୍ୟ ତୁଲାଇ ଥିବା ବେଳେ ସେବକ ପିଣ୍ଟୁ ତ୍ରିପାଠୀ, କୁଞ୍ଜ ତ୍ରିପାଠୀ ପ୍ରମୁଖ ସେବା କାର୍ଯ୍ୟ କରିଥିଲେ। ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ଶନିବାର ଦିନ ଆମ୍ବାଦଳା ବାହୁଡା଼ ଯାତ୍ରା ଦିନ ଦଧିବାମନ କମିଟି ପକ୍ଷରୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।