ଚିଲଚିଲା ବସଷ୍ଟାଣ୍ଡ ନିର୍ମାଣ ହୋଇଛି ଗୋଡଭଞ୍ଜା ଛକରେ ବୋର୍ଡରେ ଲେଖାଅଛି ଚିଲଚିଲା ଛକ ବସଷ୍ଟାଣ୍ଡ। ବସଷ୍ଟାଣ୍ଡ ନିର୍ମାଣ ହୋଇଛି ଚିଲଚିଲା ଠାରୁ ୪କିମି ଦୂର ଗୋଡଭଞ୍ଜା ଗୋଲେଇ ଛକରେ। ଏହାକୁ ନେଇ ସୋମବାର ଧର୍ମଗଡ଼ ଠାରେ ଆୟୋଜିତ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିରରେ ଚିଲଚିଲା ଗ୍ରାମବାସୀ ଅଭିଯୋଗ କରିଥିଲେ ।

ଧର୍ମଗଡ଼ ତା ୧୫/୭/୨୪ (‌ ହେମନ୍ତ କୁମାର ମାଝୀ)ଅଭିଯୋଗ ଅନୁଯାୟୀ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ତତ୍କାଳୀନ ନବୀନ ସରକାର ବ୍ଳକ ମୁଖ୍ୟାଳୟ ସହ ଗ୍ରାମାଞ୍ଚଳକୁ ପରିବହନ ସେବା ଯୋଗାଇଦେବା ନାମରେ ଲକ୍ଷ୍ମୀ ବସ ଯୋଜନା ଆରମ୍ଭ କଲେ। ଏଥିସହ ଯାତ୍ରୀମାନଙ୍କ ବସ ଅପେକ୍ଷା ପାଇଁ ୫ ଲକ୍ଷ ଟଙ୍କା ବ୍ଯୟ ଅଟକଳରେ ଲକ୍ଷ୍ମୀ ବସଷ୍ଟାଣ୍ଡ ନିର୍ମାଣ କଲେ । କେତେବେଳେ କେଉଁ ବସ୍ ଆସିବ କେଉଁ ରୁଟ ଦେଇ ଯିବ ତା’ର ସବୁ ଡିଜିଟାଲ ଡିସପ୍ଳେ ହେବ ସେଥିପାଇଁ ବସଷ୍ଟାଣ୍ଡରେ ଡିଜିଟାଲ ବୋର୍ଡ ପାଇଁ ମଧ୍ୟ ବ୍ୟୟ ଅଟକଳ ହେଲା। କାଗଜପତ୍ରରେ ଏହି ଯୋଜନା ବିଭାଗୀୟ ସମ୍ପାଦନା ହେଉଥିଲେ ମଧ୍ୟ ପ୍ରକୃତରେ ଏହା ତତ୍କାଳୀନ ଶାସକଦଳର କର୍ମୀମାନଙ୍କୁ ଆବଣ୍ଟନ କରାଯାଇଥିଲା।

ନିର୍ବାଚନ ପୂର୍ବରୁ ଏହି ସବୁ ବସଷ୍ଟାଣ୍ଡ ନିର୍ମାଣ ସରିବା କଥା। କିନ୍ତୁ ଅନେକ ସ୍ଥାନରେ ଠିକାଦାର ପୋଷା ‌ଓ ଦଳୀୟ କର୍ମୀଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ଅନେକ ସ୍ଥାନରେ ଏହାର ନିର୍ମାଣ କାର୍ଯ୍ଯ ବିଳମ୍ୱିତ ହେବା ସହ ନିମ୍ନମାନର କାମ ହୋଇଥିବା ଅଭିଯୋଗ ହେଉଛି। ତେବେ ବିନା କୌଣସି ଅନୁମୋଦନରେ ଗୋଟିଏ ଗାଁ ପାଇଁ ଅନୁମୋଦନ ଲାଭ କରିଥିବା ପ୍ରକଳ୍ପ ଅନ୍ୟ ଏକ ସ୍ଥାନରେ ସମାନ ନାମରେ ନିର୍ମାଣ ହେବା ସାଧାରଣରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।‌ସୋମବାର ଏନେଇ ଚିଲଚିଲା ଗ୍ରାମର ଢଗ ନାଏକ, ସତ୍ୟବାଦୀ ନାଏକ ପ୍ରମୁଖ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି।