କେସିଙ୍ଗା; (ପ୍ରୀତେଶ ପଟେଲ)ଦିନ କୁ ଦିନ ଟ୍ରାଫିକ୍ ସମସ୍ୟା କେସିଙ୍ଗା ସହର ରେ ବଢିବା କୁ ଲାଗିଛି ତେଣୁ ଆଜି କେସିଙ୍ଗା ଥାନା ଏସଡିପିଙ୍କ କାର୍ଯ୍ୟାଳୟରେ ସହରରେ ବିପର୍ଯ୍ୟସ୍ତ ଟ୍ରାଫିକ୍ ସମସ୍ୟାର ସମାଧାନ ପାଇଁ ଏସଡିପିଓ, ଆଇଆଇସି, ଜାତୀୟ ରାଜପଥ ଅଧିକାରୀ, ଏନ ଏ ସି ନିର୍ବାହୀ ଅଧିକାରୀ, ସାମ୍ବାଦିକ ବୃନ୍ଦ, ଚାମ୍ବର ଅଫ୍ କମର୍ସ ଓ ସ୍ଥାନୀୟ ବୁଦ୍ଧିଜୀବୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ଏସଡିପି ବିନୋଦ କୁମାର ପାଥିଲ , ଆଇଆଇସି ପ୍ରଦ୍ୟୁମ୍ନ କୁମାର ମହାପାତ୍ର, ଏନ ଏ ସି ନିର୍ବାହୀ ଅଧିକାରୀ ପ୍ରବଣ କୁମାର ଚାନ୍ଦ, ଜାତୀୟ ରାଜପଥ କେସିଙ୍ଗା ଡିଭିଜନର ଏସଡିଓ ଏବଂ କନିଷ୍ଠ ଯନ୍ତ୍ରୀଙ୍କ ସମେତ ଚାମ୍ବର ଅଫ୍ କମର୍ସର ଅନିଲ ଜୈନ, ପୂର୍ବତନ ନଗରପାଳ ରାମ କୁମାର ଜୈନ ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇ କେସିଙ୍ଗା ସହରରେ ଦେଖା ଦେଇଥିବା ବିପର୍ଯ୍ୟସ୍ତ ଟ୍ରାଫିକ୍ ସମସ୍ୟାର କାରଣ ଓ ନିରାକରଣ ଉପରେ ଆଲୋଚନା କରିଥିଲେ।
ଶେଷରେ ଆଇଆଇସି ଶ୍ରୀ ମହାପାତ୍ରଙ୍କ ପ୍ରସ୍ତାବ ଅନୁସାରେ ରାସ୍ତା କଡ଼ରେ ବସୁଥିବା ପରିବା ଦୋକାନୀମାନଙ୍କୁ ପ୍ରଥମେ ଟୋକନ ଦେଇ ଚିହ୍ନଟ କରିବା ସହ ସେମାନଙ୍କୁ ପୂର୍ବେ ବଣ୍ଟନ କରାଯାଇଥିବା ପିଣ୍ଡିକୁ ପର୍ଯ୍ୟାୟକ୍ରମେ ପୁନଃ ଫେରାଇ ଆଣିବା, ସମସ୍ତ ଫଳ ଦୋକାନୀମାନଙ୍କୂ ଗୋଟିଏ ସ୍ଥାନରେ ଥଇଥାନ କରିବା, ଛୋଟ ଛୋଟ ପରିବହନ ଗାଡିଗୁଡିକୁ ଅମ୍ବାଜୀ ମନ୍ଦିର ନିକଟକୁ ସ୍ଥାନାନ୍ତରିତ କରିବା ଏବଂ ଜାତୀୟ ରାଜପଥ ଅଧିକାରୀ ଅମାଠ ଠାରୁ ଜୋଲକୋ ପର୍ଯ୍ୟନ୍ତ ଟର୍ଣ୍ଣିଂ ପଏଣ୍ଟରେ ଥିବା ଗଛଗୁଡ଼ିକ କାଟିବା ଏବଂ ସହର ମଧ୍ୟରେ ଜାତୀୟ ରାଜପଥ କଡ଼ରେ ପାଦଚଲା ରାସ୍ତା ପାଇଁ ପିଣ୍ଡି ଭଳି ନିର୍ମାଣ କରିବାକୁ ପରାମର୍ଶ ଦେଇଥିଲେ।
ଏଥିସହିତ ଛୋଟ ଛୋଟ ପିଲାମାନେ ଯଦି ବାଇକ୍ କିମ୍ବା ସ୍କୁଟି ଚଳାନ୍ତି ସେମାନଙ୍କ ଗାଡି ଜବତ କରାଯାଇ ତାଙ୍କର ମାତା ପିତା ଙ୍କ ଠାରୁ ଆଇନ୍ ଅନୁଯାୟୀ ଜରିମାନା ଆଦାୟ କରାଯିବ ଓ ଯେଉଁମାନେ ରାସ୍ତା ଉପରେ ଗାଡି ରଖିବେ, ନିର୍ଦ୍ଧାରିତ ବେଗ ଠାରୁ ଅତି ଦ୍ରୁତ ଗତିରେ ଦୁଇ ଚକିଆ ଗାଡି ଚଳାଚଳ କରିବେ ସେମାନଙ୍କ ନିକଟରୁ ଜରିମାନା ମଧ୍ୟ ଆଦାୟ କରାଯିବ ଏବଂ ଜଗନ୍ନାଥ ମନ୍ଦିର ନିକଟସ୍ଥ ତ୍ରିମୂର୍ତ୍ତୀ ଛକରେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ୨ ଜଣ ହୋମଗାର୍ଡ ଜଗିବେ ବୋଲି ଆଇଆଇସି ଶ୍ରୀ ମହାପାତ୍ର କହିଥିଲେ।