ଧର୍ମଗଡ଼ : ତା୨୬/୭(ହେମନ୍ତ କୁମାର ମାଝୀ)ମିଲେଟ ମିଶନ ଦୁର୍ନୀତି ନେଇ ବିଭିନ୍ନ ଖବରକାଗଜରେ ଖବର ପ୍ରକାଶିତ ହେବା ପରେ ଏହି ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଧାନ ବିକ୍ରି ପାଇଁ ଅନଲାଇନ ପଞ୍ଜିକରଣ ହେଉଥିବା ବେଳେ ମାଣ୍ଡିଆ ବିକ୍ରୀ ପାଇଁ ଅଫ୍ ଲାଇନ୍ ପଞ୍ଜିକରଣ ହେଉଛି। ଏହାର ସୁଯୋଗ ନେଇ ଗୋଟିଏ ପ୍ଳଟରେ ମାଣ୍ଡିଆ ବିକ୍ରୀ ସାଙ୍ଗକୁ ଧାନ ମଧ୍ୟ ବିକ୍ରି ହୋଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏକଥାର କେତେଦୂର ସତ୍ୟତା ଅଛି ତାହା ତଦନ୍ତ କଲେ ସ୍ପଷ୍ଟ ହେବ ।

କିନ୍ତୁ ଏପରି ଚର୍ଚ୍ଚା ଏବେ ଅଞ୍ଚଳର ଚାହା ଦୋକାନ ଠୁଁ ଆରମ୍ଭ କରି ସର୍ବସାଧାରଣ ସ୍ଥାନରେ ହେଉଛି। କୋକସରା ବ୍ଳକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଓ କୋକସରା କୃଷି ଅଧିକାରୀ ଗତ କିଛି ଦିନ ତଳେ କ୍ଷେତ୍ର ପରିଦର୍ଶନବେଳେ ମାଣ୍ଡିଆ ଚାଷରେ ଅନିୟମିତତା ହୋଇଥିବା ଜାଣିବାକୁ ପାଇଥିଲେ। ଜନୈକ ହିତାଧିକାରୀ ଚାରି କ୍ଵିଣ୍ଟାଲ ଅମଳ କରିଥିଲେ ହେଁ ତାଙ୍କ ନାମରେ ଆଠ କ୍ଵିଣ୍ଟାଲ ବିକ୍ରି ହୋଇଥିବା ସେ ଉପାଧ୍ୟକ୍ଷଙ୍କ କ୍ଷେତ୍ର ପରିଦର୍ଶନ ସମୟରେ କହିଥିଲେ ଏବଂ ବାକି ଚାରି କ୍ଵିଣ୍ଟାଲ ମାଣ୍ଡିଆ ଟଙ୍କା କ୍ରୟ ସଂସ୍ଥାର ଜନୈକ କର୍ମଚାରୀଙ୍କୁ ଦେଇଥିବା ପ୍ରକାଶ କରିଥିଲେ। ତେବେ ଅସମର୍ଥିତ ସୂତ୍ରରୁ ଟାର୍ଗେଟ ପୂରଣ ପାଇଁ ବାହାର ରାଜ୍ୟରୁ ୬୦୦ କ୍ଵିଣ୍ଟାଲ ମାଣ୍ଡିଆ ଆଣିଥିବା ସୁଚନା ମିଳିଛି।

ଅନ୍ୟପଟେ କ୍ରୟ ସଂସ୍ଥାର ଜନୈକ କର୍ମଚାରୀ(ନିଜ ନାମ ଗୋପନ ରଖିବା ସର୍ତ୍ତ) ୪୦୦ କ୍ଵି ରାଜ୍ୟ ବାହାରୁ ଅଣାଯାଇଛି ବୋଲି କହିଛନ୍ତି।କଳାହାଣ୍ଡିରେ ଗତ ଖରିଫରେ ୪୭ ହଜାର କ୍ଵିଣ୍ଟାଲ ମାଣ୍ଡିଆ କ୍ରୟ ନିମନ୍ତେ ଟାର୍ଗେଟ ଆସିଥିଲା। ୧୨ଟି ଏଜେନ୍ସି ମାଧ୍ୟମରେ ୩୬ ହଜାର ୩୨୭ କ୍ଵିଣ୍ଟାଲ ମାଣ୍ଡିଆ କିଣାଯାଇଛି। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକରେ ୧୫୫୦୦କ୍ଵି ଟାର୍ଗେଟ ଥିବାବେଳେ କିଣାଯାଇଛି ୧୫୧୭୨ କ୍ଵିଣ୍ଟାଲ। ସେହିପରି ମଦନପୁର ରାମପୁର ବ୍ଳକରେ ୧୫୦୦ କ୍ଵିଣ୍ଟାଲରୁ ୧୪୪୦ କ୍ଵି, ଭବାନୀପାଟଣା ବ୍ଳକରେ ୬ହଜାର କ୍ଵି ରୁ ୫୧୧୭ କ୍ଵି, କୋକସରା ବ୍ଳକରେ ୧୫୦୦ କ୍ଵିରୁ ୧୨୬୩ କ୍ଵି, ଗୋଲାମୁଣ୍ଡା ବ୍ଳକରେ ୧ ହଜାର କ୍ଵି ରୁ ୮୧୮ କ୍ଵି,କର୍ଲାମୁଣ୍ଡାରେ ୧୫୦୦ରୁ ୧୨୦୪ କ୍ଵିଣ୍ଟାଲ ନର୍ଲା ରେ ୬୫୧୦୦ ରୁ ୪୧୩୬ କୁଇଣ୍ଟାଲ ଥୁଆମୁଲ ରାମପୁର ବ୍ଳକ ରେ ୧୩୫୦୦ କୁଇଣ୍ଟାଲ ରୁ ୭୧୭୫ କୁଇଣ୍ଟାଲ ମାଣ୍ଡିଆ କିଣାଯାଇଛି।