ହରଭଙ୍ଗା (ଚିତ୍ତରଞ୍ଜନ ସିଂ)ଅପରାହ୍ନ ୪.୩୦ ମିନିଟ ସମୟରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଡେଙ୍ଗୁ ନିବାରଣ ମାସ ପାଳନ ଓ ଅନ୍ତଃବିଭାଗୀୟ ଏକାଭିମୁଖୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଡେଙ୍ଗୁ,ମେଲେରିଆ ଜ୍ୱର ସଂପର୍କରେ ଲକ୍ଷଣ,ପ୍ରତିକା. ପ୍ରତିରୋଧ ବ୍ୟବସ୍ଥା ଏବଂ ସଚେତନତା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ସମସ୍ତ ଟିଆରଏସ ବିଦ୍ୟାଳୟ ରେ ମଶାରୀ ବ୍ୟବହାର, ବିଦ୍ୟାଳୟ ପରିସର ପରିଷ୍କାର ପରିଛନ୍ନତା ଏବଂ ନିଜର ସଂପର୍କିୟଙ୍କୁ ସଚେତନତା ବାର୍ତା ଦେବାପାଇଁ ଜିଲା ମଙ୍ଗଳ ଅଧିକାରୀଙ୍କୁ ଅନୁରୋଧ କରାଯାଇଥିଲା । ସମସ୍ତ ବ୍ଲକ ଓ ପଞ୍ଚାୟତ କର୍ମଚାରୀ, ପୋଲିସ କର୍ମଚାରୀ, ଫରେଷ୍ଟ ଗାର୍ଡ, ଜଗୁଆଳୀ ଓ ବନ ସଂରକ୍ଷଣ ସମିତି, ଗ୍ରାମ କଲ୍ୟାଣ ସମିତିମାନଙ୍କୁ ମଶାରୀ ବ୍ୟବହାର କରିବା ପାଇଁ ସଚେତନ କରିବାକୁ ଅନୁରୋଧ କରାଯାଇଥିଲା ।

ବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀଙ୍କୁ ଜ୍ୱର ହେଲେ ପାରାସିଟାମଲ ବ୍ୟବହାର କରିବା,ଥଣ୍ଡାପଟି,ଯଥେଷ୍ଟ ପାଣି ପିଇବା,ଓଆରଏସ ଏବଂ ପଇଡ ପାଣି ପିଇବା ପାଇଁ ଜିଲା ଶିକ୍ଷା ବିଭାଗକୁ ପରାମର୍ଶ ଦିଆଯାଇଥିଲା । ଘର,ଗ୍ରାମ, ବିଦ୍ୟାଳୟ ହତା ଓ ନଳକୂପ ପରିସରକୁ ପରିଷ୍କାର,କୌଣସି ବର୍ଯ୍ୟପାତ୍ରରେ ପାଣି ଜମା ନରଖିବା,ଜ୍ୱର ହେଲେ ଗୁଣି ଗାରେଡି ଉପଚାର ନକରାଇବା,ଡେଙ୍ଗୁ ଓ ମେଲେରିଆ ପ୍ରତିରୋଧ ପାଇଁ ସଚେତନତା ବର୍ତ୍ତା ସମସ୍ତଙ୍କୁ ପହଞ୍ଚାଇବାକୁ ନିବେଦନ କରାଯାଇଥିଲା । ଆଶାକର୍ମୀ,ସ୍ୱେଛାସେବୀ,ମେଡିକାଲ ଅଧିକାରୀ ଓ କର୍ମଚାରୀଙ୍କ ମାଧ୍ୟମରେ ପ୍ରତି ଗ୍ରାମ ଓ ପରିବାରରେ ସଚେତନ କରାଇବାର ଆବଶ୍ୟକତା ରହିଥିବା ନେଇ ବୈଠକରେ ମତପ୍ରକାଶ ପାଇଥିଲା । ସେହିପରି ଜିଲାରେ ୨୪ ଟି ଯୁବ ରେଡକ୍ରସ ୟୁନିଟ ଜରିଆରେ ପ୍ରତି ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ ପାଇଁ ଯୁବ ରେଡକ୍ରସର ସଂପାଦକ ପ୍ରବୀର କୁମାର ଦାସଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା ।

ପ୍ରାତଭ୍ରମଣ ଏବଂ ସାନ୍ଧ୍ୟ ଭ୍ରମଣ ସମୟରେ ଦେହକୁ ସଂପୁର୍ଣ୍ଣ ଘୋଡାଇବା ବସ୍ତ୍ର ପରିଧାନ କରିବା,ସାଧା ମଶାରୀକୁ େଔଷଧରେ ବୁଡାଇ ବ୍ୟବହାର କରିବା,ଲିମ୍ବ ତେଲ ଓ କରଞ୍ଜ ତେଲ ଶରୀରରେ ବ୍ୟବହାର କରିବା,ଗର୍ଭବତୀ ମହିଳାମାନେ ଏଥିପ୍ରତି ଅଧିକ ସଚେତନ ରହିବାକୁ ବୈଠକରେ ପରାମର୍ଶ ଦିଆଯାଇଥିଲା । ସହରର ପ୍ରତ୍ୟେକ ୱାର୍ଡରେ ଡ୍ରେନ ଗୁଡିକ ପ୍ରତିଦିନ ସଫା କରାଯିବା ଏବଂ ସହରର ଆବର୍ଜନା ମୁକ୍ତ ରଖିବାକୁ ଏନଏସି କର୍ତ୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ବୈଠକରେ ଦିଆଯାଇଥିବା ସୂଚନା ମୁତାବକ ୨୦୨୪ ମସିହା ଜୁଲାଇ ମାସ ପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଳାରେ ୬୦୧ ଜଣ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଜୁଲାଇ ମାସ ପର୍ଯ୍ୟନ୍ତ ୧୬ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୪ ଜଣ ବୌଦ୍ଧରେ ଏବଂ ୨ ଜଣ ଅନଗୁଳ ରେ ଚିହ୍ନଟ ହୋଇଥିବା ଜଣାଯାଇଛି ।

ଜୁଲାଇ ଜିଲାର ବାଉଁଶୁଣୀ ,ହରଭଙ୍ଗା ଓ କଣ୍ଟାମାଳକୁ ମ୍ୟାଲେରିଆ ପ୍ରବଣ ଅଞ୍ଚଳ ଭାବରେ ଚିହ୍ନଟ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଜୟକୃଷ୍ଣ ମିଶ୍ର ଜିଲାକୁ ମ୍ୟାଲେରିଆ ଓ ଡେଙ୍ଗୁ ମୁକ୍ତ କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମଦନ ମୋହନ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ଓ ଡିପିଏମ ରୁପକ କୁମାର ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ । ବୈଠକରେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।