ଭୁବନେଶ୍ବର : ନିଜକୁ ଗୁଇନ୍ଦା ଇନ୍ସପେକ୍ଟର ବୋଲି ବାୟୋଡାଟାରେ ଦର୍ଶାଇ ଯୁବତୀମାନଙ୍କୁ ଫସାଇ ଠକି ଚାଲିଥିଲେ ଏହି ବ୍ୟକ୍ତି। ଫୋନ ଯୋଗେ ଯୁବତୀ ଓ ମହିଳାଙ୍କୁ ପ୍ରେମ ନିବେଦନ କରୁଥିଲେ। ଲାଇନରେ ଥିଲେ ଆହୁରି ୪୯ଜଣ ମହିଳା। ହେଲେ ଗୋଟିଏ ଭୁଲ ପାଇଁ ପୁଲିସ ହାତରେ ଧରାପଡିଗଲେ।

ଜଣେ ମହିଳା ପୁଲିସ ସହିତ ଚାଟିଂ କରି କଥା ହେବା ଦ୍ୱାରା ପୁରା ମାମଲାର ଗୁମର ଖୋଲିଥିଲା। ଫଳରେ ଧରାପଡିଯାଇଥିଲେ ସଂପୃକ୍ତ ଯୁବକ। ପୁଲିସ ଦ୍ୱାରା ଗିରଫ ହୋଇଥିବା ୫ ସ୍ତ୍ରୀଙ୍କ ସ୍ୱାମୀ ହେଲେ ସତ୍ୟଜିତ ସାମଲ। ସତ୍ୟଜିତଙ୍କ ଟାର୍ଗେଟରେ ଥିଲେ ବିଧବା ଓ ବିବାହ ବିଚ୍ଛେଦ ହୋଇଥିବା ମହିଳା। ସେମାନଙ୍କୁ ଟାର୍ଗେଟ କରି ଫସାଇ ବାହା ହେବା ପରେ ଲୋନ ନେଇ ମସ୍ତି କରୁଥିଲେ।

କମିସନରେଟ ପୁଲିସର ‘ଅପରେସନ ମଜନୁ’ରେ ବନ୍ଧା ହେଲା ୫ ସ୍ତ୍ରୀଙ୍କ ସ୍ୱାମୀ ସତ୍ୟଜିତ ସାମଲ। ଆହୁରି ୪୯ଜଣ ମହିଳା ଲାଇନରେ ଥିଲେ। ଠକ ସତ୍ୟଜିତ ନାଁରେ ଭୁବନେଶ୍ୱର କ୍ୟାପିଟାଲ ଥାନାରେ ୨ଟି ମାମଲା ରୁଜୁ ହୋଇଛି। ଯେତେବେଳେ ଘଟଣା ସମ୍ପର୍କରେ ଜଣାପଡ଼ିଲା ଅଭିଯୁକ୍ତକୁ ଧରିବା ପାଇଁ ଜାଲ ବିଛାଇଥିଲା ପୁଲିସ। ଜଣେ ମହିଳା ପୁଲିସଙ୍କ ସହ ଚାଟିଙ୍ଗ କରି ଅଭିଯୁକ୍ତକୁ ଦୁବାଇରୁ ଭୁବନେଶ୍ୱର ଡକାଯାଇଥିଲା।

ଡେଟରେ ଦୁବାଇରୁ ଭୁବନେଶ୍ୱର ଆସିବା ପରେ ଅଭିଯୁକ୍ତକୁ ବାନ୍ଧିଛି ପୁଲିସ। ୩୪ ବର୍ଷୀୟ ଏହି ଯୁବକ ଚନ୍ଦ୍ରଶେଖପୁରରେ ରୁହେ ଓ ଅଭିଯୁକ୍ତ ଠାରୁ ୨ଲକ୍ଷ ୧୦ ହଜାର ଟଙ୍କା ସହ କାର, ବନ୍ଧୁକ, ଗୁଳି ଓ ବୁଲେଟ ଜବତ ହୋଇଛି, ୩ ବ୍ୟାଙ୍କ ଆକାଉଣ୍ଟ ସହ ଏଗ୍ରିମେଣ୍ଟ ପେପର ଜବତ ହୋଇଛି।ମହିଳାଙ୍କ ସହ ସମ୍ପର୍କ ରଖି ତାଙ୍କ ଠାରୁ ୩୬ ଲକ୍ଷ ଏବଂ ବାଲିନୋ କାର ନେଇଥିବା ବେଳେ, ଅନ୍ୟଜଣେ ମହିଳାଙ୍କ ଠାରୁ ୮ ଲକ୍ଷ ସହ ବୁଲେଟ ଗାଡ଼ି ନେଇଛନ୍ତି । ବିଧବା ମହିଳା, ବିବାହ ବିଚ୍ଛେଦ ହୋଇଥିବା ମହିଳା ଓ ଯୁବତୀଙ୍କୁ ଟାର୍ଗେଟ କରୁଥିଲା ଏହି ଠକ।