କେସିଙ୍ଗା :  ( ପ୍ରୀତେଶ ପଟେଲ)ରାଜ୍ୟ ରେ ସରକାରୀ ବିଦ୍ୟାଳୟ ଗୁଡ଼ିକ ରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି ।ସରକାରୀ ବିଦ୍ୟାଳୟ ଗୁଡ଼ିକର ଅବସ୍ଥା ବହୁତ୍ ଶୋଚନୀୟ ପରିସ୍ଥିତି ଦେଇ ଗତି କରୁଛି ।ଆମେ ଆପଣଙ୍କୁ ଯେଉଁ ବିଦ୍ୟାଳୟ ର ଚିତ୍ର ଦେଖାଇବୁ ତାହା କୌଣସି ଗାଁ ର ଚିତ୍ର ନୁହେଁ ଏହା ହେଉଛି କଳାହାଣ୍ଡି ଜିଲ୍ଲା ର କେସିଙ୍ଗା ଏନ୍ ଏ ସି ଅନ୍ତର୍ଗତ ୨ ନମ୍ୱର୍ ୱାର୍ଡରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଚିତ୍ର ।ବିଦ୍ୟାଳୟ ରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବା ର ବ୍ୟବସ୍ଥା ରହିଥିବା ବେଳେ ସମୁଦାୟ ୨୦୧ ଜଣ ଛାତ୍ର ଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି ।

କିନ୍ତୁ ଅଭାବ ରହିଯାଇଛି ଶିକ୍ଷାଦାନ ପାଇଁ ଉପଯୁକ୍ତ ପରିବେଶ ର ।୧୯୫୮ ମସିହା ରୁ ଆରମ୍ଭ ହୋଇଥିବା ସହର ର ଏହି ପୁରାତନ ବିଦ୍ୟାଳୟ ଟି ଆଜି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହି ସରକାରୀ ସହାୟତା କୁ ଅନେଇ ବସିଛି । ବିଦ୍ୟାଳୟ ରେ ସମୁଦାୟ ଆଠଟି ଶ୍ରେଣୀ ଗୃହ ରହିଛି କିନ୍ତୁ ତାହା ନାମକୁ ମାତ୍ର ଶ୍ରେଣୀ ଗୃହ । ଗୋଟିଏ ଗୃହ କୁ ରୋଷେଇ ଘର ଭାବେ ବ୍ୟବହାର କରାଯାଉଛି ।ତାହାର ଅବସ୍ଥା ମଧ୍ୟ କହିଲେ ନ ସରେ ଚାରିଆଡ଼େ କଳା ଧୂଆଁ ମୟ ହୋଇଛି ,ଝରକା ଦୁଇଟି ର କବାଟ ନାହିଁ ଆଉ ଆଜବେଷ୍ଟ କଣା ହୋଇ ଆକାଶ ଦେଖା ଯାଉଛି ।ଆଉ ଗୋଟିଏ ରେ ଅଙ୍ଗନୱାଡ଼ି କେନ୍ଦ୍ର ଚାଲିଛି ,ସେହି କୋଠରୀ ରେ ମଧ୍ୟ ଛାତରୁ ପାଣି ଗଲୁଛି ।ଦୁଇଟି ପୁରୁଣା ଶ୍ରେଣୀ ଗୃହ ର ଘର କାନ୍ଥ କେତେବେଳେ ଯେ ଭୁଶୁଡ଼ି ପଡ଼ିବ ତାହା କହିବା ଅସମ୍ଭବ , ଆଜବେଷ୍ଟ ସବୁ କଣା ହୋଇ ସୂର୍ଯ୍ୟ ଦେଖାଯାଉଛି ।ଚାରୋଟି ଛାତ ଘର ରହିଥିବା ବେଳେ ତାର ଅବସ୍ଥା ମଧ୍ୟ ଠିକ୍ ନାହିଁ ।

ଦୁଇଟି ଛାତରୁ ସିମେଣ୍ଟ ଅତଡା ଖସୁଛି ।ଅର୍ଥାତ୍ କେବଳ ଦୁଇଟି ଶ୍ରେଣୀ ଗୃହ ହିଁ ପାଠ ପଢିବା ଉପଯୁକ୍ତ ଭାବେ ଅଛି ।ରୋଷେଇ ଘର ଟେ ତିଆରି ହୋଇଥିଲେ ମଧ୍ୟ ଦୀର୍ଘ ଦିନ ହେଲା ନିର୍ମାଣାଧୀନ ରହି ଅଧାପନ୍ତରିଆ ଭାବେ ପଡ଼ି ରହିଛି।ଖେଳ ପଡିଆ ରେ ପାଣି ଜମି ଆଣ୍ଠୁଏ ଲେଖା ଘାସ ହେଲାଣି ।ଏହିଭଳି ପରିବେଶ ରେ ଛାତ୍ର ଛାତ୍ରୀ କିଭଳି ଶିକ୍ଷା ଗ୍ରହଣ କରୁଥିବେ ତାହା ତାଙ୍କୁ ହିଁ ଜଣା ।ଏହି ବିଦ୍ୟାଳୟ ର ପରିବେଶ ଓ ଶ୍ରେଣୀ ଗୃହ କୁ ଦେଖିଲେ ,ବିଦ୍ୟାଳୟ ତୁ ଭଗବାନ ଭରସାରେ ଚାଲିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।ଯଦି ସହର ମଧ୍ୟରେ ଥାଇ ଏଭଳି ତାହେଲେ ଗାଁ ର ଅବସ୍ଥା କଣ ତାହା ଅନୁମାନ କରାଯାଇପାରେ ।ରାଜ୍ୟ ରେ ସରକାର ବଦଳିଛି ବଦଳିବ କି ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକର ଅବସ୍ଥା ତାହା ଦେଖିବାକୁ ବାକି ରହିଲା । ଆସିଛି ସରକାର ଏଥି ପ୍ରତି ଦୃଷ୍ଟି ଦେଇ ଯଥା ଶୀଘ୍ର ଏହି ବିଦ୍ୟାଳୟ କୁ ଶିକ୍ଷାଦାନ ପାଇଁ ଉପଯୋଗୀ କରନ୍ତୁ ବୋଲି ଅନୁରୋଧ କରିଛନ୍ତି ଜଣେ ଅଭିଭାବକ ।