ମୁନିଗୁଡା:୨୭।୮(ରମାକାନ୍ତ ପୋଡାଳ )ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ନନ୍ଦ ମହୋତ୍ସବ ମହୋତ୍ସବରେ ଆଜି ମୁନିଗୁଡା ଅଞ୍ଚଳ ଉତ୍ସବ ମୁଖର ହୋଇ ଉଠିଛି ।ମୁନିଗୁଡା ପାଇକ ସାହି ଓ କଣ୍ଡରା ସାହିରେ ନନ୍ଦ ମହୋତ୍ସବ ଧୁମ୍ ଧାମରେ ପାଳିତ ହୋଇଯାଇଛି । ମୁନିଗୁଡା ରାମ କୃଷ୍ଣ ସଂଘ ବେହେରା ସମାଜ ଭାଗବତ ଟୁଙ୍ଗି ପାଇକ ସାହିରେ ସଙ୍ଘ ସଭାପତି ଦୁର୍ଯୋଧନ ବେହେରା, ସଂପାଦକ ପ୍ରେମାନନ୍ଦ ଗୟା,କୋଷାଧ୍ୟକ୍ଷ ବୈକୁଣ୍ଠ ବେହେରା ପ୍ରମୁଖଙ୍କ ପରିଚାଳନାରେ ଏହି ପବିତ୍ର ନନ୍ଦ ମହୋତ୍ସବ ଆୟୋଜିତ ହୋଇଥିବା ବେଳେ ମୁନିଗୁଡା କଣ୍ଡରା ସାହି କମିଟି ଅଧ୍ୟକ୍ଷ ବେଣୁଧର ବେହେରାଙ୍କ ସମେତ ନରସିଂହ ବେହେରା, ମାଧବ ବେହେରା, ମୁକୁନ୍ଦ ବେହେରା ପ୍ରମୁଖ ପରିଚାଳନା କରିଥିଲେ।

ଶ୍ରୀକୃଷ୍ଣ, ଶ୍ରୀରାଧା, ଗୋପୀ, ଗୋପାଳ ବେଶଧାରୀ ମାନଙ୍କ ନଗର ପରିକ୍ରମା ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା । ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପୂଜାର୍ଚନା ପରେ ନଗର ପରିକ୍ରମା ସମୟରେ ପ୍ରତି ପରିବାରରେ ଦୀପ ପ୍ରଜ୍ଜଳନ ସହିତ ଫୁଲ ଚନ୍ଦନ ତିଳକ ଲଗାଇ ବେଶଧାରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ଦୃଶ୍ୟ ବେଶ ମନୋରମ ଓ ହୃଦୟସ୍ପର୍ଶୀ ହୋଇଥୁଲା । ଏହି ସମୟରେ ଶ୍ରୀକୃଷ୍ଣ,ଶ୍ରୀରାଧା, ଗୋପୀ, ଗୋପାଳ ପ୍ରମୁଖ ବେଶଧାରୀଙ୍କୁ ବିଭିନ୍ନ ଫଳ, ପଞ୍ଚାମୃତ, ମିଷ୍ଟାନ ରେ ଆପ୍ୟାୟିତ କରାଯାଇଥିଲା ।

ଏହି ପରିକ୍ରମାକୁ ଗ୍ରାମର ସଂକୀର୍ତନ ମଣ୍ଡଳୀ ସ୍ଵାଗତ କରି ଘଣ୍ଟ ବାଦ୍ୟର ତାଳେ ତାଳେ ବେଶଧାରୀଙ୍କୁ ପାଛୋଟି ନେଇଥିଲେ ।କାର୍ଯ୍ୟକ୍ରମ ଶେଷରେ ସାହି ବାସିନ୍ଦାଙ୍କ ନିମନ୍ତେ ପ୍ରସାଦ ସେବନ ବ୍ୟବସ୍ଥା ମଧ୍ୟ କରାଯାଇଥିଲା।ସେହିପରି ମୁନିଗୁଡା ଓ ଆମ୍ବଦଳା ସରସ୍ଵତୀ ଶିଶୁ ମନ୍ଦିର ପକ୍ଷରୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦ ମହୋତ୍ସବ ଆୟୋଜିତ ହୋଇଯାଇଛି। ଏହି ମହୋତ୍ସବରେ ଦହି ହାଣ୍ଡି ଭଙ୍ଗା ପରମ୍ପରା ଦୀର୍ଘ ବର୍ଷ ଧରି ଚାଲି ଆସୁଥିବା ବେଳେ ଆଜି ମଧ୍ୟ ଦହି ହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ଏଥିରେ ମୁନିଗୁଡା ବାସୀ ସଂପୂର୍ଣ୍ଣ ସହଯୋଗ କରିଥିଲେ।