ସୁବର୍ଣ୍ଣପୁର: (ଅଜିତ କୁମାର ପୁଜାହାରୀ)ସାରା ପଶ୍ଚିମ ଓଡିଶାରେ ପାଳିତ ହେଉଛି ପୁଅ ଜିଉନ୍ତିଆ ଓଷା । ହେଲେ ସୁବର୍ଣ୍ଣପୁର ଗଡଜାତରେ ଏହି ପୂଜାର ସ୍ୱତନ୍ତ୍ରତା ରହିଛି । ସନ୍ତାନମାନଙ୍କ ମଙ୍ଗଳ ତଥା ଦୀର୍ଘାୟୁ କାମନା କରି ମାଁ ମାନେ ଅତିନିଷ୍ଠାର ସହ ଏହି ଓଷା ପାଳନ କରିଥାନ୍ତି । ଗାଁ ରୁ ସହର ଯାଏଁ ଏହି ଉଷା ସୁବର୍ଣ୍ଣପୁର ମହାରାଜଙ୍କ ଗୃହକୃତ୍ୟ ଚନ୍ଦ୍ରିକା ବିଧି ବିଧାନ ଅନୁଯାୟୀ ପାଳନ କରାଯାଉଛି ।

ଯନ୍ତ୍ର, ମନ୍ତ୍ର ଓ ତନ୍ତ୍ରର ପ୍ରସିଦ୍ଧପୀଠ ସୁବର୍ଣ୍ଣପୁର । ତାନ୍ତ୍ରୀକ ପଦ୍ଧତିରେ ଏଠାରେ ପାଳିତ ହୁଏ ଅନେକ ପର୍ବପର୍ବାଣୀ । ତାରି ଭିତରେ ଆଶ୍ୱୀନ ମାସରେ ମାଁ ମାନେ ପାଳନ କରୁଥିବା ପୁଅ ଜିଉନ୍ତିଆ ଓଷା ଅନ୍ୟତମ । ଶାକ୍ତ ପରମ୍ପରାକୁ ବହନ କରୁଥିବା ଏହି ଓଷା ରାଜରାଜୁଡା ଅମଳର ଗୃହକୃତ୍ୟ ଚନ୍ଦ୍ରିକା ମତେ ମାଁ ମାନେ ଅତି ନିଷ୍ଠାର ସହିତ ପାଳନ କରିଥାନ୍ତି । କାୟ ମନବାକ୍ୟରେ ମାଁ ଦୁର୍ଗାଦେବୀଙ୍କ ଶରଣାପନ୍ନ ହୋଇଥାନ୍ତି ପୁଅର ମଙ୍ଗଳ ଓ ଦୀର୍ଘାୟୁ କାମନା କରି । ପ୍ରତିଟି ସନ୍ତାନ ପାଇଁ ୧୦୮ଟି ଅଖତ ଦୂବ, ୧୦୮ଟି ଅକ୍ଷତ ଅରୁଆ ଚାଉଳକୁ ଏକାଠି କରି ସାତ ପ୍ରକାର ଫଳ ଓ ସାତ ପ୍ରକାର ଫୁଲକୁନେଇ ଜୁଉଁନ୍ତିଆକୁ ବିଡାବାନ୍ଧି ସମର୍ପଣ କରିଥାନ୍ତି ଦୂତିବାହାନଙ୍କ ନିକଟରେ । ତା ପରଦିନ ସକାଳେ ସମର୍ପିତ ଦୂବ,ଚାଉଳ ବିଡାକୁ  ନେଇ ପୁଅକୁ ବନ୍ଦାଇଥାନ୍ତି । ବିଶ୍ୱାସ ରହିଛି ଏହା ଦ୍ୱାରା ସନ୍ତାନର ସମସ୍ତ ରିଷ୍ଟ ଖଣ୍ଡନ ହେବା ସହ ଦୀର୍ଘାୟୁ ହୋଇଥାନ୍ତି ।

ମନ୍ତ୍ର, ତନ୍ତ୍ରର ନିଦର୍ଶନ ପୁଅଜିଉନ୍ତିଆ ପର୍ବ । ଦେବୀ ଦୁର୍ଗାଙ୍କ ଆସନ ପାଇଁ ମାଟିରେ ଖୋଲା ଯାଏ ତିନୋଟି ବର୍ଗାକାର ଯନ୍ତ୍ର । ଏହି ଯନ୍ତ୍ରରେ ପାଣି ଦେଇ ଏକ ଜିଆଁ ମାଛକୁ ଛଡା ହୋଇଥାଏ । ପରେ ଯନ୍ତ୍ରର ମଧ୍ୟ ଭାଗରେ ଦେବୀ ଦୁର୍ଗାଙ୍କୁ ପ୍ରତିଷ୍ଠା କରି ପୂଜାର୍ଚ୍ଚନା କରାଯାଏ ତନ୍ତ୍ର ପଦ୍ଧତିରେ । ଧୂପ ,ଦ୍ୱୀପ ନୈବେଦ୍ୟ ନେଇ ଦୂତିବାହନ ପୁରାଣ ପାଠରେ ମାଁ ଦୁର୍ଗାଙ୍କୁ ଆରଧାନା କରିଥାନ୍ତି ମାଁ ମାନେ ପୁଅର ମଙ୍ଗଳ ପାଇଁ । ଏହି ପୂଜା ନିଷ୍ଠାର ସହ ପାଳନ କରିବା ପାଇଁ ମାଁ ମାନେ ଦିନଯାକ ନିର୍ଜଳା ଉପବାସ କରି ଦେବୀ ଦୁର୍ଗାଙ୍କ ସହ ବୃକ୍ଷ ଓ ମହାଦେବଙ୍କୁ ପୂଜାର୍ଚ୍ଚନା କରିଥାନ୍ତି

ଗାଁ ରୁ ସହର ଯାଏଁ ଏହି ଓଷା ଏକ ଧାର୍ମିକ ଭାବନା ସୃଷ୍ଟି କରିବା ସହିତ ମାଁ ଓ ପୁଅର ନିବିଡ ସମ୍ପର୍କକୁ ଆହୁରି ସୁଦୃଢ କରୁଛି। ଏକ ସାମଜିକ ଓ ପାରିବାରିକ ବନ୍ଧନର ଭାବନାକୁ ଆହୁରି ମଜଭୁତ କରିଛି ସମସ୍ତଙ୍କ ପାଇଁ l