ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )ଜିଲ୍ଲା ପ୍ରଶାସନ, ଜିଲ୍ଲା ପରିଷଦ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ବୌଦ୍ଧପକ୍ଷରୁ “ସ୍ୱଚ୍ଛତା ହିଁ ସେବା” ପରିପ୍ରେକ୍ଷୀରେ ବୌଦ୍ଧ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସକାଳ ୭ ଘଟିକାରେ ଏକ ସ୍ଵଚ୍ଛତା ସମ୍ପର୍କିତ ରାଲି ଅନୁଷ୍ଠିତ ହୋଇଥିଲା । ଏଥିରେ ଭଗବତ ସ୍ଵାମୀ ଗୌଡି ସଂପ୍ରଦା ସଙ୍କୀର୍ତ୍ତନ ମଣ୍ଡଳି ଅଲଣିଆ, ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷକଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ପୋଲିସ ଅଧିକାରୀ ଏବଂ କର୍ମଚାରୀ, ସ୍ଵଚ୍ଛ ସାଥି, ଏନ.ଏ.ସି କର୍ମଚାରୀ, ସ୍ଵଚ୍ଛତା ରଥ, ରାମଧୂନ ପ୍ରଚାର ଯାନ, ପି.ସି.ଆର. ଯାନ ଜିଲ୍ଲାସଂଗ୍ରହାଳୟ ରୁ ବାହାରି ବାଘଗୁଡା ଛକ, ଗାନ୍ଧୀଛକ ଦେଇ ଟାଉନହଲଠାରେ ପହଞ୍ଚିଥିଲେ । ଏହି ପରିପ୍ରେକ୍ଷୀରେ ଜିଲ୍ଲା ପରିଷଦ ବୌଦ୍ଧ ପକ୍ଷରୁ ବ୍ଲକ ସ୍ତରରେ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ବୌଦ୍ଧପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା ।

ମହାବିଦ୍ୟାଳୟର ଏନ.ସି.ସି ଛାତ୍ରଛାତ୍ରୀ, ଏନ.ଏ.ସିର ସଫେଇ କର୍ମଚାରୀ, ମେଡିକାଲର ସଫେଇ କର୍ମଚାରୀଙ୍କ ଦ୍ଵାରା ବସଷ୍ଟାଣ୍ଡ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରେ ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସଫେଇ କାର୍ଯ୍ୟକ୍ରମରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ ଏବଂ ମେଡିକାଲ, ଏନ.ଏ.ସିର ଅଧିକାରୀ ଏବଂ କର୍ମଚାରୀ ଯୋଗଦେଇଥିଲେ । ଜିଲ୍ଲାପାଳ ମହୋଦୟ ସମସ୍ତଙ୍କୁ ନେଇ ଏକ ସ୍ଵଚ୍ଛତା ର ଶପଥ ପାଠ କରାଇବା ସହ ସ୍ଵଚ୍ଛତା ହିଁ ସେବା ଆମର ଧର୍ମ, ପରିବେଶକୁ ସଫା ରଖିଲେ ଆମର ମାନସିକତାରେ ପରିବର୍ତ୍ତନ ଆସିବ ଏବଂ ସ୍ଵଭାବକୁ ସ୍ଵଚ୍ଛ ରଖିଲେ ଆମର ସଂସ୍କାର ସ୍ଵଚ୍ଛ ରହିବ ବୋଲି ବାର୍ତ୍ତା ରଖିଥିଲେ ମା ପାଇଁ ଗଛଟିଏ ପରିପ୍ରେକ୍ଷୀରେ ଗଛଟିଏ ଲଗାଇବା ସହ ପରିବେଶକୁ ସ୍ଵଚ୍ଛ ରଖିବା ପାଇଁ ଆହ୍ଵାନ କରିଥିଲେ । ଜିଲ୍ଲା ପରିଷଦ ପକ୍ଷରୁ ପୂର୍ବରୁ ଅନୁଷ୍ଠିତ ଚିତ୍ରାଙ୍କନ, ପ୍ରବନ୍ଧ, ସ୍ଲୋଗାନ ଲିଖନ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ବୌଦ୍ଧପକ୍ଷରୁ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।

ମୁଖ୍ୟ ଅତିଥିଭାବେ ଶ୍ରୀମତି ପ୍ରଭାସିନୀ ଦାସ, ଅଧ୍ୟକ୍ଷା ଜିଲ୍ଲାପରିଷଦ,ଜିଲ୍ଲାପାଳ ସୁବ୍ରତ କୁମାର ପାଣ୍ଡ ବୌଦ୍ଧ, ସମ୍ମାନୀତ ଅତିଥି ଭାବେ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ଅନିରୁଦ୍ଧ ପ୍ରଧାନ, ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ଏବଂ ମୁଖ୍ୟ ବକ୍ତା ଭାବେ ବିଶିଷ୍ଠ ସାହିତ୍ୟିକ ତଥା ସଭାପତି, ନୀଳଚକ୍ର ସାହିତ୍ୟ ସଂସଦ, ଇଂ. ଡ଼ଃ. ସଞ୍ଜୟ କୁମାର ପଣ୍ଡା ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ଏବଂ ପ୍ରମାଣପତ୍ର ବଣ୍ଟନ କରିଥିଲେ । ଏହି ଉପଲକ୍ଷେ ପ୍ରଣାମ ଅନୁଷ୍ଠାନ ପକ୍ଷରୁ ସ୍ବଚ୍ଛତାର ବାର୍ତ୍ତା ଉପରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଲିୟାରସିଂହ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ପରିଷଦ ବୌଦ୍ଧ ଏବଂ ଏନ.ଏ.ସି ବୌଦ୍ଧଗଡର କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।