
ପୁରୀ : (ମନୋଜ କୁମାର ବଳିଆରସିଂ )ପୁରୀ ପୌରାଞ୍ଚଳ ୱାର୍ଡ ନଂ –୨୩ ଅନ୍ତର୍ଗତ ରାମଚଣ୍ଡୀ ବାଲିକୁଦା ସାହିର ବାସିନ୍ଦା। ଆମ ଦେଶରେ ଚାଲିଥିବା ପୁଞ୍ଜିତନ୍ତ୍ରର ପରିଣତ ସ୍ବରୂପ ଗାଁ ଗହଳିରେ କାମଧନ୍ଦା ନପାଇ, ବିସ୍ଥାପନ – ବିତାଡ଼ନର ଶିକାର ହୋଇ ତଥା ଗାଁ ଓ ସହର ମଧ୍ୟରେ ଅସମ ବିକାଶ ନୀତି ଯୋଗୁଁ ବ୍ୟାପକ ଭୂମିହୀନ, କ୍ଷୁଦ୍ର-ନାମ ମାତ୍ର କୃଷକ ପରିବାରର ସଦସ୍ୟ ଯେକୌଣସି ମତେ ମୁଲ ମଜୁରୀ ଲାଗି ଯିବା ବଂଚିଯିବା ଲକ୍ଷ୍ୟରେ ସହରାଭିମୁଖୀ ହୋଇଛନ୍ତି । ୪୦ ବର୍ଷରୁ ଉର୍ଦ୍ଧ୍ବ ଦିନ ଧରି ଶହ ଶହ ବର୍ଷର ପୁରୀ ସହରରେ ସହରୀ ସେବା ତଥା ବଡ଼ ବଡିଆଙ୍କ ସେବାରେ ବସ୍ତି ବାସିନ୍ଦା ମାନେ ନିଜକୁ ନିୟୋଜିତ କରିଛନ୍ତି। ମୁଲ ମଜୁରୀ ଲାଗି, କ୍ଷୁଦ୍ର-ଫୁଟଫାଥ ବେପାର କରି ସ୍ଵଳ୍ପ ରୋଜଗାର ଭିତରେ ବଞ୍ଚିବା ପାଇଁ କଷ୍ଟ ସାଧ୍ୟ, ସେଥିପାଇଁ ବାଧ୍ୟ ହୋଇ ସହର ତଳି ଅପନ୍ତରା ସ୍ଥାନରେ ଘରକରି ବଞ୍ଚୁଛନ୍ତି।
ଆମ ଦେଶର ସମ୍ବିଧାନ ଅନୁସାରେ ପ୍ରତ୍ୟେକ କାର୍ଯ୍ୟକ୍ଷମ ବ୍ୟକ୍ତିଙ୍କ ହାତକୁ କାମ ସମ୍ମାନର ସହ ବଞ୍ଚିବା ଭଳି ପାରିଶ୍ରମିକ ଏବଂ କର୍ମସ୍ଥଳୀ ନିକଟରେ ରହିବା ପାଇଁ ବାସସ୍ଥାନ ଯୋଗାଇଦେବା ସରକାରଙ୍କ ଦାୟିତ୍ଵ। ବରଂ ସରକାର ଏକଥା କାର୍ଯ୍ୟକାରୀ ନକରି ଉକ୍ତ ବସ୍ତିର ୩୪୯ ପରିବାରଙ୍କ ଘରକୁ ୨୭ ଅକ୍ଟୋବର ୨୦୧୪ ମସିହାରେ ଲାଠିଚାର୍ଜ କରି ୨୩ ଜଣ ପ୍ରତିବାଦକାରୀ ବସ୍ତିବାସିନ୍ଦାଙ୍କୁ ଗିରଫ କରି ବଳପୂର୍ବକ ବସ୍ତିଭାଙ୍ଗି ଦେଇଥିଲେ । ବସ୍ତିବାସିନ୍ଦାଙ୍କୁ ଥଇଥାନ କରିବାକୁ ପୁରୀର ରାଜନେତାଙ୍କ ଠାରୁ ପ୍ରଶାସକ ସମସ୍ତେ ପ୍ରତିସୃତି ଦେଇଥିଲେ । କିନ୍ତୁ ସେ ଦିଗରେ ସାମାନ୍ୟତମ ଅଗ୍ରଗତି କରାଯାଇନାହିଁ । ପୁରୀ ସହରରେ ରାମଚଣ୍ଡୀ କାଲିକୁଦା ସାହି ଭଳି ୬୨ଟି ବସ୍ତି ରହିଛି । ଯେଉଁଠାରେ ସହରର ଅସଙ୍ଗଠିତ ଶ୍ରମଯିବି ଜନତା ବସବାସ କରନ୍ତି ।
ପୁରୀର କୈନ୍ଦ୍ରିକ ବିଷମ ଅର୍ଥନୀତି, ସହରାଞ୍ଚଳରେ ବାସଗୃହର ଉତ୍କଟ ସଙ୍କଟ ଆଦି ଅନେକ ଆର୍ଥିକ ସାମାଜିକ କାରଣକୁ ଏହିଭଳି ବସ୍ତି ସହରାଞ୍ଚଳରେ ଗଢିଉଠିଛି । ବଞ୍ଚିବାର ମୌଳିକ ଅଧିକାର ଦୃଷ୍ଟିରୁ ଏକ ସହରର ଅତ୍ୟାବଶ୍ୟକ ଦୈନନ୍ଦିନ ସେବା ଯୋଗାଣ କ୍ଷେତ୍ରରେ ଅପରିହାର୍ଯ୍ୟ ଅଙ୍ଗ ହୋଇଥିବା ବସ୍ତି ଗୁଡିକର ଶ୍ରମଜୀବୀ ଗଣଙ୍କୁ ହିଁ ” ସହରର ଜୀବନ ରେଖା ” ବସ୍ତି ବାସିନ୍ଦାମାନଙ୍କର ନିରବଚ୍ଛିନ୍ନ ସଂଗ୍ରାମ ପରେ ରାଜ୍ୟ ବିଧାନ ସଭାରେ ୨୦୧୭ ମସିହାରେ ଓଡିଶା ବସ୍ତିବାସିଦାଙ୍କ ଭୂମି ଅଧିକାର ଆଇନ ପ୍ରଣୟନ କରାଯାଇଛି ଓ କାର୍ଯ୍ୟ କାରୀ ମଧ୍ୟ କରାଯାଇଛି ।ପୁରୀରେ କେତେକ ବସ୍ତିବାସିନ୍ଦାଙ୍କୁ ମଧ୍ୟ ଭୂମି ଅଧିକାର ପ୍ରମାଣ ପତ୍ର ପ୍ରଦାନ କରାଯାଇଛି ।
କିନ୍ତୁ ବାଲିକୂଦ ବସ୍ତିକୁ କେବଳ ସର୍ଭେ କରାଯାଇ ଭୂମି ଅଧିକାର ପ୍ରମାଣ ପତ୍ର ପ୍ରଦାନ କରିବାରେ ବଂଚିତ କରାଯାଇଛି ।ସେଥିପାଇଁ ବାଲିକୁଦ ବସ୍ତିର ବାସିନ୍ଦା ମାନେ ନିବେଦନ କରିଛନ୍ତି ଯେ, ସେମାନଙ୍କର ଆର୍ଥିକ ସାମାଜିକ ଦୂରାବସ୍ଥାକୁ ଦୃଷ୍ଟିରେ ରଖୀ ଓଡ଼ିଶା ବସ୍ତି ବାସିନ୍ଦାଙ୍କ ଭୂମି ଅଧିକାର ଆଇନ -୨୦୧୭ ଅନୁସାରେ ସେମାନଙ୍କୁ ଭୂମି ଅଧିକାର ପ୍ରମାଣ ପତ୍ର ପ୍ରଦାନ କରିବା ପାଇଁ ସେମାନେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।