
ପୁରୀ (ମନୋଜ କୁମାର ବଳିଆରସିଂ )ଦୟଣା ଗଛ ଚୋରି କରି ଶ୍ରୀଦେବୀ, ଭୂଦେବୀଙ୍କ ସହ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ଆଜି ବନ୍ଧା ପଡ଼ିଛନ୍ତି। ଭୋଗମଣ୍ଡପ ଘରେ ଶ୍ରୀଦେବୀ, ଭୂଦେବୀ। ଓ ମଦନମୋହନଙ୍କୁ ମୁଦ ଦେଇ ରଖାଯାଇଛି।ପରମ୍ପରା ଅନୁଯାୟୀ, ଆଜି ମଧ୍ୟାହ୍ନ ଧୂପ ଓ ଦକ୍ଷିଣ ଘର ଭୋଗ ଶେଷ ପରେ ଦୁଇ ଦେବ ଶ୍ରୀରାମ ଓ ଶ୍ରୀକୃଷ୍ଣ ଭିତର ସିଂହାସନକୁ ବିଜେ କରିଥିଲେ। ସେଠାରେ ପୂଜାପଣ୍ଡା ସେବକମାନେ ରାମ-କୃଷ୍ଣଙ୍କୁ ମହାପ୍ରଭୁଙ୍କ ଆଜ୍ଞାମାଳ ପ୍ରଦାନ କରିଥିଲେ।
ପରେ ମହାଜନ ସେବକ ଗତକାଲିଠାରୁ ଅଧିବାସ ହୋଇ ରହିଥିବା କନ୍ଦର୍ପ ପଟିକୁ ହାତରେ ଧରି ଘଣ୍ଟ, ଛତା, କାହାଳି ସହ ଶ୍ରୀମନ୍ଦିର ବଟବୃକ୍ଷ ମୂଳେ ଥିବା ପାଲିଙ୍କି ଆଗରେ ଠିଆ ହୋଇ ରହିଥିଲେ। ଅନ୍ୟ ମହାଜନ ସେବକମାନେ ବଟମୂଳରେ ଥିବା ପାଲିଙ୍କିରେ ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କୁ ବିଜେ କରାଇଥିଲେ । ବିମାନ ବଡୁ ସେବକମାନେ ଶ୍ରୀମନ୍ଦିରରୁ ଘଣ୍ଟ, ଛତା, କାହାଳି ସହ ପାଲିଙ୍କିରେ ବିଜେ ଶ୍ରୀରାମ ଓ ଶ୍ରୀକୃଷ୍ଣକୁ ନେଇ ଜଗନ୍ନାଥବଲ୍ଲଭ ମଠ ଅଭିମୁଖେ ଯାତ୍ରା କରିଥିଲେ ।
ଆଗରେ କନ୍ଦର୍ପ ପଟି ଓ ପଛେ ପଛେ ଶ୍ରୀରାମ, ଶ୍ରୀକୃଷ୍ଣ ଜଗନ୍ନାଥ ବଲ୍ଲଭ ଅଭିମୁଖେ ଯାତ୍ରା କରିଥିଲେ। ଜଗନ୍ନାଥ ବଲ୍ଲଭଠାରେ ପହଞ୍ଚିବା ପରେ ମହାଜନ ସେବକମାନେ ପ୍ରଥମେ କନ୍ଦର୍ପ ପଟି ଓ ପରେ ଶ୍ରୀରାମ, ଶ୍ରୀକୃଷ୍ଣଙ୍କୁ ମଠ ପରିସର ଖଟ ଉପରେ ବିଜେ କରାଇଥିଲେ ସେଠାରେ ପଣ୍ଡା, ପତି, ମୁଦିରସ୍ତଙ୍କଉପସ୍ଥିତିରେ ପର୍ବଯାତ୍ରା ଯୋଗାଣିଆ ଦେଇଥିବା ହୋମ ସାମଗ୍ରୀରେ ହୋମକାର୍ଯ୍ୟ ସଂପନ୍ନ ହୋଇଥିଲା।ବାହାର ରୋଷରେ ମହାସୁଆରମାନେ ଭୋଗମାନ ପ୍ରସ୍ତୁତ କରିଥିଲେ । ହୋମ ସରିବା ପରେ ପାଣି ପକାଯାଇ ବନ୍ଦାପନା କାର୍ଯ୍ୟ କରାଯାଇଥିଲା। ପରେ ନିଶାର୍ଦ୍ଧରେ ଦୟଣା ଚୋରି ନୀତି ଅନୁଷ୍ଠିତ ହୋଇଥିଲା। ଦୟଣା ଚୋରି କରିବାକୁ ଶ୍ରୀରାମ ଓ ଶ୍ରୀକୃଷ୍ଣ ଦୟଣା ବଗିଚାକୁ ଯାଇଥିଲେ। ସେଠାରେ ୬ ମୂର୍ତ୍ତି ଦୟଣା ଚୋରି ପରେ ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କୁ ଦୁଇଟି ଦୟଣା ଲାଗି ହୋଇଥିଲା।
ପରେ ପାଲିଙ୍କିରେ ପୂଣି ଶ୍ରୀରାମ ଓ ଶ୍ରୀକୃଷ୍ଣ ଶ୍ରୀମନ୍ଦିକୁ ଫେରିଥିଲେବାକି ୪ଟି ଦୟଣା ବି ଏକ ତାଡ଼ରେ ଶ୍ରୀମନ୍ଦିରକୁ ଅଣାଯାଇଥିଲା। ପୁନର୍ବାର ଶ୍ରୀମନ୍ଦିର ବଟବୃକ୍ଷ ମୂଳେ ପାଲିଙ୍କି ରହିବା ପରେ ଶ୍ରୀରାମ ଓ ଶ୍ରୀକୃଷ୍ଣ ଦକ୍ଷିଣ ଘରକୁ ବିଜେ କରିଥିଲେ। ଏହା ପରେ ତାଡ଼ରେ ଆସିଥିବା ଦୟଣା (ଦୟଣା ଅଧିବାସ) ଭୋଗ ମଣ୍ଡପ ଘରେ ରଖାଯାଇଥିଲା। ବଡ଼ସିଂହାର ଭୋଗ ସରିବା ପରେ ଶ୍ରୀଦେବୀ, ଭୂଦେବି ଓ ମଦନମୋହନ ଆଜ୍ଞାମାଳ ପାଇ ଭୋଗମଣ୍ଡପ ଘରକୁ ଆସି ସେଠାରେ ପଡ଼ିଥିବା ଶେଯ ଉପରେ ବିଜେ କରିଥିଲେ। ପରେ ଆସିଥିବା ଦୟଣା ଶ୍ରୀଦେବୀ, ଭୂଦେବୀ ଓ ମଦନମୋହନଙ୍କୁ ଲାଗି କରାଯାଇଥିଲା। ଦୟଣା ଚୋରି ସଂପର୍କରେ ଜଣାପଡ଼ିବା ପରେ ଭୋଗମଣ୍ଡପ ଘର ମୁଦ ଦିଆଯାଇ ବନ୍ଦ କରାଯାଇଥିଲା।
ଶ୍ରୀଦେବୀ, ଭୂଦେବୀ ଓ ମଦନମୋହନ ବନ୍ଧା ପଡ଼ିଥିଲେ। ଆସନ୍ତାକାଲି ଚତୁର୍ଦଶୀ ତିଥିରେ ସକାଳଧୂପ ଶେଷ ପରେ ଭୋଗମଣ୍ଡପ ଘର ଖୋଲାଯାଇ ଶ୍ରୀଦେବୀ, ଭୂଦେବୀ ଓ ମଦନମୋହନଙ୍କୁ ଲାଗି ଦୟଣା ଓ ତାଡ଼କୁ ତିନି ଥର ଶ୍ରୀମନ୍ଦିର ବେଢା ପରିକ୍ରମା କରି ରତ୍ନ ସିଂହାସନକୁ ନେବାର ପରମ୍ପରା ରହିଛି। ରତ୍ନ ସିଂହାସନରେ ଦୟଣା ଠାକୁରମାନଙ୍କୁ ଦୟଣା ଲାଗି ପରେ ଗୋଟିଏ ଦୟଣା ମଇଲମ ହୋଇ ପାଟବସ୍ତ୍ରରେ ଗୁଡ଼ାଯାଇ ଗଜପତିଙ୍କ ଉପଲକ୍ଷେ ରାଜନଅରକୁ ନେବାର ପରମ୍ପରା ରହିଛି । ମହାପ୍ରଭୁଙ୍କ ଏହି ବୟଣା ଚୋରି ସଂପର୍କରେ ସ୍କନ୍ଧପୁରାଣରେ ଉଲ୍ଲେଖ ରହିଛି। ଏକଦା ସମୁଦ୍ରରେ ରହୁଥିବା ଦମନକ ନାମକ ରାକ୍ଷସ ବହୁତ ଉତ୍ପାତ କରୁଥିଲା ।
ମହାପ୍ରଭୁ ମଶ୍ଚଅବତାର ଧାରଣ କରି ଏହି ଦୈତ୍ୟକୁ ହାଣି ବିଗଳନ କରିଥିଲେ। ଦମନକ ମରିବା ପରେ ଗୋଟିଏ ସୁଗନ୍ଧିତ ଭ୍ରୁଣରେ ପରିଣତ ହୋଇଥିଲା ଏବଂ ମହାପ୍ରଭୁଙ୍କୁ ଆମୋଦିତ କରିଥିଲା। ମହାପ୍ରଭୁ ଏହି ସୁଗନ୍ଧିତ ଭ୍ରୁଣକୁ ନିଜ ଗଳାର ମାଳାରେ ଧାରଣା କରିଥିଲେ । ଏହି ସୁଗନ୍ଧିତ ତୃଣକୁ ଦୟଣା ବୋଲି କୁହାଯାଉଛି। ଏହି ପରମ୍ପରା ଆଧାରରେ ଶ୍ରୀମନ୍ଦିରରେ ଦୟଣାଚୋରି ନୀତି ଅନୁଷ୍ଠିତ ହୋଇଆସୁଛି। ଦୟଣାଚୋରି ପର୍ବ ତିନିଦିନ ଧରି ଅନୁଷ୍ଠିତ ହୋଇଥାଏ | ଦ୍ବାଦଶୀରେ କନ୍ଦର୍ପବାସ ନୀତି, ତ୍ରୟୋଦଶୀରେ ଦୟଣାଚୋରି ଓ ଚତୁର୍ଦ୍ଦଶୀରେ ଦୟଣାଲାଗି ନୀତି ଅନୁଷ୍ଠିତ ହୋଇଥାଏ।