
ପୁରୀ: (ମନୋଜ କୁମାର ବଳିଆରଶିଂ )ଚୈତ୍ର ଶୁକ୍ଳପକ୍ଷ ଦ୍ବାଦଶୀ ତିଥିରେ ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ବନବାସ ନୀତି ସମ୍ପନ୍ନ ହୋଇଛି। ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ବଢ଼ିବା ପରେ ଦକ୍ଷିଣୀ ଘରୁ ଶ୍ରୀରାମଚନ୍ଦ୍ର, ଲକ୍ଷ୍ମଣ ଏବଂ ମା’ ସୀତାଙ୍କ ପ୍ରତିମୂର୍ତ୍ତିକୁ ମହାଜନସେବକ ବିଜେକରି ରତ୍ନସିଂହାସନ ନିକଟକୁ ନେଇଥିଲେ। ପାଳିଆ ପୂଜାପଣ୍ଡା ସାମନ୍ତ ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ଆଣି ଶ୍ରୀରାମ, ଲକ୍ଷ୍ମଣ ଏବଂ ସୀତାଙ୍କୁ ପ୍ରଦାନ କରିଥିଲେ।
ଠାକୁର ଠାକୁରାଣୀ ଆଜ୍ଞାମାଳ ପ୍ରାପ୍ତ ହେବା ପରେ ମହାଜନସେବକ ଠାକୁରଙ୍କୁ ନେଇ ମୁକ୍ତିମଣ୍ଡପ ନିକଟରେ ଥୁବା ପାଲିଙ୍କିରେ ବିଜେ କରାଇଥିଲେ। ପରେ ସାହିଯାତ ନୀତି ନିମନ୍ତେ ଠାକୁର ପାଲିଙ୍କିରେ ଜଗନ୍ନାଥବଲ୍ଲଭକୁ ବିଜେ କରିଥିଲେ। ଠାକୁରମାନେ ଜଗନ୍ନାଥ ବଲ୍ଲଭ ପରିସରରେ ପହଞ୍ଚୀବା ପରେ ଠାକୁରଙ୍କୁ ମଠର ଖଟଶେଜ ଉପରକୁ ବିଜେ କରାଯାଇଥିଲା।ଅପରପକ୍ଷରେ ସାହିଯାତର ଚତୁର୍ଥ ଦିବସରେ ମାର୍କଣ୍ଡେଶ୍ବର ସାହି ଭଗବତୀ କୋଟ ଆଖଡ଼ା ପକ୍ଷରୁ ବନବାସ ନୀତି ପ୍ରସ୍ତାବ ଆଗତ କରାଯାଇଥିଲା। ନିଗମାମନ୍ଦ ସେନାପତି ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ, ପ୍ରଜ୍ଞାପ୍ରିୟଦର୍ଶିନୀ ସୀତା ଭୂମିକାରେ, ସାଇ କୃଷ୍ଣ ପାତ୍ର ଲକ୍ଷ୍ମଣଙ୍କ ଭୂମିକାରେ ନୀତି ସମ୍ପାଦନ କରିଥିଲେ। ସେହିପରି ବିଶ୍ବମିତ୍ର ଭୂମିକାରେ ନୀଳାଚଳ ପ୍ରଧାନ, ଶବର ରାଜା କାହ୍ନୁ ସାହୁ, ଡଗର ଭୂମିକାରେ ସତ୍ୟନାରାୟଣପଣ୍ଡା ପ୍ରମୁଖ ରହିଥିଲେ ।
ନୀତି ସମ୍ପନ୍ନ ହେବା ପରେ ଠାକୁରଙ୍କୁ ଶୀତଳ ଭୋଗ ମଣୋହି କରାଯିବା ପରେ ଠାକୁରମାନେ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିଥିଲେ। ମାର୍କଣ୍ଡେଶ୍ବର ଭଗବତୀ କୋଟ ଆଖଡ଼ା ପକ୍ଷରୁ ସମସ୍ତ ନୀତି ସମ୍ପାଦନ କରାଯାଇଥିଲା। ସେହିପରି ମାର୍କଣ୍ଡେଶ୍ବର ସାହିର ବିଭିନ୍ନ ଜାଗା ପକ୍ଷରୁ ଯାତ ବାହାରିଥିଲା । ଯାତ ବାଦିସାହି ଭ୍ରମଣ କରିବା ସହ ବିଭିନ୍ନ ପାରମ୍ପରିକ ଲୋକନୃତ୍ୟ ଓ ସମରକଳା ବୀରବାଦ୍ୟରେ ନୃତ୍ୟ ପ୍ରଦର୍ଶନ କରିଥିଲେ।
ସାତବଖରା, ଗଦାସାହଣ ବଡ଼ପୋଖରୀ, ଭଟଯାଗା, ଝାଟି ଜାଗା, ଦୁଆରୀ ଯାଗା, ବଡୁ ମହାପାତ୍ର ଜାଗା, ପାଣ୍ଡ ଜାଗା, ରାହାସ ମହାନ୍ତି ଜାଗା ଆଦି ଜାଗାଗୁଡ଼ିକ ପକ୍ଷରୁ ବିଭିନ୍ନ ପ୍ରକାର ମେଢ଼, ନାଗା ଓ ବିଭିନ୍ନ ପ୍ରକାର ସମରକଳା ଆଦି ବାହାରିଥିଲା। ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଏହି ସାହିଯାତ ପ୍ରଦର୍ଶନ କରାଯାଇଥିଲା। ଭଗବତୀ କୋଟ ନିକଟରେ ଆଠସାହିର ମୁରବିମାନେ ଉପସ୍ଥିତ ଥିଲେ।