
କେସିଙ୍ଗା ( ପ୍ରୀତେଶ ପଟେଲ)ଶିକ୍ଷକତା ଏକ ବୃତ୍ତି ନୁହେଁ , ମାନବ ସମାଜକୁ ଦିଗଦର୍ଶନ ଦେଇ ଅନନ୍ତ ସ୍ବର୍ଣିମ ସମ୍ଭାବନାର ଚିତ୍ରକାର ରୂପେ ଗଢି ତୋଳିବାର ଏକ ତ୍ୟାଗପୂତ ସେବା ଓ ତ୍ୟାଗ । ଶିକ୍ଷା ହିଁ ସାମାଜିକ ସହାବସ୍ଥାନର ମୂଳ ଚାବି କାଠି ବୋଲି ମୁଖ୍ୟ ଅତିଥି ଶ୍ରୀମତୀ ଯାଜ୍ଞସେନୀ ସାହା ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ଆୟୋଜିତ ପ୍ରଥମ ଓଡ଼ିଆ ପକ୍ଷ-୨୦୨୫ ପାଳନ ଅବସରରେ ମତବ୍ୟକ୍ତ କରିଛନ୍ତି ।
ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀ ସମୀର କୁମାର ବେହେରାଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଶ୍ରୀ ଧୀରଜ କୁମାର ଅଗ୍ରଓ୍ବାଲ ଓ ବିଦ୍ୟାଳୟ ପରିଚାଳନା ସଭାପତି ଶ୍ରୀ ଶିବ ପ୍ରସାଦ ସାହୁ ଯୋଗଦାନ କରିଥିଲେ। ଏହି ଅବସରରେ କେସିଙ୍ଗା ସହରର ଆଠ ଜଣ ବରିଷ୍ଠ କଳାକାର ଓ ବିଶିଷ୍ଟ ବ୍ୟକ୍ତି ବିଶେଷ ହିସାବରେ ବୈଷ୍ଣବ ଚରଣ ସାହା, ପୁରୁନ୍ଦର ଭୋଇ, ହୃଦାନନ୍ଦ ସାହା, ତେଜରାମ ମାଝୀ, ଲଳିତ ରଞ୍ଜନ ସାହା, ଅଜିତ ପଣ୍ଡା, ଚିତ୍ତ ରଞ୍ଜନ ବଗର୍ତ୍ତୀ ,ସ୍ବାତୀ ଜୈନଙ୍କୁ ସମ୍ବର୍ଦ୍ଧନା ଓ ଉପଢୌକନ ପ୍ରଦାନ କରାଯାଇଥିଲା ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ଏହି ଅନୁପମ ସମାବେଶର ଆୟୋଜନ କରିଥିବାରୁ ସମସ୍ତ ସମ୍ବର୍ଦ୍ଧିତ ବ୍ୟକ୍ତି ମାନେ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ସାଧୁବାଦ ଜଣାଇଥିଲେ। ଏହି କାର୍ଯ୍ୟକ୍ରମକୁ ଜି.କ୍ରିଷ୍ଣା ରେଡ୍ଡୀ ପରିଚାଳନା କରିଥିଲେ ।