
ପୁରୀ : (ମନୋଜ କୁମାର ବଳିଆରସିଂ )ଅପ୍ରେଲ ୩୦ତାରିଖରୁ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଚନ୍ଦନ ଯାତ୍ରା ଆରମ୍ଭ। ନରେନ୍ଦ୍ର ଜଳରେ ନୌକା କ୍ରୀଡା କରିବେ ଠାକୁର । ୨୧ ଦିନିଆ ଏହି ବାହାର ଚନ୍ଦନଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଧି ପୂର୍ବକ ଚୈତ୍ର ପୂର୍ଣ୍ଣିମାରେ ନରେନ୍ଦ୍ର ଜଳରେ ବୁଡି ରହିଥିବା ନନ୍ଦା ଭଦ୍ରା ଡ଼ଙ୍ଗା ଉପରକୁ ଅଣାଯାଇଛି।ଭୋଇ ସର୍ଦ୍ଦାରଙ୍କ ନେତୃତ୍ବରେ ଏହି କାର୍ଯ୍ୟ ସମ୍ପାଦନ କରାଯାଇଛି। ନରେନ୍ଦ୍ର ପାହାଚରେ ୫ଟି ଡ଼ଙ୍ଗା ସାଇତା ଯାଇଛି। ପବିତ୍ର ନରେନ୍ଦ୍ର ପୁଷ୍କରିଣୀରେ ନୌବିହାର କରନ୍ତି ଠାକୁରେ। ପରମ୍ପରା ଅନୁସାରେ ପ୍ରତି ବର୍ଷ ଚନ୍ଦନଯାତ୍ରା ହଳଦୀପାଣି ଉତ୍ସବ ପରେ ଡ଼ଙ୍ଗା ପାଣିରେ ବୁଡ଼ି ରହେ।
ଦୁଇ ଗୋଟି ନୌକାକୁ ଯୋଡ଼ି ନନ୍ଦା-ଭଦ୍ରା ପ୍ରସ୍ତୁତ କରାଯାଏ। ଏହାପରେ ବିଶ୍ଵକର୍ମାମାନେ ଚାପ ସଜାଡ଼ିବେ। ଚାପ ଚନ୍ଦନଯାତ୍ରା ପାଇଁପ୍ରସ୍ତୁତ ରହିବ। ନନ୍ଦା ଭଦ୍ରାରେ ଠାକୁରେ ବିଜେ ହେବେ । ପଞ୍ଚମ ଡ଼ଙ୍ଗାରେ ପାରମ୍ପରିକ ବାଦ୍ୟ ବଜନ୍ତରୀ ବାଜି ଠାକୁରଙ୍କ ଡ଼ଙ୍ଗା ସମ୍ମୁଖରେ ଯିବ ।ମହାପ୍ରଭୁଙ୍କ ନବକଳେବର ବର୍ଷରେ ଡ଼ଙ୍ଗା ତିଆରି ହୋଇଥାଏ। କୁହାଯାଏ ପାଣିରେ ବୁଡ଼ି ରହିଲେ ଡ଼ଙ୍ଗା ସୁରକ୍ଷିତ ରୁହେ। ମହାପ୍ରଭୁଙ୍କ ଯାହା ପରମ୍ପରା ତାହାକୁ ଆମେ ପାଳନ କରିଥାଉ ବୋଲି ଭୋଇ ସର୍ଦ୍ଦାର କହିଛନ୍ତି।