
ପୁରୀ : (ମନୋଜ କୁମାର ବଳିଆରସିଂ )ପୁରୀ, ସରିଛି ଶ୍ରୀକ୍ଷେତ୍ରର ସର୍ବବୃହତ୍ ମୁକ୍ତାକାଶ ଯାତ୍ରା ‘ସାହିଯାତ’। ଶ୍ରୀରାମଭିଷେକ ସହ ସାହିଯାତର ପରଦା ନଇଁଛି। କାଳିକାଦେବୀ ସାହିରୁ ରାମ ନବମୀରୁ ଆରମ୍ଭ ହୋଇଥିବା ଏହି ଯାତ ଆଜି ଗୌଡ଼ବାଡ଼ ସାହି ପକ୍ଷରୁ ରାମାଭିଷେକ ସହ ଶେଷ ହୋଇଛି କଥାବସ୍ତୁ ଅନୁଯାୟୀ, ଶ୍ରୀରାମଚନ୍ଦ୍ର ଯୁଦ୍ଧ ସାରି ନନ୍ଦିଗ୍ରାମରେ ପହଞ୍ଚିଛନ୍ତି ।
ଏଣେ କିନ୍ତୁ ଭରତ ଶ୍ରୀରାମଚନ୍ଦ୍ରଙ୍କ କଠଉ ପୂଜା କରିକରି ଭାଇଙ୍କ ପ୍ରତୀକ୍ଷା କରି ଧୈର୍ଯ୍ୟହରା ହୋଇ ଅଗ୍ନିରେ ଝାସ ଦେବାକୁ ଯାଉଛନ୍ତି ଶ୍ରୀରାମଚନ୍ଦ୍ର ଏହା ଜାଣିପାରି ହନୁମାନଙ୍କୁ ଭରତଙ୍କ ନିକଟକୁ ପଠାଇଛନ୍ତି। ହନୁମାନ ଆସି ନିଜର ପରିଚୟ ଦେଇ କହିଛନ୍ତି ‘ମୁଁ ପତିଆରା ହନୁମାନ’। ପ୍ରଭୁ ଶ୍ରୀରାମଚନ୍ଦ୍ର ନନ୍ଦିଗ୍ରାମରେ ପହଞ୍ଚିସାରିଛନ୍ତି। ଏହି ବାର୍ତା ଦେବା ପରେ ଭରତ ଖୁସି ବ୍ୟକ୍ତ କରୁଛନ୍ତି।
ଏହି କଥା କ୍ରମକୁ ଯାତରେ ପରିବେଷଣ ହୋଇଥିଲା । ଏହି ଅବସରରେ ପତିଆରା ହନୁମାନ ନୀତି ଅନୁଷ୍ଠିତ ହୋଇଛି ।ମୁନା ମୁଦୁଲି ପତିଆରା ହନୁମାର ଚରିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି। ଏଥିସହ ମେଢ଼ ଓ ନାଗା ସମେତ ସମରକଳା ଆକର୍ଷଣ ସାଜିଥିଲା।ଗୌଡ଼ବାଡ଼ ସାହି ଆଖଡ଼ା ପରିସରରୁ ଆଜି ରାମଭିଷେକ ପାଇଁ ହନୁମାନ, ବଶିଷ୍ଠ, ଭରତ, ଶତ୍ରୁଘ୍ନ ଶ୍ରୀମନ୍ଦିର କୁ ଯାଇଥିଲେ।ସେଠାରେ ଲଙ୍କା ବିଜୟର ଖୁସି ରେ ହନୁମାନ ଭିତର କାଠ ନିକଟରେ ନାଚି ପତିଆରା ଦେଖାଇଥିଲେ ।
ପରେ ଭଣ୍ଡାର ଘର ମଧ୍ୟରୁ ରୁପା କଠଉ ଆସି ଶ୍ରୀଜଗନ୍ନାଥଙ୍କ ପାଖରେ ରଖାଯିବା ପରେ ସେଠାରୁ ଆଜ୍ଞାମାଳ ପାଇ କଠଉ ଆସିଥିଲା। ଶେଷରେ ମହାଲକ୍ଷ୍ମୀଙ୍କ ଜଗମୋହନରେ ରାମାଭିଷେକ ନୀତି ଅନୁଷ୍ଠିତ ହୋଇଥିଲା। ଏହାବ୍ୟତୀତ ଆଜି ଗୌଡ଼ବାଡ଼ ସାହି ଆଖଡ଼ା ଅନଙ୍ଗ ତିଆଡ଼ି ଯାଗା, ଜବାନଗଡ଼ ଓ ଢିପ ଯାଗା ମେଳ ପକ୍ଷରୁ ସାହିଯାତର ଶେଷ ପର୍ବ ଦେଖିବାକୁ ମିଳିଥିଲା।