ଟିଟିଲାଗଡ :(ସଞ୍ଜୟ କୁମାର ନାୟକ)ଅଞ୍ଚଳର ଜଣାଶୁଣା ଜଣେ ପ୍ରଖ୍ୟାତ କୋଷଲି କବି ମଧୁସୂଦନ ମହାନନ୍ଦଙ୍କ ଗତ ୯ ତାରିଖରେ ହୃଦଘାତ ଜନିତ ଯନ୍ତ୍ରଣା ଅନୁଭବ କରିବାରୁ ପ୍ରଥମେ ଟିଟିଲାଗଡ ସରକାରୀ ଡାକ୍ତରଖାନାକୁ ଆଣି ପ୍ରାରମ୍ଭିକ ଚିକିତ୍ସା କରାଇଥିଲେ,ଡାକ୍ତର ତାଙ୍କୁ ବାହାରକୁ ରେଫର କରିବା ପରେ ରାୟପୁର ଯିବା ବେଳେ ତାଙ୍କର ପ୍ରାଣବାୟୁ ଚାଲି ଯାଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ତାଙ୍କର ଶୁଭେଚ୍ଛୁ, ଆତ୍ମୀୟ ସୌଜନ୍ୟ ଙ୍କ ସମେତ କୋଶଲି କବି ମାନଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଥିଲା।

ତେବେ ସ୍ୱର୍ଗତ ମହାନନ୍ଦଙ୍କୁ ସ୍ମରଣ କରିବା ସହ ତାଙ୍କୁ ଶ୍ରଦ୍ଧାଂଜଳି ଦେବା ଉଦ୍ଦେଶ୍ୟରେ ଟିଟିଲାଗଡ କୋଷଲି କବି ମାନଙ୍କ ତରଫରୁ ସଭାପତି ଶ୍ରୀଯୁକ୍ତ ଦିଲୀପ କୁମାର ପସାୟତଙ୍କ ସଭାପତିତ୍ବରେ ସ୍ଥାନୀୟ ଆଦିବାସି ଭବନ ଠାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା । ସ୍ୱର୍ଗତ ମହାନନ୍ଦ ପ୍ରଥମେ ଶିକ୍ଷକତା ଚାକିରି କରି ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ତାଙ୍କର ଚାକିରୀ ଜୀବନ କଟାଇଥିଲେ। ବ୍ୟାଙ୍କ ଭଳି ଏକ ବ୍ୟବସାୟିକ ପ୍ରତିଷ୍ଠାନରେ ଚାକିରି କରି ମଧ୍ଯ ବିଭିନ୍ନ ସାମାଜିକ ସାଂସ୍କୃତିକ କାର୍ଯ୍ୟକ୍ରମ ମାନଙ୍କରେ ନିଜକୁ ପ୍ରତ୍ୟକ୍ଷ ଭାବରେ ଜଡ଼ିତ ରଖୁଥିଲେ। ତାଙ୍କ ଜୀବନରେ ସେ ଶତାଧିକ ନାଟକରେ ଅଭିନୟ, ଚଳଚ୍ଚିତ୍ର ଆଦିମ ବିଚାରରେ ମଧ୍ଯ ଅଭିନୟ କରିବା ସହ ଅନେକ ନାଟକରେ ନିର୍ଦ୍ଦେଶନା ଦେଇଥିଲେ।

ଏହା ସହ ଓଡ଼ିଆ ତଥା କୋଶଳୀ ଭାଷାର ଜଣେ ପ୍ରଚଣ୍ଡ ପ୍ରତିଭା ଥିଲେ, ଆଧୁନିକ କୋଶଳୀ ସାହିତ୍ୟ କ୍ଷେତ୍ରରେ ତାଙ୍କର ପ୍ରତ୍ୟେକ କବିତା, ଗଳ୍ପ, ନାଟକରେ କୋଶଳୀ ମହକ ଦେଖିବାକୁ ମିଳୁଥିଲା ବୋଲି ଉପସ୍ଥିତ କବି ମାନେ ସ୍ମୃତି ଚାରଣ କରିଥିଲେ। ଏହି ସଭାରେ କୋଶଳୀ ସାଂସ୍କୃତିକ ମହାଯୋଟର ଆଗ ମଙ୍ଗୁଆଳ ଶ୍ରୀଯୁକ୍ତ ଟିକେଲାଲ ବେହେରା, କୋଶଳୀ ଭାଷା ସୁରକ୍ଷା ସମିତିର ଉପଦେଷ୍ଟା ଶ୍ରୀ ନୀଳମଣି ସାହୁ, ସମ୍ବାଦ ସାହିତ୍ୟ ଘରର ସଭାପତି ଶ୍ରୀ ସଞ୍ଜୟ ଅଗସ୍ତି, ଆଦିବାସି ସଙ୍ଘର ସଭାପତି ନିତ୍ୟାନନ୍ଦ ମାଝି, ଆଦିବାସି ସଙ୍ଘର ବ୍ଲକ ସଭାପତି ପଦ୍ମନ୍ ପ୍ରଧାନି, ଆଦିବାସି ସଙ୍ଘର ସଂପାଦକ ହେମେନ୍ଦ୍ର ହାଁସଦା, କବି ଆଦିମୂଳ ଶତପଥୀ, ଲିଲୁ ମୋହନ ପ୍ରଧାନ, ମାନସ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।