କଳାହାଣ୍ଡି:(ନରେନ୍ଦ୍ର ନେଗୀ)କଳାହାଣ୍ଡିର ଇଷ୍ଟଦେବୀ ମା ମାଣିକେଶ୍ବରୀଙ୍କ ବିଶ୍ବ ପ୍ରସିଦ୍ଧ ଛତର ଯାତ୍ରା ରବିବାର ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଏହି ଛତର ଯାତ୍ରାରେ ଚଳିତ ବର୍ଷ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା l ମାନସିକଧାରୀଙ୍କ ଛାଗ ଓ କୁକୁଡ଼ା ବଳିରେ ସହରର ରାଜ ରାସ୍ତା ସମେତ ଗଲି ରାସ୍ତା ଗୁଡିକ ରକ୍ତ ରଞ୍ଜିତ ହୋଇ ଯାଇଥିଲା l
କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ଏବଂ ନାଗ ବଂଶୀ ରାଜାଙ୍କ ଇଷ୍ଟ ଦେବୀ ହେଉଛନ୍ତି ମା ମାଣିକେଶ୍ବରୀ l ଭବାନୀପାଟଣା ସହରର ମଧ୍ୟ ଭାଗରେ ଥିବା ରାଜପ୍ରାସାଦ ନିକଟରେ ରହିଛି ମା ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ମନ୍ଦିର l ପରମ୍ପରା ଅନୁଯାୟୀ ମା ମାଣିକେଶ୍ବରୀ ଛତର ଯାତ୍ରା ସମୟରେ ବର୍ଷକୁ ଥରେ ମନ୍ଦିର ଗର୍ଭ ଗୃହରୁ ବାହାରି ତାଙ୍କ ପ୍ରତୀକ ଛତ୍ର ରୂପରେ ସହରର ଉପକଣ୍ଠରେ ଥିବା ଫାସୀ ଡ଼ଙ୍ଗରକୁ ଯାନ୍ତି l ସେଠାରେ ଥିବା ଜେନା ଖାଲରେ ପୂଜାର୍ଚନା କଲାପରେ ମନ୍ଦିରକୁ ପ୍ରତ୍ୟାବର୍ତନ କରନ୍ତି l
ପ୍ରତ୍ୟାବର୍ତନ ସମୟରେ ଭକ୍ତ ମାନଙ୍କୁ ଅତି ନିକଟରୁ ଦର୍ଶନ ଦିଅନ୍ତି l ଏହି ଯାତ୍ରାକୁ ଛତର ଯାତ୍ରା କୁହାଯାଏ lପରମ୍ପରା ଅନୁଯାୟୀ ମହାଷ୍ଟମୀ ରାତ୍ରିରେ ମା ମାଣିକେଶ୍ବରୀଙ୍କୁ ତାଙ୍କ ମନ୍ଦିରରେ ତାନ୍ତ୍ରିକ ପଦ୍ଧତିରେ ଗୁପ୍ତ ପୂଜା କରାଯାଇଥିଲା l ପରେ ମାଙ୍କ ମନ୍ଦିର ପରିସରରେ ଉତ୍ତର ଦିଗରେ ଥିବା ବୁଢାରlଜାଙ୍କ ମନ୍ଦିରରେ ମହାବଳି ( ପୋଢ଼ ବଳି ) ପ୍ରଦାନ କରାଯାଇଥିଲା l ଏହାପରେ ମା ମାଣିକେଶ୍ବରୀଙ୍କ ପ୍ରତୀକ ଭାବେ ଛତ୍ର ମନ୍ଦିର ଗର୍ଭ ଗୃହରୁ ବାହାରି ଭବାନୀପାଟଣା ଉପକଣ୍ଠର ପଶ୍ଚିମ ଦିଗରେ ଥିବା ଫାସୀ ଡ଼ଙ୍ଗର ଜେନା ଖାଲକୁ ମହାଷ୍ଟମୀ ନିଶlର୍ଦ୍ଧରେ ଗୁପ୍ତ ଭାବେ ଯାଇଥିଲା l
ଜେନା ଖାଲରେ ଗୁପ୍ତ ପଦ୍ଧତିରେ ପୂଜାର୍ଚନା ପରେନବମୀ ତିଥିରେ ରବିବାର ସକାଳ ପ୍ରାୟ ଛ ଟାରେ ମାଣିକେଶ୍ବରୀ ମନ୍ଦିର ଅଭିମୁଖେ ଛତର ବାହାରିଥିଲା l ଛତର ପ୍ରତ୍ୟାବର୍ତନ ସମୟରେ ଅତି ନିକଟରୁ ମାଙ୍କୁ ଦର୍ଶନ କରିବା ସହ ନିଜ ନିଜ ଗୁହାରି ଜଣାଇବା ପାଇଁ ଲକ୍ଷାଧିକ ଭକ୍ତଙ୍କ ଗହଳି ଲାଗିଥିଲା l ଏହା ସହ ମାନସିକଧାରି ମାନଙ୍କ ମାନସିକ ପୂରଣ ହେବାପରେ ସେମାନେ ପ୍ରଦାନ କରିଥିବା ହଜାର ହଜାର ବୋଦା ଓ କୁକୁଡ଼ା ବଳିରେ ରକ୍ତ ରଞ୍ଜିତ ହୋଇଉଠି ଥିଲା ରାଜ ପଥ ଏବଂ ସହରର ଗଳି ରାସ୍ତା l ହଜାର ହଜାର ସଂଖ୍ୟାରେ ଶାନ୍ତିର ପ୍ରତୀକ ଭାବେ କପୋତ ମାଙ୍କ ସମ୍ମୁଖରେ ଉଡାଇ ଭକ୍ତ ମାନେ ସେମାନଙ୍କ ଗୁହାରି ଜଣାଇଥିଲେ l ଭକ୍ତ ମାନେ ଧୂପ ଦୀପ ଏବଂ ଶୁକ୍ଳ ଭୋଗରେ ମଧ୍ୟ ମାଙ୍କୁ ଆପ୍ୟାୟିତ କରିଥିଲେ l
ଛତର ଯାତ୍ରା ସମୟରେ କଳାହାଣ୍ଡିର ବୀର ବାଦ୍ୟ ଘୁମୁରା ଏବଂ ବିଭିନ୍ନ ଘଣ୍ଟ ଦଳ ଓ ସାଂସ୍କୃତିକ ଦଳର ବାଦ୍ୟ ର ତାଳେ ତାଳେ ଗଗନ ପବନ ମୁଖରିତ ହୋଇ ଉଠିଥିଲା l ଅନେକ କଳାକାର ବିଭିନ୍ନ ବେଶ ଭୂଷlରେ ସଜ୍ଜିତ ହୋଇ ନୃତ୍ୟର ତlଳେ ତlଳେ ଝୁମି ଉଠିଥିଲେ l ପ୍ରତ୍ୟକ୍ଷ ଦେବୀ ମା ମାଣିକେଶ୍ବରୀଙ୍କୁ ଅତି ନିକଟରୁ ଦର୍ଶନ କରିବା ଏବଂ ଗୁହାରି ଆଶିଷ ଲାଭ କରିବାପାଇଁ ଜାତି ଧର୍ମ ନିର୍ବିଶେଷରେ କଳାହାଣ୍ଡି, ରାଜ୍ୟ ଓ ରାଜ୍ୟ ବାହାରର ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା l ଶାନ୍ତି ଶୃଙ୍ଖଳା ରକ୍ଷା କରିବାପାଇଁ ପ୍ରାୟ ୧୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା l
ଅନେକ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିଲା l ଟ୍ରାଫିକ ବ୍ୟବସ୍ଥା କୁ ଶୃଙ୍ଖଳିତ କରିବାପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା lଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା l ଭବାନୀପାଟଣା ପୌର ପାଳିକା ପକ୍ଷରୁ ରାସ୍ତା ଘାଟ ସଫା କରାଯାଇଥିଲା l ଜେନା ଖାଲ ଠାରୁ ପ୍ରାୟ ତିନି କିଲୋମିଟର ଅତିକ୍ରମ କରି ମାଙ୍କ ଛତର ମଧ୍ୟାହ୍ନରେ ମାଣିକେଶ୍ବରୀ ମନ୍ଦିରରେ ପହଂଚିଥିଲା l ମନ୍ଦିର ନିକଟରେ ଛତର ପହଂଚିବାପରେ ରାଜ ପରିବାର ପକ୍ଷରୁ ଛତରକୁ ଗ୍ରହଣ କରି ମା ମାଣିକେଶ୍ବରୀ ମନ୍ଦିରରେ ସ୍ଥାପନ କରାଯାଇଥିଲା l ବର୍ଷକୁ ଥରେ ଏହି ଛତର ଯାତ୍ରା ଦିନ ମା ଭକ୍ତ ଗହଣକୁ ଆସି ଦର୍ଶନ ଦେଉଥିବାରୁ ମାଙ୍କୁ ଅତି ନିକଟରୁ ଦେଖିବାପାଇଁ ପୁଣି ଆର ବର୍ଷର ଛତର ଯାତ୍ରାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଭକ୍ତ ଭକ୍ତl l