ଆନ୍ଧ୍ର ପ୍ରଦେଶ ବିଜୟନଗରମ୍‌ରେ ବଡ଼ ଧରଣର ରେଳ ଦୁର୍ଘଟଣା ଘଟିଛି । ଦୁଇଟି ପାସେଞ୍ଜର ଟ୍ରେନ୍ ମଧ୍ୟରେ ଧକ୍କା ହୋଇଛି । ଆଲମଣ୍ଡା ଷ୍ଟେସନ ନିକଟରେ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍‌କୁ ବିଶାଖାପାଟଣା- ରାୟଗଡା ପାସେଞ୍ଜର ଟ୍ରେନ୍ ଧକ୍କା ଦେଇଛି । ଏଥିରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି । ଆନ୍ଧ୍ର-ଓଡ଼ିଶା ସୀମାବର୍ତ୍ତୀ କଣ୍ଟାକାପାଲୀ-ଆଲମଣ୍ଡା ଷ୍ଟେସନ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି ।ମନୁଷ୍ୟକୃତ ତ୍ରୁଟି ଯୋଗୁ ଆନ୍ଧ୍ର-ଓଡ଼ିଶା ସୀମାରେ ରେଳ ଦୁର୍ଘଟଣା ଘଟଥିବା ଜଣାଯାଇଛି।। ରାୟଗଡ଼ା-ବିଶାଖାପାଟଣା ଲୋକୋ ପାଇଲଟଙ୍କ ତ୍ରୁଟି ଯୋଗୁ ଦୁର୍ଘଟଣା ଘଟିଥିବା ରେଳ ବିଭାଗର ପ୍ରାଥମିକ ତଦନ୍ତରୁ ଜଣାଯାଇଛି।

ଏଥିରୁ ସ୍ପଷ୍ଟ ହୋଇଛି ଯେ ରେଡ ସିଗନାଲ ପାଇ ଟ୍ରାକ ଉପରେ ଅଟକିଥିଲା ପଲାସା ପାସେଞ୍ଜର। ରାୟଗଡ଼ା- ବିଶାଖାପାଟଣା ପାସେଞ୍ଜରକୁ ମଧ୍ୟ ରେଡ ସିଗନାଲ ଦିଆଯାଇଥିଲା। ହେଲେ ରେଡ ସିଗନାଲକୁ ରାୟଗଡ଼ା ଲୋକୋ ପାଇଲଟ ଅଣଦେଖା କରିଥିଲେ। ଦ୍ରୁତ ଗତିରେ ପଲାସା ପାସେଞ୍ଜରକୁ ପିଟିଥିଲା ରାୟଗଡ଼ା ପାସେଞ୍ଜର। ବିଜୟନଗରମ ପ୍ରଶାସନ ପକ୍ଷରୁ ଏ ନେଇ ସ୍ଥାନୀୟ ଗଣମାଧ୍ୟମରେ ସୂଚନା ଦିଆଯାଇଛି।

ଆହତଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୨ ଜଣ ରେଳ କର୍ମଚାରୀ ଅଛନ୍ତି । ବିଶାଖାପାଟଣା-ରାୟଗଡାର ଲୋକୋ ପାଇଲଟ୍ ଓ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନର ଗାର୍ଡଙ୍କ ମୃତ୍ୟୁ ହୋଇଛି । ୧୩ ମୃତକଙ୍କ ମଧ୍ୟରୁ ୭ ଜଣଙ୍କ ପରିଚୟ ମିଳିଛି । ଏନେଇ ବିଜୟନଗରମ୍‌ ଏସପି ଦୀପିକା ସୂଚନା ଦେଇଛନ୍ତି।

ଅନ୍ୟପକ୍ଷେ, ଟ୍ରେନ୍‌ ଦୁର୍ଘଟଣା ଯୋଗୁ ୩୩ଟି ଟ୍ରେନ୍‌କୁ ରେଳ ବିଭାଗ ପକ୍ଷରୁ ବାତିଲ୍‌ କରାଯାଇଛି । ଏହାସହ ୨୨ଟି ଟ୍ରେନ୍‌ର ଗତିପଥ ପରିବର୍ତ୍ତନ ଓ ୧୧ଟି ଟ୍ରେନ୍‌ ଆଂଶିକ ବାତିଲ୍ ହୋଇଛି । ଅପରାହ୍ନ ୪ଟା ସୁଦ୍ଧା ମରାମତି କାମ ସରିବ ବୋଲି ଜଣାପଡ଼ିଛି ।

ସେପଟେ ସ୍ଥିତି ପରଖିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବା ଦିଲ୍ଲୀରେ ରେଲୱେର ବରିଷ୍ଠ ଅଧିକାରୀଙ୍କ ସହ ପୁରା ସ୍ଥିତିର ସେ ଅନୁଧ୍ୟାନ କରିଛନ୍ତି । କିଭଳି ଏତେ ବଡ଼ ଦୁର୍ଘଟଣା ହେଲା ସେନେଇ ସମୀକ୍ଷା ଚାଲିଛି ।ସୂଚନାଥାଉ କି, ଆଲମଣ୍ଡା ଷ୍ଟେସନ ନିକଟରେ 08532 ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍ ଟ୍ରାକ୍‌ରେ ଥିବାବେଳେ 08504 ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ୍‌କୁ ପଛରୁ ଧକ୍କା ଦେଇଥିଲା । ଏଥିଯୋଗୁ ୫ଟି ବଗି କ୍ଷତିଗ୍ରସ୍ତ ହୋଇଥିଲା । ଗୋଟିଏ ଟ୍ରେନ୍ ଉପରେ ଚଢ଼ି ଯାଇଥିଲା ଆଉ ଏକ ଟ୍ରେନ୍ ।

ଦୁର୍ଘଟଣା ଖବର ପାଇଁ ସ୍ଥାନୀୟ ପ୍ରଶାସନ ଓ ରେଳ ବିଭାଗ ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥଲା । ପରେ ଏଥିରେ ଏସ୍‌ ଡିଆରଏଫ୍ ଓ ଏନଡିଆରଏଫ୍ ଟିମ୍ ସାମିଲ ହୋଇଥିଲେ । ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ବିଜୟନଗରମ୍ ମେଡିକାଲରେ ଭର୍ତ୍ତି କରାଯାଇଛି ।