
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ମହାନଦୀ ସେତୁ ନିକଟରୁ ଯୁବକଙ୍କ ମୃତ ଦେହ ଉଦ୍ଧାର l ପୀଡିତ ପରିବାର ଓ ଗ୍ରାମବାସୀ ଆଣୁଛନ୍ତି ଅପହରଣ ଓ ହତ୍ୟା ଅଭିଯୋଗ l ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଜାଲୋଏ ଗ୍ରାମପଞ୍ଚାୟତ ଅନ୍ତର୍ଗତ କେଶଲପୁରା ଗ୍ରାମର ସରକାରୀ ଶିକ୍ଷକ ସ୍ବର୍ଗତ ଲୋକନାଥ ନାଏକ ବରଗଡ ଜିଲ୍ଲାରେ ପ୍ରାୟ ଦଶ ବର୍ଷ ପୂର୍ବେ ବିବାହ କରିଥିଲେ l ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି l
ବେଶ ହସଖୁସିର ପରିବାର ଥିଲା l ହଠାତ ପ୍ରାୟ ତିନି ଚାରି ବର୍ଷ ପୂର୍ବରୁ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା l ଯାହା ଫଳରେ ସ୍ୱାମୀ ସ୍ତ୍ରୀ ଅଲଗା ରହୁଥିଲେ l ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ସ୍ତ୍ରୀ ଜଣକ ସୁବର୍ଣ୍ଣପୁର ସହର ରେ ଏକ ଘର ଭଡ଼ାନେଇ ରହୁଥିବା ବେଳେ ମୃତ ଶିକ୍ଷକ ଜଣକ ନିଜ ଘରେ ରହୁଥିଲେ l ଗତକାଲି ସନ୍ଧ୍ୟାରେ କିଛି ଯୁବକ ମୃତ ଯୁବକଙ୍କୁ କେଶଲପୁରା ଛକଠାରୁ ଅପହରଣ କରିନେଇଥିଲେ l
ଗତକାଲି ସନ୍ଦ୍ୟାରେ ପୀଡିତ ପରିବାର ଓ ଗ୍ରାମବାସୀ ବୀରମହାରାଜପୁର ଥାନାରେ ମୃତ ଲୋକନାଥଙ୍କ ଅପହରଣ ଅଭିଯୋଗ କରିଥିଲେ ସୁଦ୍ଧା ବୀରମହାରାଜପୁର ପୋଲିସ କୌଣସି ତତ୍ପରତା ନ ଦେଖେଇ ସକାଳୁ ଦେଖିବା ବୋଲି ଫେରେଇ ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ଆଜି ଲୋକନାଥଙ୍କ ମର ଶରୀର ମହାନଦୀ ସେତୁ ନିକଟରୁ ଉଦ୍ଧାର ହେବାପରେ ପୀଡିତ ପରିବାର ଓ ଗ୍ରାମବାସୀ ବୀରମହାରାଜପୁର ପୋଲିସର ଅବହେଳା ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଥିଲେ l ତାପରେ ଉତ୍ୟକ୍ତ ଲୋକେ ମହାନଦୀ ସେତୁ ଉପରେ ଶବରଖି ରାସ୍ତାରୋକ କରିଥିଲେ l