ମୁନିଗୁଡା:(ରମାକାନ୍ତ ପୋଡାଲ )ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକରେ ଚଇତି ପରବ ୨୦୨୩ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।ପଞ୍ଚାୟତ ସମିତି ଅଧ୍ୟକ୍ଷା ଦୁଃଖିନୀ ନୁଣ୍ଡରୁକାଙ୍କ ଅଧ୍ୟକ୍ଷତା ଓ ବିଡ଼ିଓ ପ୍ରିତମ କୁମାର ତନ୍ତୀଙ୍କ ସଂଯୋଜନାରେ ଆୟୋଜିତ ହୋଇଥିବା ଏହି ବୈଠକରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଆଦର୍ଶ କୁସୁଲିଆ, ମୁଖ୍ୟ କିରାଣୀ ଜିତେନ୍ଦ୍ର କୁମାର,ଜିପିଓ ଭିକାରୀ ଚରଣ ମିଶ୍ର ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ଚଇତି ଉତ୍ସବର ଆୟୋଜନ ଉପରେ ଆଲୋକପାତ କରିଥିଲେ।

ଚଳିତ ବର୍ଷ ବ୍ଲକ ସ୍ତରୀୟ ଚଇତି ଉତ୍ସବ ଡିସେମ୍ବର ମାସ ୧୪ତାରିଖ ଦିନ ସ୍ଥାନୀୟ ମୁନିଗୁଡା ମହା ବିଦ୍ୟାଳୟ ପଡିଆରେ ଆୟୋଜନ କରାଯିବା ପାଇଁ ସର୍ବ ସମ୍ମତି ଓ ସୁବିଧା ଦୃଷ୍ଟିରୁ ନିଷ୍ପତି ନିଆ ଯାଇଥିଲା।ସକାଳ ୭ଟାରେ ମୁନିଗୁଡ଼ା ଠାକୁରାଣୀ ମନ୍ଦିରରୁ ମଶାଲ ଯାତ୍ରା ବାହାରି ଚଇତି ମଣ୍ଡପରେ ସ୍ଥାପନ କରାଯିବ।ପରେ ମୁନିଗୁଡ଼ା ଲକ୍ଷ୍ମଣ ନାୟକ ଛକରୁ ଏକ ମାରାଥନ ରେସ ହୁକୁମାତୋଳାର ରାମେଶ୍ବର ଶୈବପୀଠ ପର୍ଯ୍ୟନ୍ତ ଯାଇ ସେଠାରୁ ଫେରିବ।ଏହି ଏକ ଦିନିଆ ଚଇତି ମହୋତ୍ସବରେ ଦିନରେ ବିଭିନ୍ନ କ୍ରୀଡା ଓ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜିତ ହେବା ପାଇଁ ସ୍ଥିର କରାଯାଇଛି।

ପ୍ରତ୍ୟେକ ପଞ୍ଚାୟତରୁ ସାଂସ୍କୃତିକ ଦଳ ଚୟନ କରାଯାଇ ସେମାନଙ୍କୁ ବ୍ଲକ ଚୈତି ଉତ୍ସବରେ କଳା ପ୍ରଦର୍ଶନ ପାଇଁ ସୁଯୋଗ ଦିଆଯିବ।ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠଙ୍କୁ ଜିଲ୍ଲା ସ୍ତରୀୟ ଚଇତି ମହୋତ୍ସବରେ ଭାଗ ନେବାର ସୁଯୋଗ ମିଳିବ ବୋଲି ବିଡ଼ିଓ ଶ୍ରୀଯୁକ୍ତ ତନ୍ତୀ ଜଣାଇଥିଲେ।ପରେ ମୁଖ୍ୟ କିରାଣି ଆଜି ଅପରାହ୍ନରେ ଚଇତି ଉତ୍ସବର ସଫଳ ଆୟୋଜନକୁ ନେଇ ବିଭିନ୍ନ କମିଟି ଗଠନ ହେବା ନେଇ ସୂଚିତ କରାଇଥିଲେ।

ଉକ୍ତ ବୈଠକରେ କୋରାପୁଟ ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ଜଗନ୍ନାଥ ନୁଣ୍ଡରୁକା, ମୁନିଗୁଡା ସରପଞ୍ଚ ସରସ୍ଵତୀ ଶବର ବରିଷ୍ଠ ସାମ୍ବାଦିକ ରାଜୀବ ଲୋଚନ ଦାସ,ମନୋରଞ୍ଜନ ଦଳାଇ,ଗଣେଶ ପାତ୍ର,ରଞ୍ଜନ ସ୍ବାଇଁ,ନନ୍ଦକିଶୋର ପଟ୍ଟନାୟକ, ମହେଶ ଵୋହରାଙ୍କ ସମେତ ବିଭିନ୍ନ ପଞ୍ଚାୟତର ଲୋକ ପ୍ରତିନିଧି,ପଞ୍ଚାୟତ ପିଇଓ,ବିଶିଷ୍ଟ ଲୋକମାନେ ଉପସ୍ଥିତ ରହି ସେମାନଙ୍କ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।