ଟିଟିଲାଗଡ: (ସଞ୍ଜୟ କୁମାର ନାୟକ)କେନ୍ଦ୍ର ସରକାର ହୁଅନ୍ତୁ କି ରାଜ୍ୟ ସରକାର, ସଦାବେଳେ ଜନ ହିତକର ତଥା ଲୋକଙ୍କ ସୁବିଧା ନିମନ୍ତେ ବିଭିନ୍ନ ଯୋଜନା ହାତକୁ ନେଇଥାନ୍ତି। ଶିକ୍ଷା ସ୍ବାସ୍ଥ୍ୟ ଓ ଗମନା ଗମନ ସହ ଜନ ସାଧାରଣଙ୍କୁ ଉଚିତ ସୁବିଧା ଯୋଗାଇବା ହେଉଛି ସରକାରଙ୍କ ମୂଳ ଲକ୍ଷ୍ୟ। ପରିତାପର ବିଷୟ ଯେ ଟିଟିଲାଗଡ ସହରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ରାଜ୍ୟ ସରକାରଙ୍କ ଦ୍ବାରା ଛାତ୍ର ଛାତ୍ରୀ ମାନଙ୍କୁ ଉଚିତ ଶିକ୍ଷା ପ୍ରଦାନ କରିବା ନିମନ୍ତେ ଆଦର୍ଶ ବିଦ୍ୟାଳୟ ଯୋଜନା ଆରମ୍ଭ କରାଗଲା। ଏଥିରେ ବ୍ଲକ ମୁଖ୍ୟ କାର୍ଯ୍ୟାଳୟ ଠାରୁ ଦଶ କିଲୋମିଟର ଦୂରତା ପୁଣି ରାସ୍ତା ନିକଟ ବର୍ତ୍ତି ଅଞ୍ଚଳରେ ଆଦର୍ଶ ବିଦ୍ୟାଳୟ ଖୋଲା ଯିବା କଥା ଯାହାକି ଟିଟିଲାଗଡରେ ତାହା ହୋଇନି କାରଣ କଣ ? ଶିକ୍ଷା ବିଭାଗର କେଉଁ ନିୟମାନୁଯାୟୀ ଟିଟିଲାଗଡ ମୁଖ୍ୟ କାର୍ଯ୍ୟାଳୟ ଠାରୁ ପାଖାପାଖି ପଚିଶ କିଲୋମିଟର ଦୂରରେ ସ୍ଥାପନ କରାଗଲା ?

ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ କଡ଼ରେ ଏସ ଏଚ ଜି ମହିଳା ହାଟ ନିର୍ମାଣ ହୋଇପାରିଲା କିପରି ? ଟିଟିଲାଗଡ ସହର ଠାରୁ ଚାରି କିଲୋମିଟର ଦୂରରେ ରାସ୍ତା କଡ଼ରେ ପିପଲ ପଦର ଠାରେ ମାତୃ ଶିଶୁ ହସ୍ପିଟାଲ ଓ ମୁଖ୍ୟ ଡାକ୍ତରଖାନା ମଧ୍ୟ ନିର୍ମାଣ ହେଲା କିପରି ? ସହରରୁ ବେଲ ଗାଁ ଯିବା ରାସ୍ତାରେ ଚାରି କିଲୋମିଟର ଦୂର ରାସ୍ତା କଡ଼ରେ ନୂତନ କୋର୍ଟ ବିଲ୍ଡଙ୍ଗ୍ ନିର୍ମାଣ ହେଉଛି କିପରି ? ତେବେ କେଉଁ କାରଣରୁ ଶିକ୍ଷା ବିଭାଗ ଟିଟିଲାଗଡ ଆଦର୍ଶ ବିଦ୍ୟାଳୟ କୁରସୁଡ ଗ୍ରାମରେ ନିର୍ମାଣ କଲେ ? ଲୋକ ବୁଝି ପାରୁ ନାହାନ୍ତି, ଚା ଖଟିରେ ଚର୍ଚ୍ଚା ହେଉଛି। ଯଦି ଟିଟିଲାଗଡରେ ବିକାଶ କାର୍ଯ୍ୟ ଯୋର ସୋରରେ ହେଉଛି ଶିକ୍ଷା କ୍ଷେତ୍ରରେ ଛାତ୍ର ଛାତ୍ରୀଙ୍କୁ ଅବହେଳା କରାଯାଉଛି କାହିଁକି ?

ସେହିଭଳି ଡି ଏ ଭି ମହାବିଦ୍ୟାଳୟ ପରିସରରେ ଟାଉନ ହଲ ନିର୍ମାଣ କିପରି ହେଲା ? କେଉଁ ଯୋଜନା ଅନ୍ତର୍ଗତ ଗୋଟିଏ ମହାବିଦ୍ୟାଳୟ ପରିସର ମଧ୍ୟରେ ଟାଉନ ହଲ ନିର୍ମାଣ ହେଲା ଲୋକ ବୁଝି ପାରୁ ନାହାନ୍ତି ଯେହେତୁ ତାହା ମହାବିଦ୍ୟାଳୟ ଅଧୀନରେ ରହିଛି କାହାର ସୁବିଧା ପାଇଁ ତାହା ନିର୍ମାଣ ହେଲା ? ଡିଏ ଭି ମହାବିଦ୍ୟାଳୟ ଜଗୁଆ ପଞ୍ଚାୟତ ଅଧିନରେ ଆସୁଛି ତାହେଲେ ପଞ୍ଚାୟତ ଅଧିନରେ ଥିବା ସ୍ଥାନରେ ଟିଟିଲାଗଡ ଟାଉନ ହଲ ନିର୍ମାଣ କାହା ସ୍ୱାର୍ଥରେ ? ସହରରେ ଏବେ ସବୁ ଚା ଖଟିରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଟିଟିଲାଗଡ ଅଞ୍ଚଳର ବିକାଶ ଭିତରେ ଆଦର୍ଶ ବିଦ୍ୟାଳୟ ମଧ୍ଯ ରହିଛି, କୁର୍ସୁଡ ଠାରେ ଆଦର୍ଶ ବିଦ୍ୟାଳୟ ନିର୍ମାଣ ହେବା ଯୋଗୁଁ ସହରରୁ ଛାତ୍ର ଛାତ୍ରୀ ମାନେ ଗାଡି ଯୋଗେ ପାଠ ପଢିବା ପାଇଁ ଯାଉଛନ୍ତି। ବ୍ଲକ ମୁଖ୍ୟ କାର୍ଯ୍ୟାଳୟ ଠାରୁ ଦଶ କିଲୋମିଟର ଦୂରତା ମଧ୍ୟରେ ନିର୍ମାଣ କାହିଁକି ହେଲାନି ? ଜନତା ମାଗେ ଜବାବ।

ସେହିପରି ସହରରେ ସେଣ୍ଟ୍ରାଲ ସ୍କୁଲ ନିର୍ମାଣ କେବେ ହେବ ? ଯେହେତୁ ଆଦର୍ଶ ବିଦ୍ୟାଳୟ ଦୂରକୁ ଘୁଞ୍ଚିଲା ଏବେ ସମସ୍ତଙ୍କ ଆଶା ସେଣ୍ଟ୍ରାଲ ସ୍କୁଲ ଏଭଳି ଦୁର୍ଦ୍ଦଶାର ଶିକାର ନ ହେଉ। ଯେହେତୁ ଆଉ କିଛି ମାସ ଗଲେ ନୂତନ ଶିକ୍ଷା ବର୍ଷ ଆରମ୍ଭ ହେବ ସେଥିପାଇଁ ସେଣ୍ଟ୍ରାଲ ସ୍କୁଲ ଅତି ଶୀଘ୍ର ଖୋଲାଯାଉ ବୋଲି ସାଧାରଣରେ ଦାବି ହେଉଛି। ସ୍ଥାନ ନିରୂପଣ ଚୟନ ପ୍ରକ୍ରିୟା ସରିଥିବା କୁହା ଯାଉଥିବା ବେଳେ ନିର୍ମ।ଣ କାର୍ଯ୍ୟ ଆରମ୍ଭ ହେବ କେବେ ? ସ୍କୁଲ ପାଇଁ ନାମ ପଞ୍ଜିକରଣ କେବେଠୁ ଆରଂଭ ହେବ? ପାଠ ପଢା କେବେଠୁ ଆରମ୍ଭ ହେବ ? ଏହିଭଳି ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଚି। ଆଦର୍ଶ ବିଦ୍ୟାଳୟ ଭଳି କେନ୍ଦ୍ର ବିଦ୍ୟାଳୟ ଖୋଲିବା ସ୍ବପ୍ନ ହୋଇ ରହି ଯିବନି ତ୍ ? ଟିଟିଲାଗଡ ସହରବାସି ବୁଝି ପାରୁ ନାହାନ୍ତି ସରକାରଙ୍କ କେଉଁ ନିୟମ କିଭଳି କାର୍ଯ୍ୟକାରି ହେଉଛି। ଆଗକୁ ନିର୍ବାଚନ ଆସୁଛି ତାହା ପାଇଁ କିଛି ଘୋଷଣା କଲେ କିମ୍ୱା କିଛି କାର୍ଯ୍ୟ ସମ୍ପନ୍ନ କଲେ ଲୋକ ଜାଣିପାରନ୍ତେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।