ସୁବର୍ଣ୍ଣପୁର: (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ସହରର ଭାରତୀୟ ଷ୍ଟେଟ ବ୍ୟାଙ୍କ ସମ୍ନାରୁ ଆଜି ପ୍ରାୟ ୩୦ ଗ୍ରାମ ଓଜନର ଦୁଇଟି ସୁନା ଚେନ ଲୁଟ ହୋଇଛି।ଦ୍ଵିନ ଦ୍ବିପ୍ରହର ପ୍ରାୟ ୧ ଘଂଟା ସମୟରେ ବୌଦ୍ଧ ଜିଲ୍ଲା ମନୁମୁଣ୍ଡା ଥାନା ଅନ୍ତର୍ଗତ ପଲସାଗୋରାର ଗାଁ ର ମଧୁଲିଙ୍କା ପ୍ରଧାନ ବଗଲା ସୁନା ଦୋକାନରୁ ପ୍ରାୟ ଦୁଇ ଲକ୍ଷ ଟଙ୍କା ଦେଇ ଦୁଇଟି ସୁନା ଚେନ କିଣିଥିଲେ। ମଧୁଲିଙ୍କା ତାଙ୍କ ପରିବାର ଲୋକଙ୍କ ସହିତ ବଗଲା ସୁନା ଦୋକାନକୁ କାର ଯୋଗେ ଆସି ସୁନା ଚେନ ପସନ୍ଦ କରିଥିଲେ।
ସୁନା ଦୋକାନୀଙ୍କୁ ସୁନା ଗହଣାର ମୂଲ୍ୟ ଦେଇ ବିଲ ସହିତ ସୁନା ଚେନଟିକୁ ତାଙ୍କ ପର୍ସ ଭିତରେ ରଖି ସୁନା ଦୋକାନରୁ ବାହାରିଥିଲେ। ସୁନା କିଣିବା ପାଇଁ ନିଜ ପରିବାର ଲୋକଙ୍କ ସହିତ ଆସିଥିବା ମଧୁଲିଙ୍କା ପରିବାର ସହିତ କଥାବାର୍ତ୍ତା ହୋଇ ଷ୍ଟେଟ ବ୍ୟାଙ୍କ ନିକଟରେ ଥିବା କାର ପାଖକୁ ଆସୁଥିବା ସମୟରେ ପଛ ପଟରୁ ଦୁଇ ଜଣ ଯୁବକ ଏକ ପଲସର ବାଇକରେ କ୍ଷିପ୍ର ଗତିରେ ଆସି ସୁନା ଚେନ ଓ ବିଲ ଥିବା ପର୍ସଟିକୁ ଟାଣି ନେଇଥିଲେ।ମଧୁଲିଙ୍କା ହଠାତ କଣ ହେଲା ଭାବି ପାରି ନ ଥିଲେ।
ତେବେ ଏପରି ଏକ ଅଭାବନୀୟ ଘଟଣାରେ ପୀଡିତ ମଧୁଳୀଙ୍କା ସଦର ଟାଉନ ଥାନାରେ ନିଜ ସୁନା ଗହଣା ଉଦ୍ଧାର କରିବା ସହିତ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଲିଖିତ ଅଭିଯୋଗ କରିଛନ୍ତି।ଷ୍ଟେଟ ବ୍ୟାଙ୍କ ପାଖରୁ ପ୍ରାୟ ୧୦୦ ମିଟର ଦୂରରେ ଟାଉନ ଥାନା ରହିଥିଲେ ବି ପୋଲିସର ନିଷ୍କ୍ରିୟତା ଯୋଗୁଁ ଏଭଳି ଘଟଣା ହେଉଥିବା ଦେଖିବାକୁ ମିଳୁଥିବା ଅଭିଯୋଗ ହେଉଛି।ସହରରେ ଦିନକୁ ଦିନ ଚୋରି ଡକାୟତି ଆଦି ଘଟଣା ବଢି ବଢି ଚାଲିଥିବା ବେଳେ ପୋଲିସ ଏଭଳି ଘଟଣା ସବୁ ରୋକିବାରେ ବିଫଳ ହେଉଥିବା ଅଭିଯୋଗ ହେଉଛି।ଆଜିର ଏହି ସୁନା ଚେନ ଲୁଟ ଘଟଣା ପାଇଁ ଜନସାଧାରଣଙ୍କ ଭିତରେ ପୋଲିସ ଉପରେ ଅସନ୍ତୋଷ ଦେଖା ଦେବା ସହିତ ଲୋକଙ୍କ ଭିତରେ ଭୟ ସୃଷ୍ଟି ହୋଇଛି।