ଭୁବନେଶ୍ୱର :ଆନ୍ତର୍ଜାତିକ ଅଶୋଭନୀୟତା ନିରୋଧ ଆନ୍ଦୋଳନ ପକ୍ଷରୁ ଶୋଭନୀୟ ଉତ୍ସବ- ୨୦୨୪, ଯୁଗସ୍ରଷ୍ଟା ଶୋଭନୀୟ ଶିକ୍ଷାଶ୍ରମ, ଉଦୟଗିରିର ବାର୍ଷିକୋତ୍ସବ ଏବଂ ସର୍ବଭାରତୀୟ ଯୁବ ସମାବେଶ ଜୟଦେବ ଭବନ, ଭୁବନେଶ୍ୱର ଏବଂ ଚଣ୍ଡିଖୋଲ ନିକଟସ୍ଥ ବୌଦ୍ଧପୀଠ ଉଦୟଗିରିରେ ପୂଜ୍ୟଶ୍ରୀ କୁମାର ଭାଇଙ୍କ ଦ୍ୱାରା ପ୍ରତିଷ୍ଠିତ ଜାତୀୟ ଶୋଭନୀୟ ଶିକ୍ଷାଶ୍ରମ ପରିସରରେ ଦୁଇଦିନ ଧରି ନିର୍ଦ୍ଦେଶିକା ଡଃ. ଅରୁନ୍ଧତୀ ଦେବୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଅଛି ।

‘ସର୍ବଭାରତୀୟ ଯୁବ ସମାବେଶ’କୁ ପଦ୍ମବିଭୂଷଣ ସୁଦର୍ଶନ ସାହୁ ଉଦ୍‌ଘାଟନ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଉଚ୍ଚଶିକ୍ଷା, ଖାଦ୍ୟ ଯୋଗାଣ ଓ ଖାଉଟିକଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଶିଷ୍ଟ ଅତିଥି ରୂପେ ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ, ପ୍ରଫେସର କାଳୀକିଙ୍କର ପଟ୍ଟନାୟକ, କିଟ୍‌ର ଆସୋସିଏଟ୍ ପ୍ରଫେସର ଡ. ବିଦୁଭୂଷଣ ଦାଶ, ଇଥିଓପିଆର ଯୁବଛାତ୍ର ପ୍ରତିନିଧି ମିସ୍ ସେଗ୍‌ନେଟ୍ ମେନ୍‌ଜିସ୍‌ତୁ ଓ ଯୁବ ପ୍ରତିନିଧି ଭାବରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, କାଏରୋ, ଇଜିପ୍‌ଟିରେ କାମ କରୁଥିବା ଡା. ସତ୍ୟ ଲେଙ୍କା ଯୋଗ ଦେଇଥିଲେ ।

ଡା. ଲେଙ୍କାଙ୍କୁ ଚଳିତବର୍ଷର ‘ଆନ୍ତର୍ଜାତିକ କୁମାର ଭାଇ ଶୋଭନୀୟ ଯୁବସମ୍ମାନ’ ଓ ମିସ୍ ସେଗ୍‌ନେଟ୍ ମେନ୍‌ଜିସ୍‌ତୁଙ୍କୁ ‘ଆନ୍ତର୍ଜାତିକ କୁମାର ଭାଇ ଶୋଭନୀୟ ଯୁବ ଛାତ୍ର ସମ୍ମାନ’ ପ୍ରଦାନ କରାଯାଇଥିଲା । ମୁଖ୍ୟଅତିଥି ପୂଜ୍ୟଶ୍ରୀ କୁମାର ଭାଇଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ମହତ୍ ଆନ୍ଦୋଳନ ଭଲ ସମାଜ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ମାନ୍ୟବର ସାଂସଦ ଶ୍ରୀମତୀ ସୁଲତା ଦେଓ ପିଲାଦିନୁ ଏହି ଆନ୍ଦୋଳନ କଥା ବାପାଙ୍କ ଠାରୁ ଜାଣିଛନ୍ତି ବୋଲି କହିବା ସହ ଏହି ଆନ୍ଦୋଳନର ଲକ୍ଷ୍ୟ କେବଳ ପାଠପଢ଼ା ନୁହେଁ, ଶୋଭନୀୟ ଆଚରଣ ଅବଲମ୍ବନ ଦ୍ୱାରା ଏକ ସଂସ୍କୃତିସମ୍ପନ୍ନ ସମାଜ ଗଠନ କରାଯାଇପାରିବ ବୋଲି କହିଥିଲେ ।

ଉଦ୍‌ଘାଟକ ପଦ୍ମବିଭୂଷଣ ଶ୍ରୀ ସାହୁ, ମା’ ଡଃ. ଅରୁନ୍ଧତୀ ଦେବୀ ନେତୃତ୍ୱ ନେଉଥିବା ଏହି ଆନ୍ଦୋଳନକୁ ସମସ୍ତେ ସହଯୋଗ କରିବା ଉଚିତ ଏବଂ କିଛି କିଛି ଶୋଭନୀୟ ସଂଗଠନ ନିଜ ଅଂଚଳରେ କରିବାକୁ ପରାମର୍ଶ ଦେଇଥିଲେ । ଉତ୍ତରାଖଣ୍ଡରୁ ଡଃ. ଅଜୟ ଶର୍ମା, ଇଥୋପିଆର ସ୍କଲାର ମିସ୍ ସେଗ୍‌ନେଟ୍‌, ଆଇଜର୍‌ର ନୀଲେଶ କୁମାର ରାଉତ, ସଂଜୟ କୁମାର, ସୁଶ୍ରୀ ଅରୂପା ପ୍ରଭୃତି ‘ଶାନ୍ତି, ଶୋଭନୀୟତା ଏବଂ ଅହିଂସା’ ଉପରେ ସନ୍ଦର୍ଭ ପାଠ କରିଥିଲେ । ପ୍ରଫେସର ପଟ୍ଟନାୟକ କହିଲେ ଯେ, ଯୁଗଗୋଷ୍ଠୀ ଶକ୍ତିର ଝରଣା । ଚରିତ୍ରର ପରିବର୍ତ୍ତନ ପାଇଁ କୁମାର ଭାଇ ଏହି ଆନ୍ଦୋଳନ କରିଥିଲେ ଏବଂ ତାହା ଏହି ସମୟର ଆବଶ୍ୟକତା ଅଟେ ବୋଲି ମତବ୍ୟକ୍ତ କରିଥିଲେ । ଜାତୀୟ ଯୁବ ପ୍ରକଳ୍ପର ମଧୁଭାଇଙ୍କୁ ‘ଯୁବ ପ୍ରେରଣା ସମ୍ମାନ’ ପ୍ରଦାନ କରାଯାଇଥିଲା । ଜଗନ୍ନାଥ ଚାରିଟେବୁଲ୍ ଟ୍ରଷ୍ଟର ଶ୍ରୀ ଦେବାଶିଷ ସାହୁ ‘ସେବା ସମ୍ମାନ’ ଗ୍ରହଣ କରିଥିଲେ । ସ୍ମରଣିକା ‘ଯୁବସୂର୍ଯ୍ୟ’କୁ ଅତିଥିମାନେ ଉନ୍ମୋଚନ କରିଥିଲେ ।

ଶୋଭନୀୟ ଉତ୍ସବକୁ ଏକ ତାରିଖ ପ୍ରଭାତରେ ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ଉତ୍‌ଘାଟନ କରି ଏହି ଆନ୍ଦୋଳନ ମଣିଷ ତିଆରି କରୁଛି ବୋଲି କହିଥିଲେ । ପ୍ରଫେସର ଇନ୍ଦିରା ଦେବୀଜୀ, ଆର୍‌.ବି.ଆଇର ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ମୁଖ୍ୟ ସାଧାରଣ ପରିଚାଳକ ଡଃ. ପ୍ରମୋଦ କୁମାର ପଣ୍ଡା, ଶ୍ରୀ ସୁବାସ ଚନ୍ଦ୍ର ଚାଟ୍ଟାର୍ଜୀ, ଝାଡ଼ଖଣ୍ଡର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ଦୀନେଶ ଷଡ଼ଙ୍ଗୀ, କଳିଙ୍ଗ ବିଶ୍ୱବିଦ୍ୟାଳୟର କୁଳପତି ଡ. ବଦ୍ରିନାଥ ପଟ୍ଟନାୟକ, ଲଣ୍ଡନରୁ ସୁକାନ୍ତ କୁମାର ସାହୁ ପ୍ରମୁଖ ଯୋଗଦେଇ ଶୋଭନୀୟ ସମାଜ ପାଇଁ ଆହ୍ୱାନ ଦେଇଥିଲେ । ମୁଖ୍ୟଅତିଥି କୁମାର ଭାଇ ଆଉ ଜଣେ ବୁଦ୍ଧ ଥିଲେ ବୋଲି କହିଥିଲେ ।

ସନ୍ଧ୍ୟାରେ ଅନୁଷ୍ଠିତ ଶୋଭନୀୟ ଶିକ୍ଷାଶ୍ରମର ବାର୍ଷିକୋତ୍ସବରେ ସ୍ୱାମୀ ଶିବଚିଦାନନ୍ଦ ସରସ୍ୱତୀ, ‘ସୁବାର୍ତ୍ତା’ର ସମ୍ପାଦକ ପ୍ରଦ୍ୟୁମ୍ନ ଶତପଥୀ, ସମାଜ ସଂସ୍କାରକ ମାୟାଧର ନାୟକ, ଶିକ୍ଷାବିତ୍ ପ୍ରଫେସର ଡ. ତ୍ରିଲୋଚନ ନାୟକ ଯୋଗଦେଇ ସବୁ ଭଲଗୁଣ ଓ ସବୁ ଭଲର ସମାହାର ଶୋଭନୀୟତା ଏକ ବ୍ୟାପକ ଶବ୍ଦ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ନୀରଦବରଣ ଖୁଣ୍ଟିଆ, ନିରାକାର ବେଉରା, ଶରତଚନ୍ଦ୍ର ପ୍ରଧାନ, ମନୋରଞ୍ଜନ ମହାନ୍ତି, ତୁଳସୀରାମ ଜଗତ, ଇଂ. ଦୟାନିଧି ରାଉତ, ଅଧ୍ୟାପକ ଇନ୍ଦ୍ରମଣି ନାୟକ, ରାକେଶ କୁମାର, ମିନତୀ ଦେବୀ, ଡ. ବନଲତା ଦେବୀ, ଗୀତାଞ୍ଜଳି ସ୍ୱାଇଁ, ବରଦା ମହାନ୍ତି, ମନୋରମା ଦେବୀ, କେଦାରଲକ୍ଷ୍ମୀ ଦାସ, ମମତା ପ୍ରଧାନ, ଅଧ୍ୟାପିକା ଜ୍ୟୋତିର୍ମୟୀ ସହଯୋଗ କରିଥିଲେ । ଶିକ୍ଷାପ୍ରଦ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।