ଭବାନୀପାଟଣା: (ନରେନ୍ଦ୍ର ନେଗୀ)ପୂର୍ବତନ ବିଧାୟକ ବଳଭଦ୍ର ମାଝୀ ସୋମବାର ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦବୀରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି l ବିଜୁ ଜନତା ଦଳ ସଭାପତିଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପ୍ରେରଣ କରିଥିବା ଜଣା ଯାଇଛି l ସେହି ଇସ୍ତଫା ପତ୍ରରେ ୧୯୯୭ ମସିହାରୁ ତାଙ୍କୁ ଦଳରେ ଦୀର୍ଘ ବର୍ଷଧରି କାର୍ଯ୍ୟ କରିବାପାଇଁ ସୁଯୋଗ ଦେଇଥିବାରୁ ଶ୍ରୀ ମାଝୀ ଦଳର ସଭାପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି l
ବଳଭଦ୍ର ମାଝୀ ୧୯୯୦ ମସିହାରେ ଜନତାଦଳରୁ ନିର୍ବାଚନକୁ ଓଲ୍ହାଇ ନର୍ଲା ବିଧାୟକ ହୋଇଥିଲେ l
୧୯୯୫ ରେ ପୁଣି ନର୍ଲା ବିଧାନସଭା ଆସନରୁ ବିଧାୟକ ଭାବେ ବିଜୟୀ ହୋଇଥିଲେ l ୨୦୦୦ ରୁ ୨୦୦୪ ଯାଏ ସେ ବିଜୁ ଜନତା ଦଳ ଟିକେଟରେ ନର୍ଲାରୁ ବିଜୟୀ ହୋଇ ବିଧାୟକ ହୋଇଥିଲେ l ୨୦୧୪ ରୁ ୨୦୧୯ ଯାଏ ଲାଞ୍ଜିଗଡ଼ ରୁ ବିଜେଡି ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ l ୨୦୦୯ ରେ ଜାତୀୟ କଂଗ୍ରେସ ପ୍ରାର୍ଥୀ ଶିବାଜୀ ମାଝିଙ୍କ ଠାରୁ ପରାଜିତ ହୋଇଥିଲେ l ଦୀର୍ଘ ବର୍ଷ ଧରି ବିଜୁ ଜନତା ଦଳରେ ଥିଲେ ମଧ୍ୟ ଗତ କିଛି ବର୍ଷ ହେଲା ବଳଭଦ୍ର ବିଜେଡି ଦଳରେ କଣ ଠେସା ହୋଇ ରହିଥିଲେ l
ଆଗକୁ ୨୦୨୪ ନିର୍ବାଚନ ଆସୁଥିବାରୁ ବିଜେଡି ଦଳରୁ ଟିକେଟ ମିଳିବା ସମ୍ଭାବନା କମ ଥିବାରୁ ସେ ଦଳ ଛାଡିଥିବା ଚର୍ଚ୍ଚା ହେଉଛି l ଏପରିକି ଆସନ୍ତା ନିର୍ବାଚନରେ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟରେ ଲଢ଼ିବା ନେଇ ଯୋର ଚର୍ଚ୍ଚା ହେଉଛି l ଏ ସମ୍ପର୍କରେ ତାଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ l