ମୁନିଗୁଡା: ୧୦/୦୧(ରାମାକାନ୍ତ ପୋଡାଳ )ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅଞ୍ଚଳର ଅର୍ପଣ ରଥ ଭ୍ରମଣ କାର୍ଯ୍ୟକ୍ରମ ଶୁଭ ଆରମ୍ଭ ହୋଇଯାଇଥିବା ବେଳେ ରାଣୀପିଣ୍ଡା, କୁମୁଡାବାଲି ପଞ୍ଚାୟତର ପ୍ରତ୍ୟେକ ୱାର୍ଡ ପରିକ୍ରମା କରିଛି ଅର୍ପଣ ରଥ।ଜଗନ୍ନାଥଙ୍କ ଅର୍ପଣ ରଥ ରାଣୀପିଣ୍ଡା ଭୈରବ ମନ୍ଦିର ନିକଟରୁ ଶୁଭାରମ୍ଭ ହୋଇଥିବା ବେଳେ କୁମୁଡାବାଲି ପଞ୍ଚାୟତର ତ୍ରିନାଥ ମନ୍ଦିର ନିକଟରୁ ଅର୍ପଣ ରଥ ଭ୍ରମଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।

କାର୍ଯ୍ୟକ୍ରମ ଆରମ୍ଭରେ ପୁଷ୍ପ ସଜିତ ରଥକୁ ମହିଳା କୀର୍ତ୍ତନ ବାଦ୍ୟର ତାଳେ ତାଳେ ପଞ୍ଚାୟତର ବିଭିନ୍ନ ୱାର୍ଡ ଭ୍ରମଣ କରାଯାଇଛି।ଏହି ରଥକୁ ଓ୍ବାର୍ଡ ର ସମସ୍ତ ବାସିନ୍ଦା ଭବ୍ୟ ସମ୍ବର୍ଦ୍ଧନା ଜଣାଇ ଭକ୍ତିପୂତ ଭାବରେ ସ୍ବାଗତ କରିବା ସହିତ ଗୁଆ ଚାଉଳ ଅର୍ପଣ କରିଥିଲେ। ଜୟ ଜଗନ୍ନାଥ ଧ୍ୱନିରେ କମ୍ପି ଉଠୁଥିଲା ସମସ୍ତ ୱାର୍ଡ ଏଥିସହିତ କୀର୍ତ୍ତନର ତାଳେ ତାଳେ ଜନ ସାଧାରଣ ନାଚି ଉଠୁଥ‌ିବାର ଦେଖିବାକୁ ମିଳିଛି।

ଏହି ଭବ୍ୟ କାର୍ଯ୍ୟକ୍ରମରେ ରାଣୀପିଣ୍ଡା ସରପଞ୍ଚ ଗୌରୀ ଭୋଇ,ପଞ୍ଚାୟତ ନିର୍ବାହୀ ଅଧିକାରୀ ଅକ୍ଷୟ ବେହେରା, ଗ୍ରାମ ରୋଜଗାର ସେବକ ପ୍ରଫୁଲ୍ଲ ହିଆଲ, ଏମବିକେ ସେବତୀ ଚାଲାନ ରାଣୀପିଣ୍ଡା ନ୍ୟାବ ସରପଞ୍ଚ ଭୋଲାନାଥ ବାଗଙ୍କ ସେହିପରି କୁମୁଡାବାଲି ପଞ୍ଚାୟତ ଗୌରୀ ପିଡିକାକା, ଜିଆରଏସ ରାଧାକାନ୍ତ ଷଡ଼ଙ୍ଗୀ, ଏମବିକେ ପୁଷ୍ପଲତା କରକରିଆ, ସିଆରପି, ମିଶନ ଶକ୍ତି, ସମସ୍ତ ୱାର୍ଡର ସଭ୍ୟ ସଭ୍ୟାଙ୍କ ସମେତ ପଞ୍ଚାୟତର କର୍ମଚାରୀ ମାନେ ଉପସ୍ଥିତ ରହି ଉକ୍ତ ଅର୍ପଣ ରଥକୁ ପରିକ୍ରମା କରାଇ ଥିଲେ।

ଏହି କାର୍ଯ୍ୟକ୍ରମରେ ସମସ୍ତ ଜନ ପ୍ରତିନିଧୂଙ୍କ ସହ ଶତାଧିକ ଜନତା ଉପସ୍ଥିତ ଥିଲେ ।ଏହିଭଳି କାର୍ଯ୍ୟକ୍ରମ ମୁନିଗୁଡା ଅଞ୍ଚଳରେ ଆଗାମୀ ୧୫ ତାରିଖ ପର୍ଯ୍ୟନ୍ତ କରାଯିବା ସହ ପ୍ରତ୍ୟେକ ପଞ୍ଚାୟତରେ ଥିବା ସବୁ ୱାର୍ଡ କୁ ଭ୍ରମଣ କରିବ ବୋଲି ସୂଚନା ମିଳିଛି। ରଥ ଭ୍ରମଣ ସମୟରେ ଶ୍ରଦ୍ଧାଳୁ ମାନେ ଦେଉଥିବା ଗୁଆ ଓ ଚାଉଳକୁ ୧୮ ତାରିଖରେ ହେବାକୁ ଥିବା ପୁରୀ ଶ୍ରୀମନ୍ଦିର ପରିକ୍ରମା କାର୍ଯ୍ୟକ୍ରମକୁ ପଠା ଯିବାର ବ୍ୟବସ୍ଥା କରାଯାଇଛି ।