ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ସମଗ୍ର  ରାଜ୍ୟରେ ବିଭିନ୍ନ  ବର୍ଗର କିଡ଼ନୀ ରୋଗୀ ମାନଙ୍କୁ  ମାଗଣାରେ ଡାୟାଲିସିସ୍ ସୁବିଧା  ଯୋଗାଇ ଦେବାପାଇଁ ଆଜି ମାନ୍ୟବର  ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ 16 ଟି ବିଭିନ୍ନ ଉପ ଜିଲ୍ଲା ଚିକିତ୍ସାଳୟ ମାନଙ୍କରେ ନୂତନ ଡାୟାଲିସିସ୍ ସେଣ୍ଟର ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ  କରିଛନ୍ତି l ସେଥିମଧ୍ୟରୁ ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ୍ ଉପ ଚିକିତ୍ସାଳୟ ରେ  ମଧ୍ୟ ଏକ ଡାୟାଲିସିସ୍ ସେଣ୍ଟର ଉଦ୍ଘାଟିତ ହୋଇଯାଇଛି l

ଏହାଦ୍ୱାରା  ରାଜ୍ୟର ବିଭିନ୍ନ କିଡ଼ନୀ ରୋଗୀ  ବିଶେଷତଃ ଗରିବ ବର୍ଗର  ରୋଗୀ ମାଗଣାରେ ଏବଂ  ସୁବିଧା ରେ  ନିଜ ଜିଲ୍ଲାରେ ଡାୟାଲିସିସ୍ ସୁବିଧା ପାଇପାରିବେ ବୋଲି  ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରି ସମସ୍ତଙ୍କ ଜୀବନ ହେଉଛି ମୂଲ୍ୟବାନ ବୋଲି କହିଛନ୍ତି I ଆଜି ଡୁଙ୍ଗୁରିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଥି ନିମନ୍ତେ ଆୟୋଜିତ  ସ୍ଵତନ୍ତ୍ର କାର୍ଯ୍ୟକ୍ରମ ରେ ରାଜ୍ୟ  ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୁଜାରୀ ମୁଖ୍ୟ ଅତିଥି ଭାବରେ  ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ 5T ଅଧ୍ୟକ୍ଷ ଭି କାର୍ତ୍ତିକେୟନ ପାଣ୍ଡିଆନ୍ ଙ୍କୁ ଧନ୍ୟବାଦ  ଦେବା  ସହିତ ଜିଲ୍ଲା ବାସୀଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରିଥିଲେ  I

ସେ ଏହି ଅବସରରେ କହିଲେ ଯେ ଏହି ଡାୟାଲିସିସ୍ ସେଣ୍ଟର ହେବା ଦ୍ୱାରା ଡୁଙ୍ଗୁରିପାଲି ବ୍ଲକ ଅଂଚଳ ସହିତ ଜିଲ୍ଲାର ଶହ ଶହ ଡାୟାଲିସିସ୍ ସମ୍ୱନ୍ଧୀୟ ରୋଗୀ ମାଗଣାରେ ଚିକିତ୍ସା ସେବା ପାଇବା ସହ ସୁବିଧାରେ ଅଯଥା ଖର୍ଚ୍ଚାନ୍ତ ରୁ ବଞ୍ଚିପାରିବେ l ଆଜି ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା  , ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅନ୍ୟା ଦାଶ , ଡୁଙ୍ଗୁରିପାଲି  ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ଅହଲ୍ୟା ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ଃ ବିଶ୍ୱରଂଜନ ପତି ତଥା ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ,ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ l ସଭାରେ ଡୁଙ୍ଗୁରିପାଲି ବ୍ଲକ ତଥା ଜିଲ୍ଲାର   ବିଭିନ୍ନ ଲୋକପ୍ରତିନିଧି, ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ, ଗଣମାଧ୍ୟମର ପ୍ରତିନିଧିମାନଙ୍କ ସହିତ ଏସ ଏଚ ଜି ମାଁ ମାନେ ଯୋଗ ଦେଇଥିଲେ I