ଭୁବନେଶ୍ୱର : ୨୦/୦୨(କିଶୋର ଦ୍ଵିବେଦୀ ) ରିଖ ଆନ୍ତର୍ଜାତୀକ ଖ୍ୟାତିସଂମ୍ପନ୍ନ ସ୍ନାୟୁରୋଗ ବିଶେଷଜ୍ଞ ଡ଼ଃ ପ୍ରତାପ ପାଣି ଆଗାମୀ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାର ସମ୍ଭାବନା ଉଜ୍ଜ୍ବଳ ବୋଲି ଏଠାକାର ରାଜନୈତିକ ପର୍ଯ୍ୟବେକ୍ଷକ ମାନେ ମତପ୍ରକାଶ କରୁଛନ୍ତି। ଡ଼ଃ ପାଣି ଶାସକ ବିଜୁ ଜନତା ଦଳର ଟିକେଟ ରେ ପାଲଲହଡ଼ା ଆସନରୁ ରାଜ୍ୟ ବିଧାନସଭା ପାଇଁ ନିର୍ବାଚନ ଲଢ଼ିବେ ବୋଲି ଜଣାଯାଇଛି।
ଅନୁଗୁଳ ଜିଲ୍ଲାର ବିଜିଗୋଲ ଗ୍ରାମ ନିବାସୀ ଡ଼ଃ ପାଣି, ୧୯୯୬ ମସିହାରୁ ଦୀର୍ଘ ୨୮ବର୍ଷ କାଳ ବେଙ୍ଗାଳୁରୁଠାରେ ରହଣି କାଳରେ ଜଣେ ନିୟୁରୋସର୍ଜନ ଭାବରେ ଦେଶ ବିଦେଶରେ ଖୁବ ସୁନାମ ଅର୍ଜନ କରିଛନ୍ତି। ନିକଟରେ ବିଜେଡି ର ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଡ଼ଃ ପାଣି ଆନୁଷ୍ଠାନିକ ଭାବେ ଦଳରେ ଯୋଗ ଦେଇଥିଲେ।ଲୋକଙ୍କ ଡାକ୍ତର ଭାବରେ ସୁପରିଚିତ ଡ଼ଃ ପାଣି ତାଙ୍କର ରାଜନୈତିକ ଜୀବନର ପ୍ରଥମ ନିର୍ବାଚନରେ ଜିତାପଟ ହାସଲ କରିବେ ବୋଲି ତାଙ୍କର ସମର୍ଥକ ମାନେ ଦମ୍ଭ ପ୍ରକାଶ କରୁଛନ୍ତି।
ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ନିୟମିତ ଭାବେ ମାଗଣା ସ୍ୱାସ୍ଥ୍ୟ ଶିବିରମାନ ଆୟୋଜନ କରି ଡ଼ଃ ପାଣି ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଖୁବ ଲୋକପ୍ରିୟତା ହାସଲ କରିଛନ୍ତି। ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ର ଛାତ୍ରସଙ୍ଘ ର ପୂର୍ବତନ ସଭାପତି, ବେଙ୍ଗାଳୁରୁ ଓଡ଼ିଆ ସମାଜ ର ପ୍ରତିଷ୍ଠାତା ସଦସ୍ୟ, ୱାଲର୍ଡ ଓଡ଼ିଶା ସୋସାଇଟି ର ସୁସ୍ଥତା ସାଧାରଣ ସମ୍ପାଦକ ଏବଂ ବେଙ୍ଗାଲୁରୁ ସ୍ଥିତ ଜଗନ୍ନାଥ ମନ୍ଦିରର ଟ୍ରଷ୍ଟି ଭାବରେ ଡ଼ଃ ପାଣି ଦୀର୍ଘ ଦିନ ଧରି ସମାଜ ସେବା କ୍ଷେତ୍ରରେ ବେଶ ସକ୍ରୀୟ ରହି ଆସିଛନ୍ତି।
ବିଜେଡି ରେ ଯୋଗ ଦେବା ପରେ ଡ଼ଃ ପାଣିଙ୍କୁ କଣିହାଁ, ପାଲଲହଡ଼ା, ଅନୁଗୁଳ, ପରଜଙ୍ଗ, ଢେଙ୍କାନାଳ, ହିନ୍ଦୋଳ ଏବଂ କାମାକ୍ଷାନଗର ଆଦି ସ୍ଥାନରେ ଜନସାଧାରଣ ଙ୍କ ତରଫରୁ ଉଛ୍ୱସିତ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ବହୁ ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ବର୍ତ୍ତମାନର ବିଧାୟକ ମାନଙ୍କ ବିରୁଦ୍ଧରେ ବ୍ୟାପକ ଭାବେ “ଆଣ୍ଟି ଇନକନବେଂସି ଫ୍ୟାକ୍ଟର” କାମ କରୁଥିବାରୁ ଜଣେ ନୂଆ ଚେହେରା ଏବଂ ମର୍ଯ୍ୟାଦା ସମ୍ପନ୍ନ ବ୍ୟକ୍ତିତ୍ବ ହୋଇଥିବା ଦୃଷ୍ଟି ରୁ ଡ଼ଃ ପାଣି ଙ୍କ ପକ୍ଷରେ ନିର୍ବାଚନ ବୈତରଣୀ ପାର କରିବା ସହଜସାଧ୍ୟ ହେବ ବୋଲି ଆକଳନ କରାଯାଉଛି। ଡ଼ଃ ପାଣି ଙ୍କର ପିତା କଣିହାଁ ଅଞ୍ଚଳର ପ୍ରସିଦ୍ଧ ଜନନେତା ସ୍ବର୍ଗତଃ ମଧୁସୂଦନ ପାଣି, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଖୁବ ଘନିଷ୍ଠ ଥିଲେ।
ବିଜେଡି ର ପ୍ରମୁଖ ରଣକୌଶଳକାରୀ ଏବଂ ସଂଗଠନ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ଦ୍ବୟ ପାଇଁ ଦଳର ପ୍ରଭାରୀ ନିଯୁକ୍ତ ହୋଇଥିବାରୁ, ସେ ଟିକେଟ ବଣ୍ଟନ ବେଳେ ଜିତିବାର ସକ୍ଷମତାକୁ ମୁଖ୍ୟ ଆଧାର ଭାବରେ ଗ୍ରହଣ କରିବେ ବୋଲି ଧରା ଯାଉଛି।ଏବେ ଦଳ ତରଫରୁ କରାଯାଉଥିବା ସର୍ଭେରେ ବିଭିନ୍ନ ଆଶାୟୀ ପାର୍ଥିମାନଙ୍କ ର ଜିତି ବାର ସାମର୍ଥ୍ୟ ଓ ସମ୍ଭାବନା ଉପରେ ଭୋଟଦାତା ମାନଙ୍କର ମତାମତ ସଂଗ୍ରହ କରାଯାଉଛି। ଦଳୀୟ ସୂତ୍ରର ପ୍ରାରମ୍ଭିକ ସୂଚନା ରୁ ଜଣାଯାଇଛି ଯେ, ବବି ବାବୁଙ୍କର ଡ଼ଃ ପାଣି ଙ୍କ ପାର୍ଥିତ୍ୱ ପ୍ରତି ସମବେଦନା ରହିଛି। ନିର୍ବାଚନବିତ ମାନଙ୍କର ଭବିଷ୍ୟବାଣୀ ଅନୁଯାୟୀ ଡ଼ଃ ପାଣି ପାଲଲହଡ଼ାରୁ ବିଜେଡି ର ପାର୍ଥି ହେଲେ ତାଙ୍କର ବିଜୟ ଏକ ପ୍ରକାର ସୁନିଶ୍ଚିତ ମନେ ହେଉଛି।
ଜଣେ ରାଜନୀତିଜ୍ଞ ଭାବରେ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ଉନ୍ନୟନ ଦିଗରେ ତାଙ୍କର ପ୍ରାଥମିକତା ରହିବ ବୋଲି ଡ଼ଃ ପାଣି ଦର୍ଶାଇଛନ୍ତି।ରାଜ୍ୟର ସବୁଠାରୁ ଅଧିକ ରାଜସ୍ୱ ଆୟକାରୀ ଜିଲ୍ଲା ହୋଇଥିଲେ ମଧ୍ୟ ଅନୁଗୁଳ ଠାରେ ଏକ ମେଡ଼ିକାଲ କଲେଜ ନଥିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ଅନୁଗୁଳ ଜିଲ୍ଲାର ବାୟୁ ପ୍ରଦୂଷଣ ଦିଲ୍ଲୀ ଠାରୁ ମଧ୍ୟ ଅଧିକ ବିପଜ୍ଜନକ ଡ଼ଃ ପାଣି ସୁଚାଇଛନ୍ତି। ଦାୟିତ୍ୱହୀନ ଶିଳ୍ପକରଣ ଏବଂ ଆଖିବୁଜା ଖଣିଖନନ ଏହି ଇଲାକାର ପରିବେଶ, ଜନବସତି ଓ ସ୍ୱାସ୍ଥ୍ୟ ଅବସ୍ଥା କ୍ଷେତ୍ରରେ ଗୁରୁତର ସଙ୍କଟ ସୃଷ୍ଟି କରିଥିବା ସେ କହିଛନ୍ତି। ପାଲଲହଡ଼ା ରେ ଆବଶ୍ୟକୀୟ ଜମି, ଜଳ ଏବଂ ୫୫ ନମ୍ବର ଜାତୀୟ ରାଜପଥ ଯୋଗୁଁ ଯୋଗାଯୋଗ ର ସୁବିଧା ଉପଲବ୍ଧ ଥିବା ସତ୍ୱେ ଏଠାରେ ସ୍ୱାଧୀନତା ର ୭୫ ବର୍ଷ ବିତିଯାଇଥିଲେ ସୁଦ୍ଧା ଗୋଟିଏ ବି କାରଖାନା ପ୍ରତିଷ୍ଠା ହୋଇ ପାରିନଥିବା ନେଇ ଡ଼ଃ ପାଣି ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି।ଏଠାରେ କ୍ଷୁଦ୍ର ଓ ମଧ୍ୟମ ଧରଣର ଜଳସେଚନ ପ୍ରକଳ୍ପ ନଥିବାରୁ କୃଷି ଉତ୍ପାଦନର ମାତ୍ରାବି ଖୁବ ନିମ୍ନ ରେ ରହିଥିବା, ସେ ସୁଚାଇଛନ୍ତି।
ଲୋକ ପ୍ରତିନିଧି ଭାବରେ ଏହି ସବୁ ସମସ୍ୟା ଗୁଡିକୁ ସମାଧାନ କରିବା ଦିଗରେ ସେ ଅଗ୍ରାଧିକାର ଦେବେ ବୋଲି ଡ଼ଃ ପାଣି ଘୋଷଣା କରିଛନ୍ତି।ସେ “ମାନବ ସେବା ହିଁ ମାଧବ ସେବା” ଉକ୍ତି ର ଦୃଢ଼ ବିଶ୍ୱାସୀ ହୋଇଥିବାରୁ ରାଜନୀତି ରେ ଯୋଗ ଦେଲେ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟ ସେବା କାର୍ଯ୍ୟ ପୂର୍ବପରି ଜାରୀ ରହିବ ବୋଲି ଡ଼ଃ ପାଣି ସ୍ପଷ୍ଟ କରିଦେଇଛନ୍ତି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କୁ ସାରା ଦେଶରେ ସର୍ବୋତ୍କୃଷ୍ଟ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ବୋଲି ଅବହିତ କରି ଏହାରି ମାଧ୍ୟମରେ ନିଜର ମାତୃପ୍ରଦେଶ ଓଡ଼ିଶାର ଅଧିବାସୀମାନଙ୍କୁ କିଭଳି ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସୁବିଧା ଉପଲବ୍ଧ କରାଯାଇ ପାରିବ ସେ ଦିଗରେ ଜନପ୍ରତିନିଧି ଭାବରେ ଡ଼ଃ ପାଣି ସତତ ଧ୍ୟାନ ଦେବେ ବୋଲି ଉଲ୍ଲେଖ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପାଞ୍ଚ ଟି ର ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କର ତତ୍ୱାବଧାନରେ ନିଜର ଶିକ୍ଷାନୁଷ୍ଠାନ ଏସ.ସି.ବି. ମେଡ଼ିକାଲ କଲେଜର ବହୁବିଧ ରୂପାନ୍ତରିକରଣ ନେଇ ଡ଼ଃ ପାଣି ଗଭୀର ସନ୍ତୋଷ ପ୍ରକାଶ କରିଛନ୍ତି।