ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ଦାଦନ ଖଟିବାକୁ ଯାଇ ଶ୍ରମିକଙ୍କ ମୃତ୍ୟୁ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ଗାଁର ଦାଦନ ଶ୍ରମିକ ବୁଦ୍ଧଦେବ ମେଣ୍ଡେଲିଙ୍କ ମହାରାଷ୍ଟ୍ର ପୁନେ ସହରରେ ହୋଇଛି ମୃତ୍ୟୁ l ବିଗତ ତିନି ବର୍ଷ ହେବ ହିଲୁଙ୍ଗ ଗାଁର ହୀରାମଣୀ ମେଣ୍ଡେଲୀଙ୍କ ୨୨ ବର୍ଷିୟ ପୁଅ ବୁଦ୍ଧଦେବ ସୁଦୁର ପୁନେକୁ ଦାଦନ ଖଟିବାକୁ ଯାଇଥିଲେ ।

ଗତ ୧ ତାରିଖ ଦିନ ଛାତ ପକାଉଥିବା ବେଳେ ଅଚାନକ ଛାତ ଉପରୁ ପଡିଯାଇଥିଲେ ଓ ଡାକ୍ତଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ବୁଦ୍ଧଦେବଙ୍କ ମୃତ୍ୟୁ ହେବା ପରେ ମାଲିକ ପରିବାର ଲୋକଙ୍କୁ ଖବର ଦେବା ସହ ତାଙ୍କ ଶବ ବ୍ୟବଚ୍ଛେଦ କରିଥିଲେ ।

ହେଲେ ପରିବାର ଲୋକ ଅତି ଗରୀବ ଶ୍ରେଣୀର ହୋଇଥିବାରୁ ପୁଅ ମୃତ୍ୟୁ ଖବର ପାଇ ମଧ୍ୟ ମୃତଦେହ ଆଣି ପାରୁ ନାହାନ୍ତି । ମୃତ ଦେହ ଆଣିବା ପାଇଁ ହୀରାମଣୀ ରାଜ୍ୟ ଶ୍ରମ ବିଭାଗକୁ ଗୁହାରୀ କରିଛନ୍ତି । ବର୍ତ୍ତମାନ ଖବର ଅନୁସାରେ ଗତ କାଲି ଠାରୁ ହୀରାମଣୀଙ୍କ ସମ୍ପର୍କୀୟ ଦୁଇଜଣ ବୁଦ୍ଧଦେବଙ୍କ ମୃତଦେହ ଆଣିବାକୁ ଯାଇଥିବା ଜଣାଯାଇଛି ।