ମୁନିଗୁଡା :(ରମାକାନ୍ତ ପୋଡାଳ )ରାୟଗଡ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ପବିତ୍ର ଘୋଷ ଯାତ୍ରା ମହା ଆଡମ୍ବରରେ ପାଳନ ହେଉଥିବା ବେଳେ ଅମ୍ବାଦଳା ବଡ଼ଦାଣ୍ଡରେ ପ୍ରଭୁ ଦଧିବାମନଙ୍କ ଘୋଷ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ଣ ୧୧ ଟାରୁ ମଧ୍ୟାହ୍ନ ୧ ଟା ମଧ୍ୟରେ ପ୍ରତିଷ୍ଠା କାର୍ଯ୍ୟକ୍ରମ ଶେଷ ହୋଇ ମଧ୍ୟାହ୍ନ ୧ ଟାରୁ ୨ ଟା ୩୦ ମଧ୍ୟରେ ପ୍ରଭୁ ଦଧୂବାମନ ପହଣ୍ଡି ବିଜେ କରିବା ପରେ ଛେରା ପହଁରା ନୀତି କରାଯାଇଛି।

ସନ୍ଧ୍ୟା ୫.୩୦ ରୁ ୬ଟା ମଧ୍ୟରେ ରଥ ଟଣା ଆରମ୍ଭ ହୋଇଥିଲା । ଶଙ୍ଖ, ଘଣ୍ଟ ଧ୍ଵନୀ ସାଙ୍ଗକୁ ମହିଳା କୀର୍ତନ, ଭକ୍ତମାନଙ୍କ ହରିବୋଲ ହୁଳହୁଳି ଶବ୍ଦରେ ପ୍ରକମ୍ପିତ ହୋଇଥିଲା ଅମ୍ବାଦଳା ଅଞ୍ଚଳ ପ୍ରଭୁ ଦଧିବାମନଙ୍କ ରଥକୁ ଅଞ୍ଚଳର ପୁରୁଷ ଓ ମହିଳା ଭକ୍ତମାନେ ଟାଣି ଟାଣି ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚାଇ ଥିବା ବେଳେ ଗୁଣ୍ଡିଚା ମନ୍ଦିରରେ ବିରାଜମାନ ହୋଇଥିଲେ। ଚଳିତ ବର୍ଷ ରଥଯାତ୍ରାରେ ବ୍ୟାପକ ଜନସମାଗମକୁ ଦୃଷ୍ଟିରେ ରଖି ଦାଧିବାମନ କମିଟି ଓ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି।

ମହାପ୍ରଭୁଙ୍କ ରଥଯାତ୍ରା ମହାସମାରୋହରେ ଅନୁଷ୍ଠିତ ହେଉଥିବାରୁ ଦଧିବାମନ କମିଟି ପକ୍ଷରୁ ଦୀର୍ଘଦିନ ଧରି ବ୍ୟାପକ ପ୍ରସ୍ତୁତି ଜାରି ରହିଥିଲା।ଗୁଣ୍ଡିଚା ମନ୍ଦିରରେ ଦଧୂବାମନଙ୍କ ନବଦିନ ବ୍ୟାପୀ ରହଣି ସମୟରେ ପ୍ରତ୍ୟେକ ସନ୍ଧ୍ୟାରେ ଭଗବାନଙ୍କ ଦର୍ଶନ ନିମନ୍ତେ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ କମିଟି ପକ୍ଷରୁ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଜଣାଇଛନ୍ତି। ଅଧିକ ମାତ୍ରାରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖ୍ ଅମ୍ବାଦଳା ଥାନା ଆଇଆଇସି କଳ୍ପନା ବେହେରାଙ୍କ ନେତୃତ୍ବରେ ଶାନ୍ତିଶୃଙ୍ଖଳା ରକ୍ଷା ସକାଶେ ପୁଲିସ ମୁତୟନ କରାଯାଇଥିବା ବେଳେ ଅମ୍ବାଦଳା ଅଞ୍ଚଳର ବିଭିନ୍ନ ସଙ୍ଗଠନର ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।