ଧର୍ମଗଡ଼ ତା୨୦/୭( ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲାରେ ମିଲେଟ ମିଶନରେ ଦୁର୍ନୀତି ଧିରେ ଧିରେ ପଦାକୁ ଆସିବାରେ ଲାଗିଛି। ଏଥିରେ ଚାଷ ଆରମ୍ଭଠୁଁ ବିକ୍ରି ଯାଏଁ ସବୁଥିରେ ଅନିୟମିତତା ହୋଇଥିବା ଜଣାପଡ଼ିଛି। ଭାତ ହାଣ୍ଡିରୁ ଗୋଟିଏ ଚିପିଲା ଭଳି ବାବେକୋରା ଗାଁର ପ୍ରେମ ବାଗଙ୍କ ଉଦାହରଣ ନିଆଯାଇପାରେ। ୨୦୨୩-୨୪ ଖରିଫରେ ପ୍ରେମ ବାଗଙ୍କ ସ୍ତ୍ରୀ ବେଲମତି ବାଗଙ୍କ ନାଁରେ ମାଣ୍ଡିଆ ଚାଷ କରିଥିଲେ।ପ୍ରାୟ ଦୁଇ ଏକର ଜମିରେ ଚାଷ କରି ପ୍ରୋତ୍ସାହନ ବାବଦକୁ ୩୦୦୦ ଟଙ୍କା ପାଇଥିଲେ। ମାଣ୍ଡିଆ ଅମଳ ହୋଇଥିଲା ମାତ୍ର ୪କ୍ଵି। କିନ୍ତୁ ତାଙ୍କ ନାଁ ରେ ବିକ୍ରି ହୋଇଛି ୮ କ୍ଵି। ନିଜ ୪କ୍ଵି ପ୍ରାପ୍ୟ ରଖି ବାକିତକ ଟଙ୍କା ମାଣ୍ଡିଆ ଚାଷ ପରିଚାଳନା ଦାୟିତ୍ୱ ନେଇଥିବା ସଂସ୍ଥାର ଜନୈକ କର୍ମଚାରୀଙ୍କୁ ଦେଇଛନ୍ତି।

କେବଳ ପ୍ରେମ ନୁହନ୍ତି ଏଭଳି ଅନେକ ଚାଷୀ ନାଁରେ ମାଣ୍ଡିଆ ବିକ୍ରୀ ହୋଇଛି। ପ୍ରଶ୍ନ ହେଉଛି ବାକି ମାଣ୍ଡିଆ ଆସିଲା କେଉଁଠୁ?କାରଣ ବର୍ଷା ଅଭାବରୁ ଗତ ବର୍ଷ ମାଣ୍ଡିଆ ଚାଷ ହୋଇନଥିବା ଚାଷୀ ଅନେକ ଚାଷୀ ପ୍ରକାଶ କରିଛନ୍ତି। କାହାର ତଳି ନଷ୍ଟ ହୋଇଛି ତ କାହାର ପୋଡି ଯାଇଛି। ତା ସତ୍ତ୍ବେ ବି କୋକସରା ବ୍ଲକରେ ୧୨୦୦ କ୍ଵି ମାଣ୍ଡିଆ କିଣାଯାଇଛି। ମିଲେଟ ମିଶନ ଦୁର୍ନୀତି ନେଇ “ସମାଜ”ଖବର କାଗଜରେ ଖବର ପ୍ରକାଶ ପାଇବା ପରେ କୋକସରା ସମିତି ବୈଠକରେ ଏହି ପ୍ରସଙ୍ଗ ନେଇ ଆଲୋଚନା ହୋଇଥିଲା ଏବଂ କୋକସରା ବ୍ଳକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ବ୍ଳକ କୃଷି ଅଧିକାରୀଙ୍କ ସହ କ୍ଷେତ୍ର ପରିଦର୍ଶନରେ ଯାଇ ଚାଷୀଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ସମୟରେ ଏହି ସବୁ ଅନିୟମିତତା ଜଣା ପଡିଥିଲା।

ସୁଚନା ଅନୁଯାୟୀ ପାରମ୍ପରିକ କୃଷି ସହ ପୌଷ୍ଟିକ ଯୁକ୍ତ ଆହାର ପାଇଁ ସରକାର ମିଲେଟ ମିଶନକୁ ଗୁରୁତ୍ଵ ଦେଉଛନ୍ତି। କଳାହାଣ୍ଡିରେ ଗତ ଖରିଫରେ ୪୭ ହଜାର କ୍ଵିଣ୍ଟାଲ ମାଣ୍ଡିଆ କ୍ରୟ ନିମନ୍ତେ ଟାର୍ଗେଟ ଆସିଥିଲା। ୧୨ଟି ଏଜେନ୍ସି ମାଧ୍ୟମରେ ୩୬ ହଜାର ୩୨୭ କ୍ଵିଣ୍ଟାଲ ମାଣ୍ଡିଆ କିଣାଯାଇଛି। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକରେ ୧୫୫୦୦କ୍ଵି ଟାର୍ଗେଟ ଥିବାବେଳେ କିଣାଯାଇଛି ୧୫୧୭୨ କ୍ଵିଣ୍ଟାଲ। ସେହିପରି ମଦନପୁର ରାମପୁର ବ୍ଳକର୧୩୫୦୦ କୁଇଣ୍ଟାଲ ରୁ ୭୨୭୫ କିଣାଯାଇଛି। ମାଣ୍ଡିଆ ଚାଷ ପାଇଁ ଆଗ୍ରହୀ ଚାଷୀ କୁ ବିହନ ଯୋଗାଣ ସହି ପ୍ରେସାହନ ରାଶି ମଧ୍ୟ ପ୍ରଦାନ ଯୋଜନା କୁ ଵାଟଵଣା କରିଥିବା ଅଭିଯୋଗ ହେଉଛି। କେବଳ କାଗଜ ପତ୍ରରେ ମାଣ୍ଡିଆ ଚାଷ ହେଉଥିବା ବେଳେ ଟାର୍ଗେଟ ପୂରଣ ପାଇଁ ରାଜ୍ୟ ବାହାରୁ ମାଣ୍ଡିଆ ଆଣି ବିକ୍ରୀ କରାଯାଉଛି। ସରକାର ନିୟନ୍ତ୍ରଣ ବଦଳରେ ଏନ୍ ଜି ଓ ମାନଙ୍କୁ ଏହାର ଦାଇତ୍ୱ ଦେଉଥିବା ରୁ ମିଶନ ର ସଫଳତାର ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।