ଗତକାଲି ଠାରୁ ୧୩ ରୁ ଉର୍ଦ୍ଧ୍ୱ ଟିମକୁ ନେଇ କରାଯାଉଛି ଅପରେସନ – ଏସପି

ମାଲକାନଗିରି (ନିରଞ୍ଜନ ମଲ୍ଲ) ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟରେ ଜୁଲାଇ ୨୮ ରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ବସ୍ତର ଡିଭିଜନର ନକ୍ସଲ ପ୍ରଭାବିତ ଅଞ୍ଚଳରେ ନକ୍ସଲମାନଙ୍କ ଦ୍ୱାରା ନିହତ ହୋଇଥିବା ତାଙ୍କ ସାଥି କମରେଡ ସହଯୋଗୀ ନକ୍ସଲମାନଙ୍କ ସ୍ମୃତିରେ ଶହୀଦ ସପ୍ତାହ ପାଳନ କରିବାକୁ ଆହ୍ବାନ ଦେଇଛନ୍ତି। ନକ୍ସଲଙ୍କ ଆହ୍ବାନ ପରେ ସୁରକ୍ଷା ବାହିନୀ ଏବଂ ପୁଲିସ ଅତିରିକ୍ତ ସତର୍କତା ଅବଲମ୍ବନ କରିବାର ଦେଖିବାକୁ ମିଳିଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶରେ ୬ ଟି ଟିମ୍ ଅପରେସନ କରୁଥିବା ବେଳେ ମାଲକାନଗିରି ଜିଲ୍ଲାର ନକ୍ସଲ ପ୍ରଭାବିତ ଅଞ୍ଚଳରେ ୨ ଏସଓଜି ଏବଂ ୫ ବିଏସଏଫ ଟିମ୍ ଗତକାଲି ଠାରୁ ଅପରେସନକୁ ପଠାଯାଇଛି। ଆଭ୍ୟନ୍ତରୀଣ ଅଞ୍ଚଳରେ ବିଭିନ୍ନ ନକ୍ସଲ ଗତିବିଧି ଉପରେ ରହିଛି ନଜର ବୋଲି ଏସପି ନିତେଶ ଓ୍ବାଧବାନି ସୂଚନା ଦେଇଛନ୍ତି।

ସେହିପରି ବସ୍ତର ଡିଭିଜନରେ ଲଗାତାର ବର୍ଷା ସତ୍ତ୍ୱେ ଆଭ୍ୟନ୍ତରୀଣ ଅଞ୍ଚଳରେ ନକ୍ସଲମାନଙ୍କ ବିରୁଦ୍ଧରେ ପୁଲିସର ଅପରେସନ୍ ଜୋରଦାର ଚାଲିଛି। ଯେଉଁଥିରେ ଯବାନମାନେ ଅନେକ ସଫଳତା ମଧ୍ୟ ପାଇଛନ୍ତି। ଶହୀଦ ସପ୍ତାହରେ ସଂଗଠନର ନିହତ ସାଥୀମାନଙ୍କ ସ୍ମୃତିରେ ନକ୍ସଲମାନେ ଆଭ୍ୟନ୍ତରୀଣ ଅଞ୍ଚଳରେ ବ୍ୟାନର ଏବଂ ପୋଷ୍ଟର ଲଗାଇ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଗାଡିରେ ନିଆଁ ଲଗାଇ ସେମାନଙ୍କୁ ସୂଚନାଦାତା ବୋଲି ଅଭିହିତ କରି ଗ୍ରାମବାସୀଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରିଥାନ୍ତି। ବସ୍ତର ଆଇଜି ସୁନ୍ଦରରାଜ ପି ନକ୍ସଲଙ୍କ ଶହୀଦ ସପ୍ତାହକୁ ଦୃଷ୍ଟିରେ ରଖି ବସ୍ତର ଡିଭିଜନର ସମସ୍ତ ସାତୋଟି ଜିଲ୍ଲାର ଏସପି ମାନଙ୍କୁ ନକ୍ସଲ ପ୍ରଭାବିତ ଅଞ୍ଚଳର ପୁଲିସ କ୍ୟାମ୍ପ, ଥାନା ଏବଂ ଆଉଟପୋଷ୍ଟକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଆଇଜି ସୁନ୍ଦରରାଜ ପି କହିଛନ୍ତି ଯେ ଚଳିତ ବର୍ଷ ବସ୍ତରରେ ନକ୍ସଲମାନେ ବହୁ କ୍ଷତି ସହିଛନ୍ତି। ପୁଲିସ ବାରମ୍ବାର କୁମ୍ବିଂ ଅପରେସନ ଫଳରେ ନକ୍ସଲମାନେ ବସ୍ତର ଅଞ୍ଚଳରେ କିଛି ବର୍ଷ ଧରି ବ୍ୟାକଫୁଟରେ ରହିଛନ୍ତି ।

ନକ୍ସଲ ଅଭିଯାନର ଗତ ୬ ମାସରେ, ୧୪୦ ରୁ ଅଧିକ ନକ୍ସଲଙ୍କୁ ଭିନ୍ନ ଭିନ୍ନ ଏନକାଉଣ୍ଟରରେ ନିପାତ କରାଯାଇଥିବା ବେଳେ ୨୫୦ ରୁ ଅଧିକ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସେ କହିଛନ୍ତି ଯେ ଏହା ବ୍ୟତୀତ ୨୦୦ ରୁ ଅଧିକ ନକ୍ସଲଙ୍କୁ ଗିରଫ କରିବାରେ ପୁଲିସ ସଫଳ ହୋଇଛି। ନକ୍ସଲମାନଙ୍କ ଏହି ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରାଯାଉଛି। ସେ କହିଥିଲେ ଯେ ବନ୍ଦ ସମୟରେ ନକ୍ସଲମାନେ କିଛି ହିଂସାକାଣ୍ଡ ଘଟାଇବାକୁ ଯୋଜନା କରିଥାନ୍ତି କିନ୍ତୁ ବସ୍ତରରେ ନିୟୋଜିତ ସୁରକ୍ଷାବାହିନୀର ଯବାନ ମାନେ ନକ୍ସଲମାନଙ୍କ ଏହି ମନ୍ଦ ଉଦ୍ଦେଶ୍ୟକୁ ସର୍ବଦା ବାଧା ଦେଉଛନ୍ତି। ଆଇଜି କହିଛନ୍ତି ଯେ ନକ୍ସଲମାନଙ୍କ ବନ୍ଦ ଆହ୍ବାନକୁ ଦୃଷ୍ଟିରେ ରଖି ଲୋକଙ୍କ ଜୀବନ ଏବଂ ସମ୍ପତ୍ତି ସୁରକ୍ଷା ପୁଲିସର ଦାୟିତ୍ଵ ଅଟେ। ଏଭଳି ପରିସ୍ଥିତିରେ ଆଭ୍ୟନ୍ତରୀଣ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଦୃଢ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏପରିକି ସୀମାନ୍ତ ଅଞ୍ଚଳରେ ପୁଲିସ ଅଧିକାରୀ ମାନେ ଏମସିପି ଲଗାଇ ଗାଡି ଯାଞ୍ଚ କରୁଛନ୍ତି।