ସୁବର୍ଣ୍ଣପୁର: (ଅଜିତ କୁମାର ପୁଜାହାରୀ)ସରକାରୀ ଆକାଉଣ୍ଟ ରୁ କୋଟିଏ ରୁ ଉର୍ଦ୍ଧ ଟଙ୍କା ଗାଏବ । ଜାଲିଆତି କରି ଟଙ୍କା ହଡ଼ପ ହୋଇଥିବା ସୂଚନା । ସୁବର୍ଣ୍ଣପୁର ଜିଲ୍ଲା ଉଠା ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରଫୁଲ୍ଲ ବେହେରାଙ୍କ ନାମରେ ୟୁନିୟନ ବ୍ୟାଙ୍କ ସୋନପୁର ଶାଖାରେ ଥିବା ଆକାଉଣ୍ଟ ରୁ ଟଙ୍କା ହେରଫେର ହୋଇଛି ।

ଏହି ଅର୍ଥକୁ ଜାଲିଆତି କରି କାର୍ଯ୍ୟାଳୟର ହିସାବ ରକ୍ଷକ ନିଜ ଆକାଉଣ୍ଟକୁ ସ୍ଥାନାନ୍ତର କରି ନେଇଛନ୍ତି । ନିର୍ବାହୀ ଯନ୍ତ୍ରୀଙ୍କ ଆଇଡି, ପାସୱାର୍ଡ, ଚେକ୍ ଓ ସିଲ୍ ବ୍ୟବହାର କରି ସେ ଏକାଧିକ ଥର ନିଜ ଆକାଉଣ୍ଟକୁ ବିପୁଳ ପରିମାଣର ଟଙ୍କା ଟ୍ରାନ୍ସଫର କରିଥିବା ଜଣାପଡିଛି । ଉଠା ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ଫୁଲ୍ଲ କୁମାର ବେହେରା ଏ ସମ୍ପର୍କରେ ଜାଣିବା ପରେ ସୋନପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ହେଲେ ପୋଲିସ ଏହି କେସ ଆମ ଅଧୀନରେ ନାହିଁ ଥିବା କହି କେସ ପଞ୍ଜୀକୃତ କରି ନଥିଲେ । କାର୍ଯ୍ୟାଳୟର ହିସାବ ରକ୍ଷକ ଜାଲିଆତି କରି ୧ କୋଟି ୧୯ ଲକ୍ଷ ୭୧ ହଜାର ଟଙ୍କା ନିଜ ଫାର୍ମ ଆକାଉଣ୍ଟକୁ ନେଇଥିବା ଜଣା ପଡିଛି । ସହକାରୀ ହିସାବ ରକ୍ଷକ ବଳରାମ ମେହେର ଜଣେ ଆଉଟ ସୋସିଂ କର୍ମଚାରୀ ।

ତେବେ ଏଠାରେ ପ୍ରଶ୍ନ ଏତେ ପରିମାଣର ଟଙ୍କା

ନେବା ସତ୍ବେ କେମିତି ନିର୍ବାହୀ ଯନ୍ତ୍ରୀ ଜାଣି ପାରିଲେ ନାହିଁ ? ଗୋଟିଏ ପଟେ ଚାଷୀଙ୍କ ନଳକୂପ ଖନନ ନହୋଇ କୋଟି କୋଟି ଟଙ୍କା ପଡ଼ି ରହିଥିବା ବେଳେ ଅନ୍ୟପଟେ ସରକାରୀ ଅଧିକାରୀଙ୍କ ଆକାଉଣ୍ଟରୁ ଗାଏବ ହୋଇଯାଇଛି ସରକାରୀ ଅର୍ଥ । ଏହାର ବିଧିବଦ୍ଧ ତଦନ୍ତ ସହ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ବୁଦ୍ଧିଜୀବୀ । ଘଟଣା ଜଣା ପଡ଼ିବା ପରେ ନିର୍ବାହୀ ଯନ୍ତ୍ରୀ ଅଫିସ୍ ଆସୁ ନଥିବାବେଳେ ଏହି ଘଟଣା ବାବଦରେ କିଛି କହିବାକୁ ଫୋନ ରେ ମନା କରିଦେଇଛନ୍ତି । ସେପଟେ ପୋଲିସ ମଧ୍ୟ କ୍ୟାମେରା ଆଗରେ କିଛି କହିବାକୁ ମନା କରିଦେଇଛନ୍ତି ।