ଭଦ୍ରକ : (ଶ୍ୟାମସୁନ୍ଦର ଦାସ )ବନ୍ତ-ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ଛୟାଳସିଂହ ଗ୍ରାମରେ ଜଣେ ମହିଳାଙ୍କ ଘରପୋଡ଼ି ଦେବା ସହ ଜିନିଷପତ୍ର ଲୁଟ୍ ଘଟଣାରେ ବନ୍ତ ପୋଲିସ ନ୍ୟାୟ ପ୍ରଦାନରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ ହୋଇଛି। ଏନେଇ ଛୟାଳସିଂହଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏତଲାକାରୀ କୁନି ମୁଖୀ ଓ ତାଙ୍କ ଭିଣୋଇ ସ୍ବପ୍ନସାଗର ମୁଖୀ ଅଭିଯୋଗ କରିଛନ୍ତି ତାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ନ କଲେ ସେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିବା ସହ ଜିଲାପାଳ ଓ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ଅଫିସ ଆଗରେ ଧାରଣା ଦେବେ ବୋଲି କହିଛନ୍ତି।

ଅଭିଯୋଗରୁ ପ୍ରକାଶ ଯେ, ହଦଗଡ଼ ଗ୍ରାମର ମହିଳା କୁନି ତାଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ପିଲାଙ୍କ ସହ ୫ ବର୍ଷ ହେବ ରୁ ଉର୍ଦ୍ଧ ହେବ ଛୟାଳସିଂହ ଗ୍ରାମରେ ସାନ ଭଉଣୀ ଘରେ ରହିଆସୁଛନ୍ତି। ଚଳିତ ମାସ ୧ ତାରିଖ ରାତି ପ୍ରାୟ ୧୧ଟା ୩୦ ବେଳେ ସେ ଭଉଣୀ ଘରେ ଶୋଇଥିବା ବେଳେ କିଛି ଲୋକ ଘର କବାଟକୁ ବାଡ଼େଇ ଗାଳିଗୁଲଜ କରିଥିଲେ। ପରେ କବାଟକୁ ଧକ୍କା ଦେବାରୁ କବାଟ ଖୋଲି ଯାଇଥିଲା। ହଠାତ୍ ଉକ୍ତ ଗ୍ରାମର କେତେଜଣ ବ୍ୟକ୍ତି ତାଙ୍କ ଘର ଭିତରକୁ ପଶି ବାହାରକୁ ଘୋଷାଡ଼ି ନେଇ ତଳେ ପକାଇ ମାଡ଼ି ବସିଥିଲେ କୁନି ମୁଖିଙ୍କୁ । ପରେ ଘର ଭିତରକୁ ପଶି ଗୋଦରେଜ ଭାଙ୍ଗି ସେଥିରେ ଥିବା ସୁନା ଅଳଙ୍କାର ଓ ନଗଦ ୪୩ ହଜାର ଟଙ୍କା ସେମାନେ ନେଇଯାଇଥିଲେ। ପରମୁୂହୁର୍ତ୍ତରେ ଏପରିକି ସେମାନେ ତାଙ୍କ ଘରକୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ।

ଫଳରେ ଘର ଭିତରେ ଥିବା ଦରକାରୀ କାଗଜପତ୍ର ସହ ଟିଭି, ଫ୍ରିଜ୍‌, ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଥିଲା। ପ୍ରାୟ ୧୫ ଦିନ ପୂର୍ବରୁ ମଧ୍ୟ ସେହି ଦୁର୍ବୃତ୍ତମାନେ ସେ ଘରେ ଶୋଇଥିବା ବେଳେ ବାହରପଟୁ କବାଟ ଦେଇ ଘରେ ନିଆଁ ଲଗାଇ ଦେବାକୁ ଚେଷ୍ଟା କରିବା ସହ ଗାଳିଗୁଲଜ କରିଆସୁଥିଲେ। କିଛି ଦିନ ତଳେ ସେମାନେ ଘର ଆଗରେ ବାଡ଼ ବସାଇ ଘର ଜାଳିଦେବା ଏବଂ ତାଙ୍କ ଭିଣୋଇ ଗାଳିଗୁଲଜ କରି ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ। ଏଥିନେଇ ପୂର୍ବରୁ ଥାନାରେ ଅଭିଯୋଗ କରିବା ପରେ ଥାନାରେ ସମାଧାନ ହୋଇଥିଲା। ଏନେଇ କୁନିଙ୍କ ଅଭିଯୋଗକ୍ରମେ ପୋଲିସ ୨ତାରିଖରେ ୫ଜଣଙ୍କ ନାମରେ ମାମଲା (ନଂ.୧୩୨/୨୪) ରୁଜୁ କରିଛି। ନିଜ ଜୀବନ ପ୍ରତି ବିପଦ ଥିବାରୁ ବାରମ୍ବାର ଥାନାକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି କୁନି ମୁଖୀ। ବନ୍ତ ପୋଲିସ ନ୍ୟାୟ ଦେବା ବଦଳରେ କୁନି ମୁଖିକୁ ନାନା କଥା କହିବା ସହିତ ମାନସିକ ସ୍ତରୀୟ ନିର୍ଯାତନା ଦେଉଥିବା କଥା କହିଛନ୍ତି କୁନି ମୁଖୀ ଖବରଦାତା ସମ୍ମିଳନୀରେ। ଖୁଲମ୍ ଖୋଲା ଭାବରେ ଦୋଷୀ ସାଧାରଣରେ ବୁଲୁଥିବା ବେଳେ ଏହା ଭିତରେ ୭ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ବନ୍ତ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ସେ ଅଭିଯୋଗ କରିଛନ୍ତି।