
ବାଇକ ସମେତ ଚୋରୀ ସାମଗ୍ରୀ ଉଦ୍ଧାର
ମୁନିଗୁଡା : (ରମାକାନ୍ତ ପୋଡାଳ )ରାଜସ୍ଥାନ ଠାରୁ ବେଦାନ୍ତ କମ୍ପାନୀକୁ ଆସୁଥିବା ଏକ ବିଦ୍ୟୁତ ତାର ବୋଝେଇ ଟ୍ରକରୁ ଲୁଟ ହୋଇଥିବା ବିଦ୍ୟୁତ ତାର ଜବତ କରିବା ସହ ଘଟଣାରେ ଜଡିତ ୬ଜଣ ଅଭୁଯୁକ୍ତଙ୍କୁ ଗିରଫ କରିଛି ଅମ୍ବାଦଳା ପୋଲିସ। ଗତ ୪ତାରିଖ ଦିନ ଗୋଟିଏ ଟ୍ରକ ବିଦ୍ୟୁତ ତାର ନେଇ ଲାଞ୍ଜିଗଡ ସ୍ଥିତ ବେଦାନ୍ତ କମ୍ପାନୀକୁ ଆସୁଥିବା ବେଳେ ସନ୍ଧ୍ୟା ସମୟରେ ଅସୁରପଡା ନିକଟରେ ଦୁର୍ବୁତ୍ତ ମାନେ ୫ଟି ମୋଟର ସାଇକଲରେ ୧୦ଜଣ ଆସି ଟ୍ରକର କାଚ ଭାଙ୍ଗି ଜୋର ଜବରଦସ୍ତ ତାର ଲୁଟ କରି ନେଇ ଯାଇଥିଲେ।
ଏ ନେଇ ସମ୍ପୃକ୍ତ ଟ୍ରକ ଡ୍ରାଇଭର ଅମ୍ବାଦଳା ଥାନାରେ ଲିଖିତ ଅଭିଯୋଗ କରିଥିଲା। ଅଭିେଯାଗ ପାଇ ମୁନିଗୁଡା ଏସଡିପିଓ ସନ୍ତୋଷିନି ଓରାମଙ୍କ ନେତୃତ୍ଵରେ ଅମ୍ବାଦଳା ଥାନା ଆଇଆଇସି କଳ୍ପନା ବେହେରା ସହ ଏକ ଟିମ ବିଭିନ୍ନ ସ୍ଥାନରେ ଛାନଭିନ କରି ଲୁଟ ହୋଇଥିବା ୮ବଣ୍ଡଲ ବିଦ୍ୟୁତ ତାର ସମେତ ଗୋଟିଏ ମୋଟର ସାଇକଲ ଓ ବ୍ୟବହୃତ ମାରଣାସ୍ତ୍ର ଜବତ କରିବା ସହ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି।
ଗିରଫ ଅଭିଯୁକ୍ତ ମାନେ ଅମ୍ବାଦଳା ଥାନା ଅନ୍ତର୍ଗତ ଅସୁରପଡା ଗ୍ରାମର ବେଣୁଧର ଶଗଡିଆ,ଗୋପବନ୍ଧୁ ହିଆଲ, ଜିତୁ ହିଆଲ, ମୁନା ଜାକେସିକା,ସୁରେନ୍ଦ୍ର କାଡ୍ରାକା ଓ ଅନ୍ୟଜଣେ ବନ୍ଧୁଗୁଡା ଗ୍ରାମର ସୁବାସ ନୁଣୃକା ବୋଲି ଜଣାପାଡିଛି। ତେବେ ଉକ୍ତ ମାମଲାରେ ସଂପୃକ୍ତ ଥିବା ଅନ୍ୟ ମାନଙ୍କୁ ପୋଲିସ ଖୋଜୁଥିବା ଜଣାପଡିଛି।