କେନ୍ଦ୍ରାପଡ଼ା : ( ପ୍ରଦୀପ ସାହୁ)ପରକୀୟା ପ୍ରୀତି ପାଇଁ ଜଣଙ୍କ ଜୀବନ ଯାଇଥିବା କୁହା ଯାଉଥିବା ବେଳେ ହତ୍ୟାକାରୀର ପତ୍ନୀ ମୃତକ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ କରିଛନ୍ତି।ଆଜି ଅପରାହ୍ଣରେ ଏହି ଘଟଣା ଜଣାପଡିବା ପରେ ସହରରେ ଆଲୋଡନ ଖେଳିଯାଇଛି।ଅଭିଯୋଗ ଅନୁଯାୟୀ,କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ଖଡ଼ିଅଙ୍ଗ ପୁରୁଣା ଘରୋଇ ସ୍କୁଲ ଅଙ୍କୁର ସ୍କୁଲ ପରିସରରେ ଦୀର୍ଘ ୭ ବର୍ଷ ଧରି ଭଡା ନେଇ ରହି ଆସୁଥିଲେ ରାଜସ୍ଥାନ କୁନୱାରିଆର ମଦନ ଦାସ ବୈଷ୍ଣବଙ୍କ ପୁଅ ପ୍ରଦୀପ ବୈଷ୍ଣବ।ପ୍ରଦୀପ ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡରେ ଫାଲୁଦା (ଏକ ପ୍ରକାର ସିମେଇ ଆଇସକ୍ରିମ) ବ୍ୟବସାୟ କରୁଥିବା ବେଳେ ୬ ବର୍ଷ ତଳେ ରାଜସ୍ଥାନର କବିତା ବୈଷ୍ଣବଙ୍କୁ ବିବାହ କରିଥିଲେ।

ପରେ ବ୍ୟବସାୟରେ ସହଯୋଗ ପାଇଁ ପ୍ରଦୀପ ନିଜ ରାଜ୍ୟ ରାଜସ୍ଥାନର ବଳଭଦ୍ରନଗର ନଓନିଆ ଗାଁର ସିକନ୍ଦର ମନସୁରୀଙ୍କ ପୁଅ କୁରବାନ ମନସୁରୀଙ୍କୁ ନିଜ ପାଖରେ ଆଣି ରଖିଥିଲେ।ତେବେ କୁରବାନ ଏବଂ ପ୍ରଦୀପଙ୍କ ପତ୍ନୀ କବିତାଙ୍କ ମଧ୍ୟରେ ଖରାପ ସମ୍ପର୍କ ଥିବା ନେଇ ପ୍ରଦୀପ ସନ୍ଦେହ କରୁଥିବା ବେଳେ ମାସେ ସମୟ ହେବ ଉଭୟ ପତିପତ୍ନୀଙ୍କ ମଧ୍ୟରେ ଏନେଇ କଳିଗୋଳ ଲାଗି ରହୁଥିଲା ଏବଂ ଏଥିପାଇଁ ପ୍ରଦୀପ କବିତାଙ୍କୁ ବହୁଥର ମାଡ଼ ମାରିଥିବା ନେଇ ସୂଚନା ମିଳିଛି।ଘଟଣା ସମ୍ପର୍କରେ ଘର ମାଲିକ ତଥା କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ଖଡ଼ିଅଙ୍ଗ ଗାଁର ମହମ୍ମଦ ବଦରୁଜ ଜମାନଙ୍କ ପ୍ରତିକ୍ରିୟା ଅନୁଯାୟୀ,”ଆଜି ଅପରାହ୍ନରେ ଅଭିଯୁକ୍ତ ପ୍ରଦୀପ ନିଜେ ତାଙ୍କୁ କଲ କରି ସେମାନଙ୍କ ମଧ୍ୟରେ ଗତକାଲି ରାତିରେ ଝଗଡା ହୋଇଥିବା କହିବା ସହ ମୃତକ କୁରବାନଙ୍କୁ ମାଡ଼ ମାରିଥିବା ନେଇ କହିଥିଲା।

କୁରବାନ ସକାଳେ ଜଳଖିଆ ଖାଇଥିବା କହିବା ସହ ଏବେ କାହିଁକି ସେ ଉଠୁନାହିଁ ସେନେଇ ଜଣାଇଥିଲା।ତେବେ ପରେ ଘରମାଲିକ ବଦରୁଜ ଟାଉନ ଥାନାକୁ ଘଟଣା ସମ୍ପର୍କରେ ଜଣାଇଥିଲେ ଓ ପୋଲିସ ପହଞ୍ଚି ତଦନ୍ତ କରୁଛି” ବୋଲି କହିଛନ୍ତି।ଆହୁରିମଧ୍ୟ “ପ୍ରଦୀପଙ୍କ ପତ୍ନୀଙ୍କ ସହ ମୃତକଙ୍କ ସମ୍ପର୍କ ରହିଥିବା କାରଣରୁ ଗଣ୍ଡଗୋଳ ସୂତ୍ରପାତ ହୋଇଥିବା”ନେଇ ସୂଚନା ଦେଇଛନ୍ତି ଘରମାଲିକ ବଦରୁଜ।ତେବେ ଏହି ହତ୍ୟାକାଣ୍ଡ ଘଟଣା ସମ୍ପର୍କରେ ଖବର ପାଇବା ପରେ ଟାଉନ ଥାନା ପୋଲିସ,କେନ୍ଦ୍ରାପଡା ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତ କୁହାଯାଉଥିବା ପ୍ରଦୀପ ବୈଷ୍ଣବକୁ ଥାନାରେ ଅଟକ ରଖିଛି।ମୃତକଙ୍କ ପରିବାର ଲୋକଙ୍କୁ ଖବର ଦିଆ ଯାଇଥିବା ବେଳେ ସେମାନେ ଆସି ପହଞ୍ଚିବା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯିବ ଓ ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି ଏସଡିପିଓ ଦେବେନ୍ଦ୍ର ମଲିକ।