ଭୁବନେଶ୍ବର : (ସଞ୍ଜୟ ମହାନ୍ତି )ବିଜେଡିରେ ବଡ଼ ପରିବର୍ତ୍ତନ। ଦଳ ସଜାଡ଼ିବାକୁ ସୁପ୍ରିମୋଙ୍କ ଉଦ୍ୟମ । ଗଠନ କରାଯାଇଛି ବିଭିନ୍ନ କମିଟି ।ନିର୍ବାଚିତ ପ୍ରତିନିଧି ଓ ଦଳୀୟ ପଦାଧିକାରୀଙ୍କ ସହିତ ସଂଗଠନ ଓ ଦଳର ସ୍ଥିତି ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି। ଦଳକୁ ଆହୁରି ମଜବୁତ କରିବା ଏହି ସମୀକ୍ଷା ବୈଠକର ମୂଳ ଲକ୍ଷ୍ୟ ବୋଲି କୁହାଯାଇଛି। ୨୪ବର୍ଷରେ ଅନେକ ଲୋକାଭିମୁଖୀ କାମ ସତ୍ୱେ ନିର୍ବାଚନରେ ଦଳ କାହିଁକି ପରାଜିତ ହେଲା, ତାହାର କାରଣ ଖୋଜା ଚାଲିଛି।

ସେପଟେ ଦରଦାମ ବୃଦ୍ଧି ଠାରୁ ଆରମ୍ଭ କରି ନାରୀ ସୁରକ୍ଷା, ପୁଞ୍ଜି ବିନିଯୋଗ ଆଦି ବିଭିନ୍ନ କ୍ଷେତ୍ରରେ ଓଡିଶାରେ ବିଜେପି ସରକାର ବିଫଳ ହୋଇଛି । ଏ ସରକାର ଶହେ ଦିନ ପୂରଣ କରିସାରିଲାଣି । କିନ୍ତୁ ସରକାରର ବିଫଳତା ଆଜି ସବୁଆଡେ ନିରାଶା ସୃଷ୍ଟି କରିଛି । ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥର ଅହେତୁକ ଦରବୃଦ୍ଧି ସାଧାରଣ ଲୋକଙ୍କୁ ଘର ଚଳାଇବା କଷ୍ଟ କରି ଦେଲାଣି । ମହିଳା ମାନେ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି । ନାରୀ ନିର୍ଯାତନା ବଢି ଚାଲିଛି । ଏପରିକି ସରକାରୀ କର୍ମଚାରୀ ମାନେ ମଧ୍ୟ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି । ପୁରୀ ରାଜଭବନରୁ ଆରମ୍ଭ କରି ଭରତପୁର ଥାନା ପର୍ଯ୍ୟନ୍ତ ଏ ସବୁ ଘଟଣା ସରକାରଙ୍କ ବିଫଳତାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଓଡିଶାରୁ ପୁଞ୍ଜି ଫେରି ଯାଉଛି ।

ଶିଳ୍ପପତି ମାନଙ୍କର ଓଡିଶା ସରକାର ଭରସା ନାହିଁ । ଶଙ୍ଖ ଭବନରେ ଜନସମ୍ପର୍କ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ସଂକ୍ରାନ୍ତୀୟ ପ୍ରସ୍ତୁତି ବୈଠକରେ ଉଦ୍‌ବୋଧନ ଦେଇ ନବୀନ କହିଛନ୍ତି ମିଛ କାହାଣୀ କହି ବିଜେପି ନିର୍ବାଚନରେ ଜିତିଛି । ମିଛ କହି ନିର୍ବାଚନ ଜିତା ଯାଇପାରେ, କିନ୍ତୁ ଲୋକଙ୍କ ହୃଦୟ ନୁହେଁ । ସୁଭଦ୍ରା ଯୋଜନା ହେଉ ବା ମାଗଣା ବିଜୁଳି ବା ଭତ୍ତା ବୃଦ୍ଧି, ବିଜେପିର ମିଥ୍ୟା ପ୍ରତିଶୃତି ଆଜି ସାଧାରଣ ଲୋକଙ୍କୁ ହତଚକିତ କରିଛି ବୋଲି ନବୀନ କହିବା ସହ ବିଜେପି ସରକାରର ବିଫଳତା ଓ ମିଛ ପ୍ରତିଶୃତି ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ଆହ୍ୱାନ ଜଣାଇଥିଲେ ।

କିନ୍ତୁ ଗୋଟିଏ ବଡ ବିଡମ୍ବନା ଦେଖିବାକୁ ମିଳିଛି । ଦଳ ସଜାଡ଼ିବାକୁ ଦଳ ର ସୁପ୍ରିମୋ ନବୀନ  ଗଠନ କରିଛନ୍ତି ନୂତନ କମିଟି । କିନ୍ତୁ ସବୁଠାରୁ ବଡ଼ କଥା ହେଉଛି, କୌଣସି କମିଟିରେ ନାହାନ୍ତି ପାଣ୍ଡିଆନ, ବବି ଓ ମାନସ ମଙ୍ଗରାଜ । ଦିନେ ବିଜେଡିରେ ଏହି ୩ ନେତାଙ୍କ ଦବଦବା ରହିଥିଲା । କିନ୍ତୁ ନିର୍ବାଚନ ପରେ ସବୁ କିଛି ବଦଳି ଯାଇଛି। ଆଗକୁ ଦଳର ବିଭିନ୍ନ ପଦପଦବୀ ନେଇ ନିଷ୍ପତ୍ତି ହେବ ।ଦୀର୍ଘ ୨୪ ବର୍ଷ ଧରି ସରକାରରେ ରହିବା ପରେ ବିଜେଡି ଏକ ନାଟକୀୟ ପରାଜୟର ସାମନା କରିଛି ।

ଆଉ ଏହି ପରାଜୟ ପରେ ସବୁଠୁ ବଡ଼ କାମ ହେଉଛି ସଂଗଠନକୁ ଠିକ୍‌ ରଖିବା । ଦଳ ଯେତେବେଳେକ୍ଷମତାରେ ଥାଏ, ସବୁ କିଛି ଆପେ ଆପେ ଠିକ୍‌ ଚାଲେ । କିନ୍ତୁ କ୍ଷମତାରେ ନଥିବା ବେଳେ ସଂଗଠନ ସମ୍ଭାଳିବା ଏକ ଆହ୍ବାନ ବନିଯାଏ । ଠିକ୍‌ ଏହିଭଳି ଏକ ପରିସ୍ଥିତିରେ ବିଜେଡି ପାଇଁ ଭଲ ଖବର ହେଉଛି । ଦଳର ସର୍ବୋଚ୍ଚ ନେତା ନିଜେ ନବୀନ ପଟ୍ଟନାୟକ ବେଶ୍‌ ସକ୍ରିୟ ହୋଇ କାମ କରୁଛନ୍ତି ।