ହରଭଙ୍ଗା : (ଚିତ୍ତରଞ୍ଜନ ସିଂହ) : ବୌଦ୍ଧ ବନଖଣ୍ଡ ଅଧିନ ମନମୁଣ୍ଡା ବନାଞ୍ଚଳରୁ ଚିତାବାଘ ଛାଲ ଜବତ କରିବା ସହ ଘଟଣାରେ ସଂପୃକ୍ତ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ଏସଟିଏଫ ଟିମ । ସୂଚନା ଅନୁଯାୟୀ ଚିତାବାଘ ଛାଲ ଚାଲାଣ ହେବାକୁ ଥୂବା ବେଳେ କୌଣସି ସୂତ୍ରରୁ ଏସଟିଏଫ ଖବର ପାଇ ନିର୍ଦ୍ଧିଷ୍ଟ ସ୍ଥାନରେ ଛକି ରହିଥିଲା ଏସଟିଏଫର ଏକ ଟିମ । ମନମୁଣ୍ଡା ଥାନା ମନମୁଣ୍ଡା – ଶଗଡା ରାସ୍ତାର ମେହେରୁଣୀ ନାଳ ବ୍ରିଜ ନିକଟରେ ଜଣେ ବ୍ୟକ୍ତିକୁ ସନ୍ଦେହ ହେବାରୁ ତାକୁ କାବୁ କରି ଜେରା କରିଥିଲା| ଅନେକ ସମୟ ଜେରା ପରେ ସତକୁ ସତ ନିକଟରେ ଲୁଚାଇ ରଖିଥିବା ଏକ ଚିତା ବାଘ ଛାଲ ସହିତ ଅନ୍ୟାନ୍ୟ ଅପରାଧ ସାମଗ୍ରୀ ମିଳିଥିଲା ।
ବାଘଛାଲ ଜବତ ସହ ଘଟଣାସ୍ଥଳରୁ ଉକ୍ତ ବ୍ୟକ୍ତିକୁ ଗିରଫ କରିଥିଲା। ଗିରଫ ଯୁବକ ଜଣକ ମନମୁଣ୍ଡା ଥାନା ଦପଲା ପଞ୍ଚାୟତ ଅନ୍ତର୍ଗତ ପରିବନ୍ଧ ଗ୍ରାମର ନାରାୟଣ ମାଝୀ ( ୨୮) ବୋଲି ଜଣା ପଡିଛି | ବନ୍ୟଜନ୍ତୁ ଅପରାଧୀକ ଆଇନ ଓ ବନ୍ୟଜନ୍ତୁ ଦ୍ରବ୍ୟର କାରବାର ଆଇନ ଅନୁଯାୟୀ ନାରାୟଣକୁ ଗିରଫ କରାଯାଇ କଣ୍ଟାମାଳ କୋର୍ଟରେ ହାଜର କରାଯାଇଥିଲା | ଏ ସମ୍ପର୍କରେ ଏସଟିଏଫ ପକ୍ଷରୁ କେଶ ନଂ ୨୩ ରେ ଏକା ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି | ଅନ୍ୟପଟେ ଉକ୍ତ ବାଘ ଛାଲକୁ ଡେରାଡୁନ ସ୍ଥିତ ପରୀକ୍ଷାଗାରକୁ ପରୀକ୍ଷା ପାଇଁ ପଠା ଯିବ ବୋଲି ଏସଟିଏଫ ଅଧିକାରୀ ସୂଚନା ଦେଇଛନ୍ତି |