
କଳାହାଣ୍ଡି:(ନରେନ୍ଦ୍ର ନେଗୀ)ଇନ୍ଦ୍ରାବତୀ ଜଳ ସେଚନ ବିଭାଗ ର ଖରିଫ ଜଳ ସେଚନ ସମୟ ସୀମା ପୂର୍ଣ୍ଣାଙ୍ଗ ହେବାକୁ ଯାଉଥିବା ବେଳେ ଆସନ୍ତା ନଭେମ୍ବର ୧୦ତାରିଖ ରୁ ଖରିଫ ଜଳ ସେଚନ ବନ୍ଦ ହୋଇଯିବ ବୋଲି ବୁଧବାର ଦିନ ବିଭିନ୍ନ ଗ୍ରାମରେ ବିଭାଗ ଦ୍ଵାରା ଡ଼ାକବାଜି ଯନ୍ତ୍ର ରେ ପ୍ରଚାର କରିବା ସହିତ ଆବଶ୍ୟକ ସ୍ଥଳରେ ଜମି ମାନଙ୍କରେ ପାଣି ସଞ୍ଚିତ କରି ରଖିବାକୁ ନିବେଦନ କରାଯାଇଛି|
ସୂଚନାରୁ ପ୍ରକାଶ ଯେ, ଚଳିତ ଖରିଫ ରେ ଇନ୍ଦ୍ରାବତୀ ଜଳ ଭଣ୍ଡାର ରୁ କଳାହାଣ୍ଡି ଜିଲ୍ଲା ର ୪୮୦ଗ୍ରାମ ପାଇଁ ୧,୧୭, ୦୭୬ହେକ୍ଟର ଜମିରେ ଜଳ ସେଚନ ଜୁଲାଇ ୭ତାରିଖ ରୁ ଆରମ୍ଭ କରାଯାଇ ଥିଲା|ଗତ ଶନିବାର ଦିନ ଜିଲ୍ଲା ପାଳ ଙ୍କ ସଭା କକ୍ଷ ରେ ଆୟୋଜିତ ଡି ଏଲ୍ ପି ସି ମିଟିଂ ରେ ନଭେମ୍ବର ୧୦ତାରିଖ ରୁ ଇନ୍ଦ୍ରାବତୀ ରୁ ଜଳ ସେଚନ ବନ୍ଦ ରଖିବା ପାଇଁ ନିଷ୍ପତି ନିଆଯିବା ସହିତ ପରବର୍ତ୍ତୀ ରବି ଜଳ ସେଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା|
ପ୍ରଥମ ପର୍ଯ୍ୟାୟ ରେ ଦକ୍ଷିଣ ମୁଖ୍ୟ କେନାଲ ଓ ଲିଫ୍ଟ କେନାଲ କୁ ବନ୍ଦ କରାଯାଉଥିବା ବେଳେ ପରବର୍ତ୍ତୀ ଦୁଇ ଦିନ ପାଇଁ ବାମ ମୁଖ୍ୟ କେନାଲ ରେ ଜଳସେଚନ ବଳବତ୍ତର ରହିବ ବୋଲି ବିଭାଗ ସୂତ୍ରରୁ ସୂଚନା ମିଳିଛି|ଚଳିତ ବର୍ଷ ଅନେକ ଅନିଶ୍ଚିତତା ଦେଇ ଜଳ ଭଣ୍ଡାର ଗତି କରିଥିବା ବେଳେ ଏବେ ଜଳ ସ୍ତର ୫୩୬.୨୫ମିଟର ଅର୍ଥାତ୍ ୫୭.୯୫ପ୍ରତିଶତ ରେ ପହଞ୍ଚି ସାରିଛି|ରବି ଜଳ ସେଚନ କୁ ସୁରକ୍ଷିତ ରଖିବା ପାଇଁ ମଧ୍ୟବର୍ତ୍ତୀ କାଳୀନ ବିଦ୍ୟୁତ୍ ଉତ୍ପାଦନ କୁ ବନ୍ଦ ରଖିବା ପାଇଁ ବିଭିନ୍ନ ମହଲ ରୁ ଦାବୀ ହେଉଛି|