
କଳାହାଣ୍ଡି:(ନରେନ୍ଦ୍ର ନେଗୀ)କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଥାନାରେ ପୂର୍ବତନ କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କ ବିରୁଦ୍ଧରେ ସଂଗୀନ ଅଭିଯୋଗ କରିଛନ୍ତି ବିଶ୍ୱନାଥପୁର ବସ୍ତିର ଶତାଧିକ ବସ୍ତିବାସୀ l ବସ୍ତିବାସୀଙ୍କ ଅଭିଯୋଗ ମୁତାବକ ମାଁ ହୀରା ନୀଳା ଡିଗ୍ରୀ କଲେଜର ପୂର୍ବତନ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ରବିବାର ବିଳମ୍ବିତ ରାତ୍ରିରେ ବିଶ୍ୱନାଥପୁର ବସ୍ତିରେ ପାଟି ତୁଣ୍ଡ କରିବା ସହ ବସ୍ତିରେ ବୋମା ପକାଇ ଦେବାପାଇଁ ଧମକ ଦେଇଥିଲେ l
ଏପରିକି ଗ୍ରାମର ଗୌନ୍ତିଆ ପ୍ରଦୀପ କୁମାର ଘଡେଇ ଙ୍କୁ ଗୁଣ୍ଡା ଲଗାଇ ମାରିଦେବାକୁ ଧମକ ଦେବାସହ ମହିଳା ମାନଙ୍କୁ ମଧ୍ୟ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିବା ଅଭିଯୋଗ ହୋଇଛି l ଏହାକୁ ବିରୋଧ କରି ବସ୍ତିର ଶତାଧିକ ମହିଳା ଓ ପୁରୁଷ ଏକ ଶୋଭାଯାତ୍ରାରେ ବିଶ୍ୱନାଥପୁର ଥାନାକୁ ଯାଇ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଶ୍ରୀ ସାହୁଙ୍କ ଗିରଫ ଦାବି କରିଥିଲେ l ଏ ସମ୍ପର୍କରେ ବିଶ୍ୱନାଥପୁର ଥାନାରେ୯୮/୨୦୨୩ ରେ ଏକ ମାମଲା ରୁଜ୍ଜୁ ହୋଇଛି l
ପୂର୍ବ ଶତ୍ରୁତାକୁ ନେଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି lପୂର୍ବତନ କଲେଜ ଅଧ୍ୟକ୍ଷ ଶ୍ରୀ ସାହୁ ମଧ୍ୟ ପ୍ରଦୀପ କୁମାର ଘଡେଇଙ୍କ ବିରୁଦ୍ଧରେ ଏକ ପାଲଟା ଅଭିଯୋଗ କରିଥିବା ଜଣାଯାଇଛି l ଏ ସମ୍ପର୍କରେ ବିଶ୍ୱନାଥପୁର ଥାନାରେ ଏକ ମାମଲା ୯୯/୨୦୨୩ ରୁଜ୍ଜୁ ହୋଇଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି l ଉଭୟ ପକ୍ଷର ଅଭିଯୋଗ ଗ୍ରହଣ କରି ପୋଲିସ ତଦନ୍ତ ଜାରି ରଖିଛି l ସେଠାରେ ଉତ୍ତେଜନା ଲାଗି ରହିଛି l