
ଢେଙ୍କାନାଳ:୨୩ା୧୨: ଜଗଦ୍ଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ଢେଙ୍କାନାଳ ଜିଲ୍ଲା ସ୍ତରୀୟ ଭକ୍ତଗୋଷ୍ଠୀଙ୍କ ଦ୍ୱାରା ଠାକୁରଙ୍କ ଉନବିଂଶତମ ବାର୍ଷିକ ଉତ୍ସବ ଓ ସନାତନ ଧର୍ମ ସମ୍ମିଳନୀ ସ୍ଥାନୀୟ ମୁ୍ୟନିସିପାଲିଟି କଲ୍ୟାଣ ମଣ୍ଡପ ଠାରେ ଚଳିତ ଡିସେମ୍ବର ମାସ ୨୩ ତାରିଖ ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ତ୍ରିଦିବସୀୟ ପାଳିତ ହେବା ପାଇଁ ଶାନ୍ତିଧାମ କରମଳା ଆଶ୍ରମର ପୂଜ୍ୟ ବାବାଜୀ ଶ୍ୟାମାନନ୍ଦ ଦାସଙ୍କ ପୌରହିତ୍ୟରେ ଉଦ୍ଘାଟିତ ହୋଇଅଛି ।
ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସଦେବ ୩୧ତମ ଅବତାର ରୂପେ ଧରାଧାମରେ ଅବତରଣ କରି କଳିହତ ମାନବର ମୋହମାୟା, ଛନ୍ଦ, କପଟ, ହିଂସାକୁ ସମ୍ପୂର୍ଣ୍ଣ ରୂପେ ଧ୍ୱସଂ କରି ମାନବର ସୁପ୍ତ ଚେତନାକୁ ଜାଗରିତ ପୂର୍ବକ ଶାନ୍ତି, ଦୟା, କ୍ଷମା, ଧୈର୍ଯ୍ୟ ଓ ଅହିଂସା ମାର୍ଗ ଅନୁଶରଣ କରାଇ ଜନମାନସ ପାଇଁ ଅନେକ ଲୀଳାଖେଳା ପ୍ରଦର୍ଶନ କରିଯାଇଛନ୍ତି । ଓଡିଶାର ବ୍ରହ୍ମଗିରି ବ୍ଲକ୍ ଅଧୀନସ୍ଥ କରମଳାର ଭୋଇପଡାରେ ଧରାଧାମକୁ ପଦାର୍ପଣ ପୂର୍ବକ ଓଡିଆ ଜାତିର ଏକ ଉଜ୍ୱଳ ନକ୍ଷତ୍ର ହୋଇଥିଲେ ମଧ୍ୟ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଆପଣାର କରି ଜାତିବାଦ ଓ ବିଭେଦର ବହୁ ଉଦ୍ଧ୍ୱର୍ରେ ଥିଲେ ଏବଂ ସନାତନ ଧର୍ମ ଆଧାରିତ ଅନେକ ପୁସ୍ତକ ରଚନା କରି ସମାଜ ସଂସ୍କାର ଓ ଶରୀରତତ୍ୱର ବହୁ ଉପାଦେୟ ତଥ୍ୟ ପରିପ୍ରକାଶ କରିଯାଇଛନ୍ତି ।
ଉକ୍ତ ଉତ୍ସବରେ ପ୍ରାତଃରେ ଠାକୁରଙ୍କ ସିଂହାସନ ବିଜେ, ଘଟ ସ୍ଥାପନ, ପତାକା ଉତୋଳନ, ଗୁରୁବନ୍ଦନା, ଭଜନ, ଜଣାଣ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରବଚନ କାର୍ଯ୍ୟକ୍ରମ ସହିତ ଉତ୍ସବ ପାଳିତ ହେଉଅଛି । ଏକ ବର୍ଣ୍ଣାଢ୍ୟ ପ୍ରୋସେସନରେ ସଂକୀର୍ତନ ଦଳ ଓ ଲଉଡିବାଡି ଖେଳ ପ୍ରଦର୍ଶନ ପୂର୍ବକ ଠାକୁରଙ୍କୁ ଏକ ବିରାଟ ପଟୁଆରରେ ଢେଙ୍କାନାଳ ସହର ପରିକ୍ରମା କରାଯାଇଥିଲା ।
ପ୍ରବଚକ ହିସାବରେ କରମଳା ଆଶ୍ରମର ପୂଜ୍ୟ ସାଧୁ ବୁଦ୍ଧଦେବ ଦାସ, ବାବାଜୀ ତ୍ରିଲୋଚନ ଦାସଙ୍କ ସହିତ ଇଂ. ପାର୍ଥସାରଥୀ ମହାନ୍ତି ଓ ବେଦାନ୍ତ କେଶରୀ, ସନ୍ତୋଷ ଚୈତନ୍ୟ ବ୍ରହ୍ମଚାରୀ ୩ଦିନ ଧରି ସନାତନ ଧର୍ମ ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଅଛିା ଏମାନଙ୍କ ବ୍ୟତୀତ ଶାନ୍ତିଧାମ କରମଳା ଆଶ୍ରମର ଅନ୍ୟାନ୍ୟ ସାଧୁ ଶେଷଦେବ ଦାସ ବାବାଜୀ, ବାବାଜୀ ଅଯୋଧ୍ୟା ଦାସ, ବାବାଜୀ ଚିନ୍ମୟ ଦାସ, ବାବାଜୀ ସେବାନନ୍ଦ ଦାସ ଓ ଅନ୍ୟମାନେ ଯୋଗ ଦେଉଛନ୍ତି । ଉକ୍ତ ଉତ୍ସବରେ ଢେଙ୍କାନାଳ ଜିଲ୍ଲାର ଭକ୍ତ ଭାଇଭଉଣୀ ପ୍ରାୟ ୧୦୦ ଖଣ୍ଡ ରୁ ଉଦ୍ଧ୍ୱର୍ ଗ୍ରାମମାନଙ୍କର ଯୋଗଦେଇ ଠାକୁରଙ୍କ କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେବେ ବୋଲି ଜିଲ୍ଲାସ୍ତରୀୟ ସଭାପତି ସୁଧାକର ଯେନା ଓ ସମ୍ପାଦକ ହୃଦାନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି ।